- ” ମା ପାଇଁ ଗଛ ଟିଏ -୨.୦ “
ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦା ସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ ପଡିଆଠାରେ ଜିଲ୍ଲା ଆରକ୍ଷୀ ବିଭାଗ ଏବଂ ଜିଲ୍ଲା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ ଅଭିଯାନ -୨୦୨୫ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ବାରିପଦା ବନଖଣ୍ଡ ଅଧିକାରୀ ଉମା ମହେଶ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଗୁଣ୍ଟୁପାଲ୍ଲୀ କହିଥିଲେ ଯେ ଏହି ବୃକ୍ଷ ରୋପଣ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୟୁରଭଞ୍ଜକୁ ଏକ ସବୁଜ ସୁନ୍ଦର ଜିଲ୍ଲା ଭାବେ ଗଢିବା ତୋଳିବା ସହିତ ସ୍ୱାସ୍ଥ୍ୟ ଉପଯୋଗୀ ସୁନ୍ଦର ପରିବେଶ ସୃଷ୍ଟି କରିବା । ସେହିପରି ବନଖଣ୍ଡ ଅଧିକାରୀ କହିଥିଲେ ଯେ ଯଶ୍ଵସ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ସାରା ଭାରତ ବର୍ଷକୁ ସବୁଜ ବଳୟ ଭିତରେ ରଖି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ “ମା ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ ଜାରି ରହିଛି । ଏବର୍ଷ ୭୬ ତମ ବନ ମୋହତ୍ସବ ଅବସରରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଚାଲିଛି । ବୃକ୍ଷ ରୋପଣର ମୁଖ୍ୟ ଲକ୍ଷ୍ୟ ହେଉଛି ଜଙ୍ଗଲ ସୃଷ୍ଟି ସହିତ ଉତ୍ତମ ପରିବେଶ ସୃଷ୍ଟି କରିବା । ବଂଚିବା ପାଇଁ ପ୍ରାଣୀ ଜଗତର ମୌଳିକ ଆବଶ୍ୟକତା ଅମ୍ଳଜାନ ବୃକ୍ଷ ହିଁ ଯୋଗାଇ ଥାଏ ଏବଂ ଏନ୍ତୁଡ଼ି ଶାଳରୁ ଜୁଇ ପର୍ଯ୍ୟନ୍ତ କାଠର ଆବଶ୍ୟକତା ବିଷୟରେ ସମସ୍ତେ ଜାଣିଥିବେ । ତେଣୁ ପ୍ରକୃତିକୁ ସଂରକ୍ଷଣ କରି ଶକ୍ତି ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହା ଛଡା ଯଦି ଧର୍ମ ଆଧାରରେ ବିଚାର କରିବା ତେବେ ଆମେ ବୃକ୍ଷକୁ “ବୃକ୍ଷ ଦେବୋ ଭଵଃ” ବୋଲି କହି ତୁଳସୀ, ବେଲ, ବର, ଅଶ୍ୱସ୍ତ ଅଶୋକା, ଅଁଳା ଆଦି ବିଭିନ୍ନ ବୃକ୍ଷକୁ ପୂଜା କରିଥାଉ । ପ୍ରତ୍ୟେକ ଲୋକର ଜନ୍ମ ସହିତ ଗୋଟିଏ ରାଶି ରହିଥାଏ ଏବଂ କେଉଁ ରାଶିର ଲୋକ କେଉଁ ଗଛ ଲଗାଇଲେ ଏହାର ପ୍ରଭାବରେ ତା’ଙ୍କ ଜୀବନର ଗତିପଥ ସୁଗମ ହୋଇଥାଏ ସେ ବିଷୟରେ ଉପସ୍ଥାପନ କରିଥିଲେ । ସେହିପରି ପରିବେଶବିତ ଶ୍ୟାମ ସୁନ୍ଦର ଦାଶ, ଗଛଟିଏ ଲଗାଇବା ସହିତ ଗଛଟିକୁ ବଞ୍ଚାଇ ରଖିବା ପାଇଁ ଉପଯୁକ୍ତ ଯତ୍ନ ସହ ଏହାର ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ସୁନ୍ଦର ବାୟୁମଣ୍ଡଳ ସୃଷ୍ଟି କରିବା ପାଇଁ ଗଛ ଲଗାଇବା ତଥା ପରିବେଶକୁ ଦୂଷିତ ନକରିବା ଉଦ୍ଦେଶ୍ୟରେ ଉପସ୍ଥିତ ସମସ୍ତେ ସାମୁହିକ ଶପଥ ପାଠ କରିଥିଲେ । ଏହାପରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଅନ୍ୟାନ୍ୟମାନଙ୍କ ଦ୍ୱାରା ରିଜର୍ଭ ପୋଲିସ ପଡିଆ ପରିସରରେ କିଛି ବୃକ୍ଷ ରୋପଣ କରାଯାଇଥିଲା ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଓ ବନ ବିଭାଗର ବିଭିନ୍ନ ପଦାଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଅନେକ ସମାଜସେବୀ, ପରିବେଶବିତ, ସ୍ୱେଚ୍ଛାସେବୀ ଓ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।