centurian jitm

ନିମ୍ନମାନର ସୋକପିଟ ନିର୍ମାଣ କରି ହରିଲୁଟ୍‌ ଅଭିଯୋଗ

nschool

ସଇଁତଲା, (ପ୍ରମୋଦ ସେଲମା) : ସରକାର କରୋନା ମହାମାରୀ ପରେ ବେରୋଜଗାରୀ ସମସ୍ୟାରୁ ଗରିବ ଜନସାଧାରଣଙ୍କୁ ମୁକ୍ତ କରିବା ସହ ରୋଜଗାର ଯୋଗାଇ ଦେବା ପାଇଁ ମନରେଗା ଯୋଜନା ମାଧ୍ୟମରେ ଅନେକ ନୂତନ କାର୍ଯ୍ୟ ହାତକୁ ନେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । ଏଥିସହ ଅନେକ ଗୁଡ଼ିଏ ବ୍ୟକ୍ତିଗତ ପ୍ରକଳ୍ପ ସହିତ ସାମୁହିକ କାର୍ଯ୍ୟଗୁଡିକ ମଧ୍ୟ କରାଯାଉଛି । କିନ୍ତୁ ସରକାରଙ୍କ ଲକ୍ଷ୍ୟ ସଫଳ ହେବା ପରିବର୍ତ୍ତେ ଅର୍ଥ ବାଟମାରଣା ହେବାରେ ଲାଗିଛି । ଅନେକ ସମୟରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଏପରି ଏକ ଅଭିଯୋଗ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବୁଢ଼ାବାହାଲ ପଞ୍ଚାୟତ ଲିଆକାନୀ ଗ୍ରାମରେ ନିମ୍ନମାନର ସୋକପିଟ ନିର୍ମାଣକୁ ନେଇ ଅଭିଯୋଗ ହୋଇଛି ।

ପ୍ରକାଶ ଯେ, ମନରେଗା ଯୋଜନାରେ ଗ୍ରାମାଞ୍ଚଳର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଘରେ ଘରେ ଶୋଷକ ଗାତ (ସୋକପିଟ) ନିର୍ମାଣ କରିବା ପାଇଁ ପଞ୍ଚାୟତ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇ ଲିଆକାନୀ ଗ୍ରାମରେ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟଟି ସରକାରଙ୍କ ନିୟମ ମୁତାବକ ହେଉ ନାହିଁ । ମନରେଗା କାର୍ଯ୍ୟରେ ଠିକାଦାର ନିଯୁକ୍ତି କରି ସୋକପିଟ ପିଛା ୧୫୦୦ ଟଙ୍କା ଲେଖାଏଁ ପ୍ରଶାସନ ମୂଲଚାଲ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଠିକାଦାରମାନେ ଗାତଗୁଡିକ ୪ ଫୁଟ ଖୋଲିବା ନିୟମ ଥିଲେ ମଧ୍ୟ ଅଳ୍ପ ଗାତ ଖୋଲି ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହିତାଧିକାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଗ୍ରାମରେ ସର୍ବମୋଟ ୧୨୨ ଜଣଙ୍କ ଘରେ ସୋକପିଟ ନିର୍ମାଣ ପାଇଁ କାର୍ଯ୍ୟ କରାଯାଉଥିବା ବେଳେ ସୋକପିଟ ପିଛା ୬ ହଜାର ୫ ଶହ ଟଙ୍କା ଲେଖାଏଁ ସରକାର ଖର୍ଚ୍ଚ କରାଯିବ ବୋଲି ଧାର୍ଯ୍ୟ କରିଛନ୍ତି । କିନ୍ତୁ ଉକ୍ତ ସୋକପିଟ ନିର୍ମାଣ କାର୍ଯ୍ୟଟି ସିଧାସଳଖ ହିତାଧିକାରୀଙ୍କୁ ନ ଦେଇ ଠିକାଦାର ନିଯୁକ୍ତି କରାଯାଇ ଅର୍ଥ ହରିଲୁଟ୍‌ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛିଛି । ଏ ନେଇ କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ମାଝୀଙ୍କୁ ପଚାରିବାରୁ ଯଦି ନିମ୍ନମାନର କାର୍ଯ୍ୟ ହୋଇଥାଏ, ତାହା ହେଲେ ସଠିକ୍‌ ଭାବରେ କାମ କରିବା ପାଇଁ ତାଗିତ କରାଯିବ ବୋଲି ପ୍ରକାଶ କରିଥିଲେ । ଏଣୁ ଜିଲ୍ଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସିଧାସଳଖ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.