ହିତାଧିକାରୀଙ୍କ ଚାଉଳ ହଡପ୍ ଘଟଣା : ଚପାଇ ଦେବାକୁ ଉଦ୍ୟମ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ୨ମାସର ଚାଉଳ ହଡପ୍ କରିଥିବା ବେଳେ ହିତାଧିକାରୀଙ୍କୁ କିଲୋ ପିଛା ୧୦ ଟଙ୍କା ଦିଆଯାଇଥିବା ଅଭିଯୋଗ ହେଉଛି । ପଞ୍ଚାୟତ ଗୋଦାମ ଗୃହରେ ଚାଉଳ ନରଖି ଗାଁ ଗାଁର ଆବାସ ଗୃହରେ ଚାଉଳ ରଖିଥିବା ଜଣାପଡିଥିଲା । ହେଲେ ସରକାର ଦିନକୁଦିନ ନୂଆ ନୂଆ ନିୟମ ଆଇନ ଆଣୁଥିବା ବେଳେ ଏହି ପଞ୍ଚାୟତରେ ଏହାର ଅବମାନନା ହେଉଥିବା ଅଭିଯୋଗ ହେଉଛି । ହିତାଧିକାରୀଙ୍କୁ ଚାଉଳ ଦେବା ବଦଳରେ କିଲୋ ପିଛା ୧୦ ଟଙ୍କା ଦିଆଯାଉଥିବା ହିତାଧିକାରୀମାନେ ପ୍ରକାଶ କରୁଛନ୍ତି । ଉଚ୍ଚ ସ୍ତରୀୟ ଅଧିକାରୀମାନଙ୍କୁ ନଜଣାଇ ନିଜର ମନଇଚ୍ଛା କାର୍ୟ୍ୟ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ହେଲେ ଆଜିକୁ ୩ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି । ପୂର୍ବରୁ ସିନାପାଲି ବ୍ଲକରେ କିରୋସିନ ଘୋଟାଲା ହୋଇଥିବା ବେଳେ ଏବେ ପୁଣି ଚାଉଳ ଘୋଟାଲା ନୂଆପଡା ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି । ଏନେଇ ସିନାପାଲି ବ୍ଲକ ଯୋଗାଣ ଅଧିକାରୀ ଅଲେଖ ଭୋଇ ଓ ଡବ୍ଲୁଇଓ ସୂର୍ୟ୍ୟକାନ୍ତ ଭୋଇ ତଦନ୍ତରେ ଯାଇ ଫେରି ଆସିଛନ୍ତି । ହେଲେ ଉକ୍ତ ପଞ୍ଚାୟତରେ ଖୁଲମ୍‌ଖୁଲ୍ଲା ଆଇନ ଉଲଂଘନ କରୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ଜାଣିଶୁଣି ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ଏହି ପଞ୍ଚାୟତରେ ଚାଉଳ ଷ୍ଟକ୍ ନଥିବା ଦେଖାଇ ଖସି ଯିବାକୁ ନିଜ ନିଜର ଉଦ୍ୟମ ଚଲାଇଥିବା ଜଣାପଡୁଥିବା ବେଳେ ହିତାଧିକାରୀଙ୍କୁ କାର୍ଡ ପ୍ରତି ୫ଶହ ଟଙ୍କା ବଣ୍ଟନ କରିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ କାଗଜ ପତ୍ରକୁ ପୁଂଖାନୁପୁଂଖ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି । ଏନେଇ ସିନାପାଲି ବିଡିଓ ସଦାଶିବ ନାଏକଙ୍କୁ ପଚାରିବାରୁ ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.