ଡେଲାଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୬୨ଟି ଅଭିଯୋଗ ମଧ୍ୟରୁ ସାମୁହିକ ୧୦ଟି ଏବଂ ବ୍ୟକ୍ତିଗତ ୫୨ଟି ଅଭିଯୋଗର ଶୁଣାଣି ହୋଇଛି । ଏଥିରେ ଆବାସ ଯୋଜନା, ଭତ୍ତା, ଖାଉଟିକାର୍ଡ, ଡ୍ରେନେଜ, ପାନୀୟଜଳ ଆଦି ଅଭିଯୋଗର ବେଶେଷଭାବେ ଶୁଣାଣି ହୋଇଥିଲା । ଡେଲାଙ୍ଗ କୋଠବାଡ଼ ପଞ୍ଚାୟତରେ ୨୦୧୭ ମସିହାରୁ ଓଭରହେଡ଼ ଟ୍ୟାଙ୍କ ନିର୍ମାଣ ହୋଇଥିଲେ ମଧ୍ୟ ଏହା ଅଚଳ ହୋଇ ପଡ଼ିଥିବାରୁ ପାନୀୟ ଜଳ ଯୋଗାଣ ହୋଇପାରୁ ନଥିବା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପ୍ରଧାନ ଅଭିଯୋଗ କରିଥିଲେ । ଅଭିଯୋଗ ଗୁଡିକର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇ ତାହାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ଶିବିରରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ମମତା ମିଶ୍ର, ଡେଲାଙ୍ଗ ତହସିଲଦାର ସନ୍ତୋଷିନୀ ଦାଶ, ବିଡ଼ିଓ କ୍ଷିତିଶ ବେହେରା, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଏଏସଆଇ ଗୋପବନ୍ଧୁ ରାଉତଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ୨୧ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.