jayashree

ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ହୋଇଛି । ଗତବର୍ଷ ଏହି ସମୟ ସୁଦ୍ଧା ରାଜସ୍ୱ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୩୬,୪୫୫ କୋଟି ଟଙ୍କାରେ ପହଞ୍ଚିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକ ଆଲୋଚନାରୁ ଏହା ଜଣାପଡିଛି । ଗତବର୍ଷ ଅଗଷ୍ଟ ମାସ ସୁଦ୍ଧା ଟିକସ-ରାଜସ୍ୱ ୧୪,୭୩୧ କୋଟି ଥିବା ବେଳେ ଚଳିତ ବର୍ଷ ଏହା ୧୭,୭୨୨.୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୦.୩୦ ଶତକଡା ଅଧିକ । ସେହିପରି ଅଣ-ଟିକସ ରାଜସ୍ୱ ୨୦୨୧ ଅଗଷ୍ଟ ଶେଷସୁଦ୍ଧା ୧୬,୮୧୭ କୋଟି ଥିବା ବେଳେ ୨୦୨୨ ଅଗଷ୍ଟ ଶେଷସୁଦ୍ଧା ଏହା ୧୮,୭୩୨.୬୭ କୋଟି ଟଙ୍କାରେ ପହଞ୍ଚିଛି । ଏ କ୍ଷେତ୍ରରେ ମଧ୍ୟ ପ୍ରାୟ ୧୧.୩୯ ପ୍ରତିଶତ ବୃଦ୍ଧି ଘଟିଛି । ଏହିପରି ସମୁଦାୟ ଟିକସ ଓ ଅଣ-ଟିକସ ରାଜସ୍ୱରେ ସାମଗ୍ରିକ ଭାବେ ହାରାହାରି ୧୫.୫୫ ପ୍ରତିଶତ ବୃଦ୍ଧି ହୋଇଛି । ବଜେଟ୍ ବିନିଯୋଗ ସମୀକ୍ଷାରୁ ଜଣାପଡିଥିଲା ଯେ, ୨୦୨୧ ଅଗଷ୍ଟ ମାସ ଶେଷସୁଦ୍ଧା ବିଭିନ୍ନ ଯୋଜନା ଓ ପ୍ରକଳ୍ପରେ ୧୮,୮୨୧ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଚଳିତ ବର୍ଷ ଏହି ବିନିଯୋଗ ୨୦,୨୧୧ କୋଟି ଟଙ୍କାରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.