jayashree

ମନରେଗାରେ ଅନିୟମିତତା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ସରକାର ଦାଦନ ସମସ୍ୟା ରୋକିବା ସହିତ ଗରିବ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଆକାରରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରି କାର୍ଯ୍ୟ କରୁଥିବା ବେଳେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ସୁଦ୍ଧା ବାରମ୍ବାର ଏପରି ଘଟଣାମାନ ଘଟୁଥିବା ଅଭିଯୋଗ ହୋଇଛି । ମନରେଗା ଯୋଜନାରେ ନିୟୋଜିତ ଗାଁ ସାଥି, ଜିଆରଏସ ଠାରୁ ଆରମ୍ଭ କରି ଉପରିସ୍ଥ ପର୍ଯ୍ୟନ୍ତ ଏହି ଦୁର୍ନୀତିରେ ସାମିଲ ହେଉଥିବା ସାଧାରଣରେ ଆଲୋଚନା ହେଉଛି । ଯାହା ଫଳରେ ଗରିବ, ଖଟିଖିଆମାନେ ଉଚିତ ପ୍ରାପ୍ୟ ନ ପାଇ ମନରେଗା ଯୋଜନାରେ ଭରଷା ନ କରି ଦାଦନ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏଭଳି ଆଉ ଏକ ଘଟଣା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତର ଧୁନକେଡା ଗ୍ରାମରେ ଘଟିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଏହି ଧୁନକେଡା ଗ୍ରାମରେ ମନରେଗା ଯୋଜନା ତରଫରୁ ଗତ ୨୦୨୧/୨୨ ମସିହାରେ ଏକ ନୂତନ ପୋଖରୀ ଖୋଲା ପାଇଁ ୧୦ ଲକ୍ଷ ଟଙ୍କାର ଫାଇଲ ଖୋଲା ଯାଇ ଏକ ଅନାବଶ୍ୟକ ପଡିଆ ଜାଗାରେ ପୋଖରୀ ଖୋଲା ହୋଇଥିବା ବେଳେ ଏଥିରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ଦୀର୍ଘ ୧ ବର୍ଷରୁ ଅଧିକ ହେବ ତାଙ୍କର ପାଉଣା ମିଳୁ ନଥିବାରୁ ଶ୍ରମିକମାନେ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସଇଁତଲା ବିଡ଼ିଓଙ୍କ ଠାରେ ଅଭିଯୋଗ କରି ଆସୁଛନ୍ତି । କିନ୍ତୁ ଅପରପକ୍ଷରେ ତାଙ୍କର ବକେୟା ପ୍ରାପ୍ୟକୁ ଭୁଲିଯିବା ପାଇଁ ଉକ୍ତ ପଞ୍ଚାୟତରୁ ବଦଳି ହୋଇଥିବା ଜିଆରଏସ କହୁଥିବାରୁ ଶ୍ରମିକମାନେ ସାମ୍ୱାଦିକମାନଙ୍କ ଠାରେ ଅଭିଯୋଗ କରିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ, ଉକ୍ତ ପଡିଆ ଜମିରେ କେଉଁ ଉର୍ଦ୍ଦେଶ୍ୟ ନେଇ ଓ କାହା ସ୍ୱାର୍ଥରେ ଏପରି ସରକାରୀ ଅର୍ଥକୁ ଅପବ୍ୟୟ କରାଯାଇଛି ତାହା ଗ୍ରାମବାସୀଙ୍କୁ ସନ୍ଦେହ ହେବା ପରେ ଗ୍ରାମବାସୀ ଉକ୍ତ କାର୍ଯ୍ୟକୁ ଅଧା ବାଟରେ ବନ୍ଦ କରିଦେଇଛନ୍ତି । ଏପରିକି ସେହି ପୋଖରୀ ଖନନରେ ମାଟିକାମ ନ କରି ଗାର୍ଡୱାଲ ନିର୍ମାଣ କରି ମୋଟା ଅଙ୍କର ଟଙ୍କା ଆତ୍ମସାତ କରିବା ପାଇଁ ଉଦ୍ୟମ ହୋଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଏଭଳି ଏକ ପଡିଆ ଜମିରେ ଏକ ପୋଖରୀ ଖନନ ପାଇଁ ବୈଷୟିକ ଅନୁମତି ଦିଆଗଲା ଓ ସେଠାରେ କି ଆବଶ୍ୟକ ଥିଲା ତାହା ତଦନ୍ତ ସାପେକ୍ଷ ବୋଲି ଶ୍ରମିକମାନେ ଦାବୀ କରିଛନ୍ତି । ଏ ନେଇ ବ୍ଲକ ନିର୍ବାହୀ ସହକାରୀ ଯନ୍ତ୍ରୀ ସନ୍ତୋଷ ବେହେରାଙ୍କୁ ପଚାରିବାରୁ ଏପରି ଅଭିଯୋଗ ଶୁଣିଛି । ଯଦି ଶ୍ରମିକମାନେ ଟଙ୍କା ପାଇ ନାହିଁ ତାହା ହେଲେ ଗାଁ ସାଥି କାମ ଆରମ୍ଭ କରନ୍ତୁ ତାପରେ ଟଙ୍କା ପକାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏଥି ସହ ଶ୍ରମିକମାନଙ୍କ ବକେୟା ମଜୁରୀ ଟଙ୍କା ତୁରନ୍ତ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରମିକ ବଳିଷ୍ଠ ଛତ୍ରିଆ, ତ୍ରିଲୋଚନ ସୁନା, ଜିତେନ୍ଦ୍ର ଛାତ୍ରିଆ, କୈଳାଶ ଛତ୍ରିଆ, ଚନ୍ଦ୍ରଦ୍ୱୟ ଛତ୍ରିଆ, ଧନନ୍ତରି ଯାନୀ, ମୁରଲୀ ଭୋଇ, ଗୋପୀ ଭୋଇ, ପ୍ରତାପ ମାଝୀ, ବିଜୟ ଛତ୍ରିଆ, ପିତାଅମ୍ବର କୁଳିଆ, କୈଳାଶ ବଗର୍ତ୍ତି, ପ୍ରଫୁଲ୍ଲ ବାଗ, ହଲୁ ବଗର୍ତ୍ତି, ମହେନ୍ଦ୍ର ବଗର୍ତ୍ତି, ବ୍ରଜ ମନହିରା ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.