ଘାଟିରେ ଟ୍ରାକ୍ଟର ଓଲଟି ଚାଳକ ଓ ହେଲ୍ପର ଗୁରୁତର : ଦୁଇଘଣ୍ଟା ଧରି ରାସ୍ତା ଅବରୋଧ

ଦାରିଙ୍ଗବାଡି, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ- ବ୍ରହ୍ମପୁର ମୁଖ୍ୟରାସ୍ତା ଝିଞ୍ଜିରିଗୁଡ଼ା ନିକଟ ବାଡୁନ ଘାଟି ବୁଲାଣିରେ ଅପରାହ୍ନରେ ଏକ ଟ୍ରାକ୍ଟର ଭାରସାମ୍ୟ ହାରାଇ ଓଲଟି ପଡିବା ଫଳରେ ଚାଳକ ସହ ହେଲ୍ପର ଗୁରୁତର ହୋଇଛନ୍ତି । ସେମାନେ ହେଲେ ଡ୍ରାଇଭର କୁମ୍ଭାରୀ ଗାଁ ପଞ୍ଚାୟତ ଅନ୍ତର୍ଗତ ରାଜନଗଡ଼ ଗ୍ରାମର କର୍ନେଲିୟ ଶବର (୪୪) ଓ ଅଡବା ଥାନା ଅନ୍ତର୍ଗତ ପଣସଡିହ ଗ୍ରାମର ସନ୍ତୋଷ ମଣ୍ଡଳ (୧୫) । ଦୁହେଁ ଟ୍ରାକ୍ଟର ଯୋଗେ ପାଣିଗଣ୍ଡାରୁ ନିଜ ଗ୍ରାମ ରାଜନଗଡ଼କୁ ଯାଉଥିବା ବେଳେ ଝିଞ୍ଜିରିଗୁଡା ନିକଟ ବାଡ଼ୁନୁଘାଟି ବୁଲାଣିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡ଼ିଥିଲା । ଦୁହେଁ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚାଳକ କର୍ଣ୍ଣେଲିୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସନ୍ତୋଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିରଥିବା ଜଣାପଡ଼ିଛି । ବ୍ରାହ୍ମଣୀଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଜାରି ରଖୁଛି । ଜେସିବି ମାଧ୍ୟମରେ ରାସ୍ତା ଉପରୁ ଟ୍ରାକ୍ଟର ହଟାଯାଇଛି । ମୁଖ୍ୟ ରାସ୍ତା ମଝିରେ ଟ୍ରାକ୍ଟର ଓଲଟି ପଡ଼ିଥିବାରୁ ଯାନବାହନ ଚଳାଚଳ ଦୁଇଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.