ମାଟିଆଭଟା ପଞ୍ଚାୟତରେ ମନରେଗା ଯୋଜନାରେ କାମ ନକରି ଦିବ୍ୟାଙ୍ଗ ଓ ତାଙ୍କ ସ୍ତ୍ରୀଙ୍କୁ ଶ୍ରମିକ ଭାବେ ନିଯୁକ୍ତି ଦର୍ଶାଇ ଟଙ୍କା ହଡ଼ପ କରୁଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ସହ ମଧୁବାବୁ ପେନ୍‌ସନ୍‌ ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ମାସିକ ଭତ୍ତା, ଅର୍ନ୍ତଦୟ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ, ବିଜୁପକାଘର, ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଜନୈକ ଦିବ୍ୟାଙ୍ଗ ଭାବେ ଭତ୍ତା ପାଉଥିବା ବେଳେ ସେ ମନରେଗା ଯୋଜନାରେ ଶ୍ରମିକ ହିସାବରେ ତାଙ୍କ ନାମରେ ଥିବା ପାସବୁକରେ ପାରିଶ୍ରମିକ ଜମା ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ମାଟିଆଭଟା ଗ୍ରାମରେ ୨୦୨୧ ଆର୍ଥିକ ବର୍ଷରେ ଗୋଚର ମୁଣ୍ଡା ମାଟି ଉନ୍ନତି କାମ କରାଯାଇଥିଲା । ଉକ୍ତ ମାଟି ଉନ୍ନତି କାମରେ ଅନେକ ଶ୍ରମିକ ମାନଙ୍କ ନାମରେ କାର୍ଯ୍ୟ ଡିମାଣ୍ଡ କରାଯାଇଛି । ହେଲେ ଗ୍ରାମର ଭୁତେଶ୍ଵର ପଣ୍ଡା (୪୬) ପିତା ରାଜେନ୍ଦ୍ର ପଣ୍ଡା ଜଣେ ଦିବ୍ୟାଙ୍ଗ ଅଟନ୍ତି । ଭୁତେଶ୍ଵର ଦିବ୍ୟାଙ୍ଗ ହେତୁ ବିକଳାଙ୍ଗ ଭତ୍ତା ପାଉଥିବା ବେଳେ ଗୋଚର ମୁଣ୍ଡା ମାଟି ଉନ୍ନତି କାମରେ ଭୁତେଶ୍ଵର ଓ ତାଙ୍କ ସ୍ତ୍ରୀ ଫଗୁନୀଙ୍କ ନାମରେ କାର୍ଯ୍ୟ ଡିମାଣ୍ଡ କରାଯିବା ସହ ସ୍ଵାମୀ ସ୍ତ୍ରୀ ଦୁହିଁଙ୍କ ପାସବୁକରେ ଶ୍ରମିକ ଭାବେ ପାରିଶ୍ରମିକ ମିଳୁଥିବା ଅଭିଯୋଗ ହେଉଛି । ସୁସ୍ଥ ସବଳ ଶ୍ରମିକ ମାନଙ୍କୁ କାମରେ ନିଯୁକ୍ତ ନକରି ଯଦି ଜଣେ ଦିବ୍ୟାଙ୍ଗ ହୋଇ ଶ୍ରମିକ ଭାବେ କାମରେ ନିଯୁକ୍ତ କରାଯାଇ କାଗଜପତ୍ରରେ ତାଙ୍କୁ ଶ୍ରମିକ ଭାବେ ଦର୍ଶାଇ ଟଙ୍କା ଜମା କରି ଆତ୍ମସାତ କରାଯାଉଥିବା ଅଭିଯୋଗ ସହ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏପରି ମନରେଗା ଯୋଜନାରେ କାମରେ ନିଯୁକ୍ତି ନ ଥିବା ଶ୍ରମିକ ମାନଙ୍କ ପାସ୍ ବୁକ୍ରେ ଟଙ୍କା ଜମା କରି ଟଙ୍କା ହଡପ କରିଥିବା ଅଭିଯୋଗ ହେଉଛି । ଆହୁରି ଅନେକ ଲୋକ ବିନା କାମ କରି ଟଙ୍କା ଆତ୍ମସାତ କରାଯାଉଥିବା ଓ କାମ ଗୁଡିକରେ ମଧ୍ୟ ଦୂର୍ନୀତି ହେଉଥିବା ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.