ସାନଟିକା ଖେଳପଡ଼ିଆ ଉନ୍ନତିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଆଗଲପୁର, (କେପିଏନ୍‌ଏସ୍‌) : ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଏହା ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଛି । ଆଗଲପୁର ବ୍ଲକ ନଅଗାଁ(ଖ) ପଂଚାୟତ ସାନଟିକା ଗ୍ରାମରେ ନିମ୍ନମାନର ଖେଳ ପଡିଆ ନିର୍ମାଣ କରି ଠିକାଦାର ଏବଂ ସରକାରୀ ଅଧିକାରୀ ମାଲେମାଲ ହୋଇଥିବା ବେଳେ ଖେଳ ପଡ଼ିଆ ଉନ୍ନତିକରଣର ବର୍ଷେ ନପୁରୁଣୁ ତାହା ଖେଳିବା ଅନୁପଯୋଗୀ ହୋଇ ପଡିଛି । ପଡ଼ିଆର କୌଣସି ସ୍ଥାନରେ ବସିବା ପାଇଁ ସିମେଣ୍ଟ ବେଞ୍ଚ ନ ଥିବା ବେଳେ ଏଥିପାଇଁ ଆସିଥିବା ଅର୍ଥର ବ୍ୟାପକ ଦୁରୁପଯୋଗ ହୋଇଥିବା ସ୍ପଷ୍ଟ ହୋଇଛି । ଏପରିକି ଶ୍ରମିକଙ୍କୁ କାମ ଯୋଗାଇ ଦିଆନଯାଇ ଜେସିବି ମେସିନରେ କାମ କରାଯିବା ସହିତ କିଛି ଶ୍ରମିକଙ୍କ ବ୍ୟାଙ୍କ ଜମାଖାତାରେ ଟଙ୍କା ଜମା କରାଯାଇ ମନରେଗା ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ସାନଟିକା ଗାଁରେ ୨୦୨୦-୨୧ରେ ମନରେଗା ଯୋଜନାରେ ଫାଇଲ ଖୋଲାଯାଇ ୫ ଲକ୍ଷ ଟଙ୍କା ବ୍ୟୟରେ ଖେଳ ପଡିଆ ନିର୍ମାଣ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି । ତେବେ ୨୦୨୧-୨୨ ବର୍ଷରେ ପୁଣି ଏହି ଖେଳ ପଡିଆ ନିର୍ମାଣ ପାଇଁ ଆଉ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବା ଜଣାଯାଇଛି । ଖେଳପଡ଼ିଆ ଉନ୍ନତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ୨୦୨୦-୨୧ ବର୍ଷର ଅନୁଦାନ ଅର୍ଥ ଉଠି ସାରିଥିବା ଜଣାଯାଇଛି । ଦାୟିତ୍ୱରେ ଥିବା ପଂଚାୟତ ନିର୍ବାହୀ ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଆଗଲପୁର ବିଡ଼ିଓ ଭୁବନ ଶତପଥୀଙ୍କୁ ପଚାରିବାରେ କଣ କାମ ହୋଇଛି ସେ ବୁଝି ଦେଖିବେ ବୋଲି ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲାପାଳ ତଥା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.