ସିନାପାଲି ମହାବିଦ୍ୟାଳୟକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳର ସର୍ବପୁରାତନ ମହାବିଦ୍ୟାଳୟ ହେଉଛି ସିନାପାଲି ମହାବିଦ୍ୟାଳୟ । ଏଠାରେ ପ୍ରାୟ ଛଅ ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ଏହି ମହାବିଦ୍ୟାଳୟରେ ୧୩ ଜଣ ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ଥିବା ବେଳେ ୧୭ରୁ ଅଧିକ ପରିଚାଳନା କମିଟି ଦ୍ୱାରା ନିୟୋଜିତ ଅଧ୍ୟାପକ ଅଧ୍ୟାପିକା ଅଛନ୍ତି । ପୁଣି ଏଠି ଆବଶ୍ୟକ କୋଠରୀ ନଥିବା ହେତୁ ଶିକ୍ଷାଦାନରେ ଅସୁବିଧା ହୋଉଥିବାରୁ ପ୍ରାୟ ସମୟରେ ବାରଣ୍ଡାରେ ରହିଯାଉଛନ୍ତି କଲେଜ ଛାତ୍ରଛାତ୍ରୀ । ପୁଣି କେତେବେଳେ ଲେଡିଜ ହଷ୍ଟେଲର କୋଠରୀରେ ଚାଲିଛି ପାଠପଢା । ସାଇକଲ ଷ୍ଟାଣ୍ଡ, ଶ୍ରେଣୀଗୃହ ଅଭାବ, ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ଅଭାବ ଭଳି ବିଭିନ୍ନ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ସିନାପାଲି ମହାବିଦ୍ୟାଳୟରେ ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ଅଭାବ ଥିବା ବେଳେ ମହାବିଦ୍ୟାଳୟରେ ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଇତିହାସ ବିଷୟରେ ବ୍ରଜମୋହନ ଧାକଡଙ୍କ ଅନ୍ୟତ୍ର ବଦଳି ଯୋଗୁଁ ଏବେ ଇତିହାସ ବିଷୟରେ ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ତେଣୁ ଉକ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଖାଲି ସେତିକି ନୁହେଁ ଇତିହାସ, ଇଂରାଜୀ, ଓଡ଼ିଆ, ଅର୍ଥନୀତି, ରାଜନୀତି ବିଜ୍ଞାନ ବିଷୟରେ ଆବଶ୍ୟକ ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ନଥିବାରୁ ପାଠପଢ଼ାରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅଞ୍ଚଳର ସର୍ବପୁରାତନ ମହାବିଦ୍ୟାଳୟକୁ ରାଜ୍ୟ ସରକାର ଅଣଦେଖା କରୁଥିବାରୁ ସିନାପାଲି ମହାବିଦ୍ୟାଳୟର ବିକାଶ ହୋଇପାରୁ ନାହିଁ ବୋଲି କହୁଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦିଅନ୍ତୁ ବୋଲି ଦାବୀ କରିଛନ୍ତି ସ୍ଥାନୀୟ ଶାସକ ଦଳର ନେତା । ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଅଭାବ ସ୍ଵତେ କାହିଁକି ଅଧ୍ୟାପକ ବ୍ରଜମୋହନ ଧାକଡଙ୍କୁ ବଦଳି କରାଯାଇଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ସିନାପାଲି ମହାବିଦ୍ୟାଳୟରେ କେବେ ଆବଶ୍ୟକ ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତି ହେବ ଆଉ ଶ୍ରେଣୀଗୃହ ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

error: Content is protected !!