ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭତାସର ଗାଁରେ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଆଶାୟୀ ପ୍ରାର୍ଥିନୀ ପ୍ରିୟା ସାହୁ, ଗୀତାଞ୍ଜଳି ନାଏକ, ସସ୍ମିତା ବାଗ, ସାରଥୀ ରଣା ପ୍ରମୁଖ ବଲାଙ୍ଗିର ଜିଲ୍ଲାପାଳ ଏବଂ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଯଦି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାଯାଇଛି । ଅଭିଯୋଗ ଅନୁସାରେ ଏହି ବ୍ଲକର ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ଅଧୀନସ୍ଥ ଗଣ୍ଡପତ୍ରାପାଲି ପଞ୍ଚାୟତର ଅଙ୍ଗନବାଡି କର୍ମୀ ପଦବୀ ପାଇଁ ଦୀର୍ଘ ଦିନରୁ ଖାଲି ପଡିଥିବା ବେଳେ ଏହି ପଦବୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୭ ଜଣ ପ୍ରାର୍ଥିନୀ ଅନଲାଇନ ଯୋଗେ ଆବେଦନ କରିଥିଲେ । ପରେ କାଗଜପତ୍ର ତନଖି ସମୟରେ ଜଣେ ପ୍ରାର୍ଥିନୀ କେବଳ ତାଙ୍କ ମାଟ୍ରିକ ମାର୍କସିଟ, ସାର୍ଟିଫିକେଟ ପ୍ରଦାନ କରିଥିଲେ । ଉଚ୍ଚତର ଶିକ୍ଷା ନେଇ କୌଣସି ପ୍ରମାଣପତ୍ର ଦାଖଲ କରି ନଥିବାରୁ ଚୟନ କମିଟି ତାଙ୍କ ଆବେଦନ ରଦ୍ଧ କରିଥିଲେ । ପରେ ପୁଣି ତାଙ୍କୁ ଚାକିରି ପ୍ରଦାନ ପାଇଁ ମସୁଧା କରାଯାଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ ରଦ୍ଧ କରାଯାଇ ଥିବା ପ୍ରାର୍ଥିନୀଙ୍କୁ ପୁଣି କାହିଁକି ନିଯୁକ୍ତି ଦିଆଯାଉଛି ବୋଲି ଆଶାୟୀ ପ୍ରାର୍ଥିନୀ ମାନେ ଅଭିଯୋଗ ଉଠାଇଛନ୍ତି । ଏ ନେଇ ଯେଉଁ ତାରିଖରେ ଉକ୍ତ ପ୍ରାର୍ଥିନୀ ପ୍ରଥମେ ଅନଲାଇନ କଲେ ତାହା ସର୍ବସାଧାରଣରେ ପ୍ରକାଶ ସହ କଣ କଣ ଦାଖଲ କରିଥିଲେ ସେ ସବୁ କମ୍ପ୍ୟୁଟର ଖୋଲି ଆଶାୟୀ ପ୍ରାର୍ଥିନୀ ତଥା ଜନସାଧାରଣଙ୍କୁ ପ୍ରଦର୍ଶନ କରାଯାଉ ବୋଲି ଦାବୀ ହେଉଛି । ଏ ସମ୍ପର୍କରେ ସଇଁତଲା ସିଡିପିଓ ସବିତା ଦାଶଙ୍କୁ ପଚାରିବାରୁ କୌଣସି ଅନିୟମିତତା ହୋଇ ନ ଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରଶାସନ ବିହିତ କାର୍ଯ୍ୟାନୁଷ୍ଠାନ ନ ନେଲେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ଏବଂ ଆନ୍ଦୋଳନ ପାଇଁ ମଧ୍ୟ ସଜବାଜ ହେଉଥିବା ଚେତାବନୀ ଦେଇଛନ୍ତି ଆଶାୟୀ ପ୍ରାର୍ଥିନୀଙ୍କ ଅଭିଭାବକ ।

Leave A Reply

Your email address will not be published.