
ଶତାବ୍ଦୀର କିମ୍ବଦନ୍ତୀ ପୁରୁଷ ବିଜୁବାବୁଙ୍କ ବୀରତ୍ଵ, ସାହସିକତା ଓ ଦକ୍ଷ ପ୍ରଶାସନିକତା ଜନମାନସରେ ଉଦ୍ରେକ ହେବା ଆବଶ୍ୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାନ ଜନନାୟକ ପ୍ରବାଦପୁରୁଷ ତଥା ଶତାବ୍ଦୀର କିମ୍ବଦନ୍ତୀ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜିଲ୍ଲାସ୍ତରୀୟ ଶ୍ରାଦ୍ଧ ଦିବସ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ସେହି ମହାନ୍ ପୁରୁଷଙ୍କ ସ୍ମୃତି ଚାରଣ କରିବା ପୂର୍ବକ ବିଜୁବାବୁଙ୍କ ବୀରତ୍ଵ, ସାହସିକତା ଓ ଦକ୍ଷ ପ୍ରଶାସନିକତା ଜନମାନସରେ ଉଦ୍ରେକ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକ (ବ୍ରହ୍ମପୁର) ରବି ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଆକାଶବାଣୀ (ବ୍ରହ୍ମପୁର) ଉଦ୍ଘୋଷକ ଅରୁଣ କୁମାର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିବା ପୂର୍ବକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ସାମ୍ବାଦିକତାଗଣ ଯୋଗାଯୋଗ ବିଭାଗର ପ୍ରଫେସର୍ ଡ଼ଃ. ଭି. ରାଜେନ୍ଦ୍ର ରାଜୁ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ ଯେ, ବିଶିଷ୍ଟ ଜନନାୟକ, ବିଜୁ ବାବୁଙ୍କ ବ୍ୟକ୍ତିତ୍ୱ ଜଣେ ସ୍ୱାଧୀନତା ସଂଗ୍ରାମୀ, ଜଣେ ସାହସୀ ଥିଲେ । ତାଙ୍କର ସାହସିକତା ପ୍ରତିଭାଶାଳୀ ଯୋଗୁଁ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ । ନିର୍ଭିକ ହେବା ପାଇଁ ଓ ଜୀବନରେ ସବୁବେଳେ ବଡ ସ୍ୱପ୍ନ ଦେଖିବା ପାଇଁ ସମସ୍ତଙ୍କୁ ସେ ପ୍ରବର୍ତ୍ତାଉ ଥିଲେ । ସମାଜକୁ ପରିବର୍ତ୍ତନ କରିବା ପାଇଁ ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପଲବ୍ଧି କରି ନିଜେ ଗୋଟିଏ ପତ୍ରିକା ପ୍ରକାଶିତ କରିଥିଲେ । ବିଜୁବାବୁଙ୍କ ମତଥିଲା “କଳିଙ୍ଗାଃ ସାହାସିକାଃ” । ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜୁବାବୁ ସଦାସର୍ବଦା ଓଡିଶାର ଉନ୍ନତି କଥା ଚିନ୍ତା କରୁଥିଲେ ବୋଲି କହିଥିଲେ । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଓଡିଶାର ନଦୀ ସଂଯୋଗୀକରଣ, ସଡକପଥର ଅଗ୍ରଗତି, ନଦୀ ସଂଯୋଗୀକରଣ, ହୀରାକୁଦ ନଦୀବନ୍ଧ, ରାଉରକେଲା ଇସ୍ପାତ କାରଖାନା ଆଦି ବିଜୁ ପଟ୍ଟନାୟକଙ୍କ ଅବଦାନ ଥିଲା ବୋଲି ତାତ୍ୱିକ ଆଲୋଚନା କରିଥିଲେ । ଷାଠିଏ ଦଶକରେ ପ୍ରଥମ ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଉତ୍ସାହର ସହିତ ଯେଉଁ ପ୍ରୟାସ କରିଥିଲେ, ତାହା ଆଜି ସ୍ମରଣୀୟ ବୋଲି କୁହାଯାଇଛି । ମହିଳା ସଶକ୍ତିକରଣ କଥା ହେଉ କିମ୍ବା ପଞ୍ଚାୟତୀରାଜ ନବ କଳେବର ତାଙ୍କରି ପ୍ରଚେଷ୍ଟା । ସେ ଜଣେ ବିଚକ୍ଷଣ ରାଜନେତା ଥିଲେ । ତାଙ୍କ ମତରେ ପଞ୍ଚାୟତୀରାଜ ବ୍ୟବସ୍ଥା ହେଉଛି ଭାରତୀୟ ଗଣତନ୍ତ୍ରର ମୁଖ୍ୟ ଆଧାର । ସମ୍ପର୍କରେ ବିଜୁବାବୁଙ୍କ ଅବଦାନ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଛତ୍ରପୁର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟକ୍ଷ, ଅଧ୍ୟକ୍ଷା, ଗଣ ମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।