ବରଗଡ଼, (ନିରୋଜ କୁମାର ପାଣୀ) : ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍ଷ୍ଟେସନ ସ୍ଥାପନ କରିଛନ୍ତି କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୭/୧୨/୨୦୧୩ ମସିହାରେ ଏହି ଗ୍ରୀଡ଼କୁ ତତ୍କାଳୀନ ରାଜସ୍ୱ କମିଶନର ପ୍ରମୋଦ କୁମାର ମେହେର୍ଦ୍ଦା ଉଦ୍ଘାଟନ କରିଥିଲେ ଯାହାକି ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଏଥିରେ ଦୁଇଟି ୫୦୦ କେଭିର ଟ୍ରାନ୍ସଫରମର ଲାଗିଥିବା ବେଳେ ସିଧାସଳଖ ପଧାନପାଲି ଗ୍ରୀଡ଼ ସହ ଏହାକୁ ସଂଯୋଗ କରିବାକୁ ଯୋଜନା କରାଯାଇଥିଲା କିନ୍ତୁ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ବି ଏହି ଗ୍ରୀଡ଼ଟି ସମ୍ପୂର୍ଣ୍ଣ ଖତ ଖାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଅନ୍ୟପଟେ ପୁରୁଣା ୧୦୦ କେଭି ଟ୍ରାନ୍ସଫର୍ମରରେ ହସ୍ପିଟାଲ ଚାଲୁଛି ଯାହାକି ରୋଗୀ ଏବଂ ବରଗଡ଼ବାସୀଙ୍କ ପାଇଁ ଉପହାସ ପାଲଟିଛି । ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଏକ ଡିଜିଟାଲ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ବିଦ୍ୟୁତ ବିଭାଗ, ହସ୍ପିଟାଲ ପ୍ରଶାସନ, ଜିଲ୍ଳା ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଆହ୍ୱାନ କରିଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏପରି ଚରମ ଅବହେଳାକୁ ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ ନିନ୍ଦା କରିଛନ୍ତି । ଅଭିଯୋଗ ଅନୁସାରେ ଅନେକ ସମୟରେ ଡାକ୍ତରଖାନାରେ ବିଜୁଳି ରହୁନଥିବାରୁ ଟର୍ଚ୍ଚ ଲାଇଟ ମାଧ୍ୟମରେ ରୋଗୀଙ୍କୁ ଡାକ୍ତର ଚିକିତ୍ସା କରୁଥିବା ଖବର ଆସୁଛି କିନ୍ତୁ ଅନ୍ୟପଟେ ୨ କୋଟି ଟଙ୍କାର ଗ୍ରୀଡ଼ ସବ୍ଷ୍ଟେସନ ୮ ବର୍ଷ ହେଲା ଖତ ଖାଉଛି କାହାର ନଜର ନାହିଁ ଯାହାକି ଦୁଃଖର ବିଷୟ ଅଟେ । ରାଜ୍ୟରେ ବିଜୁଳି ବିତରଣ ଟାଟା କମ୍ପାନୀ ହାତକୁ ଟେକି ଦେବା ପରେ ପରିସ୍ଥିତି ସୁଧୁରିବା ପରିବର୍ତେ କେବଳ ବକେୟା ଅସୁଲି ଓ ୟୁନିଟ ପିଛା ଦର ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେଉଥିବା ଆପ୍ ଅଭିଯୋଗ କରିଛି । ଏହାକୁ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ନକଲେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛି ।
Prev Post