ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଗତ ୨୦୨୩ ମସିହାରୁ ଶୁଭ ଉଦ୍ଘାଟନ ହୋଇଥିଲା । ନୀତି ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୨ ଗୋଟି ଜିଲ୍ଲା ଏବଂ ୫୦୦ ବ୍ଲକର ଦୁର୍ଗମ ଓ ଅନୁନ୍ନତ ବ୍ଲକ ମାନଙ୍କୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଭୁକ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ପାଇକମାଲ ବ୍ଲକ ମୁଖ୍ୟାଳୟ ଠାରେ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଧର୍ମଶାଳା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଭାତଫେରି ଏବଂ ମିନି ମାରାଥନ ମଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ସହ ଉଚ୍ଚ ବିଦ୍ୟାଳୟ ପରିସରରେ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ବିଭିନ୍ନ ବିଭାଗ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ୍ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଗରିବ, ଗୁବଗୋଷ୍ଠୀ, ଅନ୍ନଦାତା ଏବଂ ନାରୀଶକ୍ତିର ଯତ୍ନ ନେବା ସହ ସେମାନଙ୍କ ସମ୍ମାନ ରଖିକି ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଓ ଜିଲ୍ଲାପାଳଙ୍କ ନେତୃତ୍ୱରେ ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଠାରେ ସମ୍ପୂର୍ଣ୍ଣତା ଅଭିଯାନର ସମସ୍ତ ମାନଦଣ୍ଡ ପୂର୍ଣ୍ଣ କରି ଭାରତର ପ୍ରଥମ ବ୍ଲକ ହେବା ପାଇଁ ଲକ୍ଷ୍ୟ ରଖିବା, ତେଣୁ ଜିଲ୍ଲାର ସମସ୍ତ ଅଧିକାରୀ ତୃଣମୂଳ ସ୍ତରରେ ଯୋଗ୍ୟ ଲୋକଙ୍କୁ ଯୋଜୋନର ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ନୀତି ଆୟୋଗର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ପଟ୍ଟନାୟକ ଯୋଗଦେଇ ଏହି ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ସମଗ୍ର ବ୍ଲକର ସାମଗ୍ରିକ ବିକାଶ ପାଇଁ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିବା ବେଳେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ସମ୍ପୂର୍ଣ୍ଣତା ଅଭିଯାନ ଅନୁଯାୟୀ ପାଇକମାଲ ବ୍ଲକର ସାମଗ୍ରିକ ବିକାଶ ପାଇଁ ସମସ୍ତ ପ୍ରସ୍ତୁତି ବିଷୟରେ ବୁଝାଇ କହିଥିଲେ । ସୂଚନା ଯୋଗ୍ୟକି, ନୀତି ଆୟୋଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଦ୍ରୁତ ବିକାଶକୁ ସୁନିଶ୍ଚିତ କରିବା । ଏହି କାର୍ଯ୍ୟକ୍ରମରେ ୬ଟି ସୂଚଙ୍କା ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ବିକାଶ, ପୋଷଣ ଏବଂ କୃଷିର ବିକାଶକୁ ଗୁରୁତ୍ୱ ଦେଇ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ଅର୍ଥାତ ୯୦ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ଲକ୍ଷ୍ୟ ପାଇବା ପାଇଁ ବିଭାଗ ଅନୁଯାଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ ଏବଂ ଜିଲ୍ଲାପାଳ ପ୍ରତି ମାସ ଶେଷରେ ଅଭିଯାନର ପ୍ରଗତୀ ସମୀକ୍ଷା କରି ନୀତି ଆୟୋଗକୁ ଅବଗତ କରିବେ । ଆକାଂକ୍ଷା ଜିଲ୍ଲା ଏବଂ ବ୍ଲକ ସ୍ତରରେ ସ୍ୱାସ୍ଥ୍ୟ ଏବଂ ପୋଷକ ତତ୍ୱ ଅନ୍ତର୍ଗତ ଗର୍ଭବତୀ ମହିଳାଙ୍କ ପ୍ରସବ ପର୍ଯ୍ୟନ୍ତ ଯତ୍ନ ନେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଆଧାରିତ ତଥ୍ୟ ସଂଗ୍ରହ କରାଯିବ । କୃଷି କ୍ଷେତ୍ରରେ ସମସ୍ତ ଚାଷୀଙ୍କୁ ସୋଏଲ୍ ହେଲଥ୍ କାର୍ଡ ବିତରଣ ନିମନ୍ତେ ପ୍ରାଧାନ୍ୟ ଦିଆଯିବ । ସେହିଭଳି ୯ରୁ ୧୨ ମାସର ଶିଶୁଙ୍କୁ ଦିଆଯାଉଥିବା ଟୀକାର ବିବରଣୀ ଲିପିବଦ୍ଧ କରାଯିବ । ବିଦ୍ୟାଳୟ ଗୁଡିକରେ ବିଜୁଳୀ ସଂଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ସାମଗ୍ରୀ ଉପଲବ୍ଧ କରାଯିବା ଭଳି ବିଭିନ୍ନ ମାନଦଣ୍ଡର ପ୍ରଗତୀ ତଦାରଖ କରାଯିବ ଏବଂ ମଧୁମେହ, ଉଚ୍ଚ ରକ୍ତଚାପ ପରୀକ୍ଷା କରୁଥିବା ଲୋକଙ୍କ ବିବରଣୀ ଲିପିବଦ୍ଧ କରିବା ସହ ରିଭଲଭିଙ୍ଗ ଫୋଣ୍ଡ ପ୍ରାପ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ସମୀକ୍ଷା କରାଯିବ । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଆଦି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ, ଛାତ୍ରଛାତ୍ରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।