ରାଉରକେଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା – ୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : “ରୁହନ୍ତୁ. ଯାଞ୍ଚ କରନ୍ତୁ. ସୁରକ୍ଷିତ ରୁହନ୍ତୁ” ସ୍ଲୋଗାନକୁ ନେଇ ରାଉରକେଲା ପୋଲିସ୍ ପକ୍ଷରୁ ଆଜି ସିଭିକ୍ ସେଣ୍ଟର୍ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶୁଭାରମ୍ଭ କରାଯାଇଛି ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫ । ଏହି ଉତ୍ସବ ଆରମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ । ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ସୁନ୍ଦରଗଡ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ, ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀ ଏବଂ ପୋଲିସ୍ ପ୍ରଶାସନର ବରିଷ୍ଠ ଅଧିକାରୀ । ବର୍ତ୍ତମାନର ସାଇବର ଠକେଇକୁ ନେଇ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ସାଇବର ଠକେଇ କିପରି ଭାବରେ ହେଉଛି ସେ ବିଷୟରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସେଥିମଧ୍ୟରେ ଡିଜିଟାଲ ଆରେଷ୍ଟ ଠକେଇ ଅନ୍ୟତମ । ଏହି ଠକେଇରେ ପୀଡିତଙ୍କୁ ପୋଲିସ୍, ସିବିଆଇ କିମ୍ବା କୋରିଅର ସେବାର ଅଧିକାରୀ କହି ଏକ କଲ୍ ଆସିଥାଏ ଏବଂ କୌଣସି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ କରାଯାଏ । ଠକମାନେ ପୀଡ଼ିତଙ୍କୁ ଏକ ଭିଡିଓ କଲରେ ରହିବାକୁ ବାଧ୍ୟ କରନ୍ତି, ଜାମିନ କିମ୍ବା ଯାଞ୍ଚ ପାଇଁ ଟଙ୍କା ମାଗିଥାନ୍ତି ଏବଂ ଟଙ୍କା ନ ଦେଲେ ଗିରଫ କରିବାର ଧମକ ଦିଅନ୍ତି । ନିବେଶ ଏବଂ ଟ୍ରେଡିଂ ଠକେଇ, ଏଥିରେ ଠକମାନେ ହ୍ଵାଟ୍ସଆପ୍ କିମ୍ବା ଟେଲିଗ୍ରାମ୍ ଗ୍ରୁପ୍ କିମ୍ବା ସୋସିଆଲ୍ ମିଡିଆ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଷ୍ଟକ୍ ଟ୍ରେଡିଂ, କ୍ରିପ୍ଟୋ କରେନ୍ସି କିମ୍ବା ପାର୍ଟ-ଟାଇମ୍ ଚାକିରିରେ ଅଧିକ ଲୋଭର ପ୍ରତିଶ୍ରୁତି ଦେଇ ଆକର୍ଷିତ କରିଥାନ୍ତି । ନକଲି ଟ୍ରେଡିଂ ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ମିଥ୍ୟା ଲାଭ ଦେଖାଯାଏ ଏବଂ ପ୍ରାରମ୍ଭିକ ଜମା ପରେ ଟଙ୍କା ଉଠାଣକୁ ବନ୍ଦ କରିଦିଆଯାଇଥାଏ । ପାର୍ସଲ କିମ୍ବା କଷ୍ଟମ୍ସ ଠକେଇ, ଏଥିରେ ପୀଡ଼ିତଙ୍କୁ କଲ୍ କରି କୁହାଯାଏ ଯେ ତାଙ୍କ ନାମରେ ଏକ ପାର୍ସଲ କଷ୍ଟମ୍ସରେ ଅଟକି ରହିଛି କିମ୍ବା ସେଥିରେ ବେଆଇନ ସାମଗ୍ରୀ ଅଟକି ରହିଛି । ଠକମାନେ ନିଜକୁ କଷ୍ଟମ୍ସ କିମ୍ବା ପୋଲିସ ଅଧିକାରୀ ବୋଲି ପରିଚୟ ଦେଇଥାନ୍ତି ଏବଂ ପାର୍ସଲ ଛଡ଼ାଇବା ପାଇଁ କ୍ଲିୟରାନ୍ସ ଚାର୍ଜ କିମ୍ବା ଜୋରିମାନା ଦାବି କରିଥାନ୍ତି । ଚତୁର୍ଥ ପ୍ରକାର ଠକେଇ ହେଲା ସେକ୍ସଟୋର୍ସନ ଫାନ୍ଦ, ଏଥିରେ ସାଇବର ଅପରାଧୀମାନେ ସୋସିଆଲ ମିଡିଆରେ ପୀଡ଼ିତଙ୍କ ସହ ଯୋଗାଯୋଗ କରନ୍ତି ଏବଂ ଏକ ବ୍ୟକ୍ତିଗତ ଭିଡିଓ କଲରେ ଯୋଗ ଦେବାକୁ ମନାଇଥାନ୍ତି । ଏହି କଲକୁ ଗୁପ୍ତରେ ରେକର୍ଡ କରାଯାଏ ଏବଂ ପରେ ସେହି ଭିଡିଓକୁ ସାର୍ବଜନୀନ କରିବାର ଧମକ ଦେଇ ଟଙ୍କା ଆଦାୟ କରାଯାଇଥାଏ । ନକଲି ଋଣ କିମ୍ବା ତତ୍କାଳ କ୍ରେଡିଟ୍ ଆପ୍, ଏଥିରେ ପୀଡ଼ିତମାନେ ଶୀଘ୍ର ବ୍ୟକ୍ତିଗତ ଋଣ ଦେବାର ପ୍ରତିଶ୍ରୁତି ଦେଉଥିବା ଆପ୍ ଡାଉନଲୋଡ଼ କରନ୍ତି । ଫୋନ୍‌ କଣ୍ଟାକ୍ଟ ଏବଂ ଫଟୋର ଆକ୍ସେସ୍ ନେବା ପରେ, ଠକମାନେ ସର୍ବସାଧାରଣରେ ଅପମାନିତ କରିବାର ଧମକ ଦେଇ ହଇରାଣ କରନ୍ତି, ବ୍ଲାକମେଲ୍ କରନ୍ତି ଏବଂ ଟଙ୍କା ଆଦାୟ କରନ୍ତି । ନକଲି ପରିଚୟ ଏବଂ ଓଟିପି ମାଧ୍ୟମରେ ଠକେଇ, ଏହି ସାଇବର ଠକେଇରେ ଠକମାନେ ନିଜକୁ ବ୍ୟାଙ୍କ ଅଧିକାରୀ, ସରକାରୀ ଏଜେଣ୍ଟ କିମ୍ବା ଡେଲିଭରି କର୍ମଚାରୀ କହି ଓଟିପି କିମ୍ବା ବ୍ୟକ୍ତିଗତ ବିବରଣୀ ହାସଲ କରିବାକୁ ଚେଷ୍ଟା କରିଥାନ୍ତି । ଏହା ପାଇବା ପରେ, ସେମାନେ ଆକାଉଣ୍ଡରୁ ଟଙ୍କା ଖାଲି କରିଦିଅନ୍ତି କିମ୍ବା ଡିଭାଇସକୁ ଠିକ୍ ସେବା ସହିତ ଲିଙ୍କ୍ କରିଦିଅନ୍ତି । ଚାକିରି ଏବଂ ଘରୁ କାମ କରିବାର ଠକେଇ, ଏଥିରେ ପୀଡ଼ିତମାନଙ୍କୁ ଅଧିକ ଦରମାରେ ସହଜ ଅନଲାଇନ୍ କାମର ଅଫର୍ ଦିଆଯାଏ । ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଥମେ କିଛି ଟଙ୍କା ଦିଆଯାଏ, କିନ୍ତୁ ପରେ ଠକମାନେ ସୁରକ୍ଷା ଜମା କିମ୍ବା ସଦସ୍ୟତା ଶୁକ୍ଳ ମାଗି ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି । ଇ-କମର୍ସ ରିଫଣ୍ତ କିମ୍ବା ଅଫର୍ ଠକେଇ, ଏଥିରେ ପୀଡ଼ିତମାନଙ୍କୁ ରିଫଣ୍ତ, କ୍ୟାସବ୍ୟାକ୍ ଅଫର୍ କିମ୍ବା ଅର୍ଡର ବାତିଲ ବିଷୟରେ ନକଲି କଲ୍‌ କିମ୍ବା ମେସେଜ୍ ଆସିଥାଏ । ଠକମାନେ ମାଲିସିୟସ୍ ଲିଙ୍କ୍ ପଠାଇଥାନ୍ତି କିମ୍ବା ବ୍ୟାଙ୍କ ବିବରଣୀ ମାଗିଥାନ୍ତି, ଯାହାଦ୍ୱାରା ଅନଧିକୃତ ଭାବେ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ । ଏହି ସମସ୍ତ ସାଇବର ଠକେଇରୁ ବର୍ତ୍ତିବା ପାଇଁ ବକ୍ତାମାନେ ପ୍ରତିଦିନ ସାଇବର ସୁରକ୍ଷା ପାଇଁ ଆବଶ୍ୟକୀୟ ସାବଧାନୀ ଆପଣାଇବାକୁ ପରାମର୍ଶ ଦେଇଥିଲେ । ସେଥିମଧ୍ୟରେ ସତର୍କ ରୁହନ୍ତୁ ଏବଂ ମୋବାଇଲରେ କ୍ଲିକ୍ କରିବା ପୂର୍ବରୁ ଭାବିବାକୁ ସତର୍କ କରାଇଥିଲେ । ଓଟିପି, ପିନ୍ କିମ୍ବା ବ୍ୟାଙ୍କିଂ ପାସୱାର୍ଡ କେବେ ବି କାହାକୁ ସେୟାର କରନ୍ତୁ ନାହିଁ । ଏପରିକି ଯଦି କେହି ନିଜକୁ ଆପଣଙ୍କ ବ୍ୟାଙ୍କ କିମ୍ବା ପୋଲିସର କର୍ମଚାରୀ ବୋଲି କହୁଥାନ୍ତି, ତାଙ୍କୁ ମଧ୍ୟ ସେୟାର କରନ୍ତୁ ନାହିଁ । ସନ୍ଦେହଜନକ ଲିଙ୍କ୍ ଉପରେ କ୍ଲିକ୍ କରିବା କିମ୍ବା ଅଜଣା ଫାଇଲ୍ ଡାଉନଲୋଡ୍ କରିବା ଠାରୁ ଦୂରେଇ ରହିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ଆପଣଙ୍କ ଡିଭାଇସକୁ ସୁରକ୍ଷିତ ରଖନ୍ତୁ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ପାଇଁ ଶକ୍ତିଶାଳୀ, ସ୍ଵତନ୍ତ୍ର ପାସୱାର୍ଡ ବ୍ୟବହାର କରନ୍ତୁ ଏବଂ ଟୁ-ଫ୍ୟାକ୍ଟର୍‌ ଅଥେଣ୍ଟିକେସନ୍‌(୨ଏଫ୍‌ଏ) ସକ୍ଷମ କରନ୍ତୁ । ଆପଣଙ୍କ ଫୋନ୍‌ ଆପ୍ ଏବଂ ଆଣ୍ଟିଭାଇରସ୍ ସଫ୍ଟୱେରକୁ ସର୍ବଦା ଅପଡେଟ୍ ରଖନ୍ତୁ । ସୁରକ୍ଷିତ ବ୍ୟାଙ୍କିଙ୍ଗ୍ ଅଭ୍ୟାସ, ଇ-ମେଲ କିମ୍ବା ମେସେଜରେ ଆସିଥିବା ଲିଙ୍କରେ କ୍ଲିକ କରିବା ପରିବର୍ତ୍ତେ, ସବୁବେଳେ ଆପଣଙ୍କ ବ୍ୟାଙ୍କ କିମ୍ବା ପେମେଣ୍ଟ ଆପର୍ ଠିକଣା (ୟୁଆର୍‌ଏଲ୍‌) ନିଜେ ଟାଇପ କରନ୍ତୁ । ଟ୍ରାଞ୍ଜାକସନ ଆଲର୍ଟ (କାରବାର ସମ୍ବନ୍ଧୀୟ ସୂଚନା) ସକ୍ଷମ କରନ୍ତୁ ଏବଂ ନିୟମିତ ଭାବେ ଆକାଉଣ୍ଟ ଷ୍ଟେଟମେଣ୍ଟ ଯାଞ୍ଚ କରନ୍ତୁ । ସୋସିଆଲ ମିଡିଆରେ ସତର୍କତା, ଆପଣ ସାର୍ବଜନୀନ ଭାବେ ସେୟାର କରୁଥିବା ବ୍ୟକ୍ତିଗତ ତଥ୍ୟକୁ ସୀମିତ ରଖନ୍ତୁ । ଅଜଣା ବ୍ୟକ୍ତିଙ୍କ ଠାରୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ଭିଡିଓ କଲ୍ କିମ୍ବା ମେସେଜ୍ ପ୍ରତି ସାବଧାନ ରୁହନ୍ତୁ । ଏହା ବ୍ଲାକମେଲ୍ କରିବାର ଏକ ପ୍ରୟାସ ହୋଇପାରେ ବୋଲି ବକ୍ତାମାନେ ସୂଚନା ଦେଇଥିଲେ । କଲ୍ ଏବଂ ମେସେଜ୍ ସଚେତନତା, ସରକାର, ପୋଲିସ ଏବଂ ବ୍ୟାଙ୍କ୍ କେବେବି ପରିଚୟ ଯାଞ୍ଚ ପାଇଁ ଟଙ୍କା, ଓଟିପି କିମ୍ବା ଭିଡିଓ କଲ୍ ପାଇଁ କୁହନ୍ତି ନାହିଁ । ଯଦି କୌଣସି କଲ୍ କରୁଥିବା ବ୍ୟକ୍ତି ଗିରଫ କରିବାର ଧମକ ଦିଏ କିମ୍ବା ଟଙ୍କା ଦାବି କରେ, ତୁରନ୍ତ କଲ୍ କାଟି ଦିଅନ୍ତୁ ଏବଂ ପୋଲିସକୁ ଜଣାନ୍ତୁ । ସୁରକ୍ଷିତ ଅନଲାଇନ୍ ସପିଂ କରିବାକୁ ହେଲେ କେବଳ ଭେରିଫାଏଡ୍ (ଯାଞ୍ଚ ହୋଇଥିବା) ଇ-କମର୍ସ ପ୍ଲାଟଫର୍ମରୁ ସପିଂ କରନ୍ତୁ । ଅଜଣା ବିକ୍ରେତାଙ୍କୁ ଆଗୁଆ ଟଙ୍କା ଦିଅନ୍ତୁ ନାହିଁ କିମ୍ବା ଯେଉଁ ଅଫର୍ ବିଶ୍ୱାସ କରିବାକୁ କଷ୍ଟ ଲାଗୁଥାଏ, ତାହାଠାରୁ ଦୂରେଇ ରହିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । କୌଣସି କମ୍ପାନୀ, ଚାକିରି ଅଫର୍ ଏବଂ ନିବେଶ ପ୍ଲାଟଫର୍ମ ସହିତ ଜଡ଼ିତ ହେବା ପୂର୍ବରୁ ସେମାନଙ୍କ ପ୍ରୋଫାଇଲକୁ ଭଲ ଭାବେ ଯାଞ୍ଚ କରନ୍ତୁ । ମେସେଜରେ ଆସିଥିବା ନମ୍ବର ପରିବର୍ତ୍ତେ ସିଧାସଳଖ କମ୍ପାନୀର ଅଫିସିଆଲ୍ ୱେବସାଇଟରୁ କଷ୍ଟମର୍-କେୟାର୍ ନମ୍ବର ବାହାର କରି ଯୋଗାଯୋଗ କରନ୍ତୁ । କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ଆର୍ଥିକ କ୍ଷତି ହେଲେ, ଗୋଲ୍ଡେନ୍ ଆୱାର୍ (ପ୍ରଥମ ଘଣ୍ଟା) ମଧ୍ୟରେ ଜାତୀୟ ସାଇବର୍‌ ହେଲ୍ସଲାଇନ୍ ୧୯୩୦ରେ କଲ୍ କରି ଜଣାନ୍ତୁ କିମ୍ବା ଷଗ୍ଧଗ୍ଧକ୍ଟ୍ରଗ୍ଦ://ମଚ୍ଚଭରକ୍ସମକ୍ସସଜ୍ଞର.ଶକ୍ଟଙ୍ଖ.ସଦ୍ଭରେ ଇ-ମେଲ କରିବାକୁ ଆଜିର ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫ରେ ବକ୍ତାମାନେ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଅକ୍ଟୋବର ୧୮ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ସଚେତନତା ଅଭିଯାନ ଲୋକଙ୍କୁ ସଚେତନ କରାଇବ । ଉପସ୍ଥିତ ବୁଦ୍ଧି ନଥିବା ଲୋକଙ୍କୁ ସାଇବର ଠକ ଠକୁଛନ୍ତି ବୋଲି ବିଧାୟକ ଶ୍ରୀ ତନ୍ତୀ କହିବା ସହିତ ପ୍ଲାଷ୍ଟିକର ବର୍ଜନ ଏବଂ ନଦୀରେ ଛାତ୍ର ଛାତ୍ରୀ ନ ଗାଧୋଇବାକୁ ପରାମର୍ଶ ଦେଇଥିଲେ । ସୁନ୍ଦରଗଡ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସାଇବର କ୍ରାଇମ୍ ଦ୍ୱାରା ଲୋକମାନେ ଯେଉଁ ଭଳି ଶୀକାର ହେଉଛନ୍ତି, ସେମାନେ ଏହି ସଚେତନତା ଯୋଗୁଁ ସଚେତନ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି ସଚେତନତା ଦ୍ୱାରା ଛାତ୍ର ଛାତ୍ରୀ, ନିଜେ ସତର୍କ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରାଇବେ । ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଏହି ସଚେତନତା ଅଭିଯାନ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ନିଜର ପରିଚୟ ପତ୍ର ସହିତ ନିଜର ବ୍ୟକ୍ତିଗତ ବିବରଣୀ କାହାକୁ ନ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଏସପି ରାଜକିଶୋର ମିଶ୍ର ସ୍ୱାଗତ ଭାଷଣ, ସଭାର ଆଭିମୁଖ୍ୟ ସମ୍ପର୍କରେ ଓ ଶେଷରେ ପାନପୋଷ ଏସଡିପିଓ ରଶ୍ମିରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବିଶ୍ୱଜିତ ପରିଚାଳନା କରିଥିବା ବେଳେ ଏଥିରେ ସଚେତନତା ବାର୍ତ୍ତା ଦେବାପାଇଁ ସାୟରା ମାସ୍କଟକୁ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ସଚେତନ ନାଗରିକ, ପୁଲିସ ଅଧିକାରୀଗଣ, ବହୁ ସଂଖ୍ୟାରେ ସାମ୍ବାଦିକମାନେ ଯୋଗଦେଇ ଥିଲେ ।

Leave A Reply

Your email address will not be published.