ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ ଶନିବାର ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନଙ୍କୁ ଅସମ୍ମାନ କରିଥିବା ଅଭିଯୋଗ କରି ଏକ ସାମ୍ୱାଦିକ ସମ୍ମିଳନୀ ସ୍ଥାନୀୟ ପୌର ପରିଷଦ ସମ୍ମିଳନୀ କକ୍ଷରେ ନିଜେ କରିଛନ୍ତି ।
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ସୂଚନା ବିଭାଗର ଅଧିକାରୀ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍କଳ ଦିବସରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ତହସିଲଦାର ଡ. ଲଳିତ ବାଗ, ପୌର ପରିଷଦ ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିଗଣ ପ୍ରଥମେ ଓଡ଼ିଶାର ବୀରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ଜଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା କାର୍ଯ୍ୟ ଆରମ୍ଭ ହେବା ପରେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ନିଜକୁ ଅସମ୍ମାନ କରିଥିବା ଅଭିଯୋଗ କରି ମଞ୍ଚ ଉପରକୁ ନ ଚଢ଼ି ସଭାସ୍ଥଳ ପରିତ୍ୟାଗ କରି ଚାଲି ଯାଇଥିଲେ । ଏହାର କାରଣ ହେଲା ପ୍ରଥମେ ଉପଜିଲ୍ଲାପାଳଙ୍କୁ ମୁଖ୍ୟ ଅତିଥି ଭାବେ ମଞ୍ଚକୁ ନିମନ୍ତ୍ରିତ କରିବା ପରେ ତା’ପରେ ପୌରାଧ୍ୟକ୍ଷା ମମତା ଜୈନଙ୍କୁ ମଞ୍ଚକୁ ଡକା ନ ଯାଇ ପୌର ଉପଧ୍ୟକ୍ଷାଙ୍କୁ ପ୍ରଥମେ ଡାକିବାରୁ ସେ ସଭା ସ୍ଥଳ ଛାଡ଼ି ଚାଲି ଆସିଥିଲେ । ଅନ୍ୟ ପଟେ ଦେଖିବାକୁ ଗଲେ ନିମନ୍ତ୍ରଣ ପତ୍ରରେ ଅତିଥିମାନଙ୍କ ତାଲିକା ଭିତରେ ପୌର ଉପାଧ୍ୟକ୍ଷାଙ୍କ ନାମ ନ ଥିଲା । ତେବେ ସହରର ପ୍ରଥମ ନାଗରିକଙ୍କୁ ଅସମ୍ମାନ କରିବା ନେଇ ସରକାରଙ୍କ କାର୍ଯ୍ୟକ୍ରମରେ ପ୍ରଶାସନ ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଥିବା ଭଳି ତାଙ୍କୁ ଜାଣିଶୁଣି ହତାଦର କରୁଥିବା ଅଭିଯୋଗ କରିଛନ୍ତି ମମତା ଦେବୀ ଜୈନ ।
ଏହାକୁ କେନ୍ଦ୍ର କରି ପୌର ପରିଷଦ ସଭା ଗୃହରେ ବିଜେପି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଶାସକ ଦଳ ତାଙ୍କୁ ଜାଣିଶୁଣି ଅସମ୍ମାନ କରିବାକୁ ହୀନ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ।