ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଲାଣି । ତା’ସାଙ୍ଗକୁ ଠିକ୍ ସମୟରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ହେଉ ନଥିବାରୁ ମହିଳାଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା । ଆଜି ପୂର୍ବାହ୍ନ ୧୧ଟାରେ ଲୋଇସିଂହା ସହରର ଶତାଧିକ ମହିଳା ଗରା, ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଥିଲେ । ନିରନ୍ତର ତଥା ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ଦାବୀରେ ସେମାନେ ୨୬ ନଂ ଜାତୀୟ ରାଜପଥକୁ ଦୀର୍ଘ ଅଢେଇ ଘଣ୍ଟାରୁ ଅଧିକ ସମୟ ଧରି ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିବା ସହିତ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ପାଇ ଲୋଇସିଂହା ବିଡ଼ିଓ ଆକାଶ ରଞ୍ଜନ ସାହୁ, ସରପଞ୍ଚ ନବକିଶୋର ନାଏକ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା । ଜଳସ୍ତର ନିମ୍ନଗାମୀ ହେବା ସହିତ ଲୋଇସିଂହା ସହରକୁ ଜଳ ଯୋଗାଣ ହେଉଥିବା ଫାସଡ଼ ସ୍ଥିତ ଇଣ୍ଟେକ ୱେଲରେ ପର୍ଯ୍ୟାପ୍ତ ପାଣି ହେଉ ନ ଥିବାରୁ ପ୍ରତିଦିନ ସହରକୁ ଜଳଯୋଗାଣ ସମ୍ଭବ ହୋଇପାରୁ ନ ଥିବା ପ୍ରକାଶ କରି ପ୍ରଶାସନ ନିଜର ଅସହାୟତା ପ୍ରକାଶ କରିଥିଲା । ଏପଟେ ମହିଳାମାନେ ମଧ୍ୟ ନିଜ ଜିଦରେ ଅଟଳ ରହି ରାସ୍ତା ଉପରୁ ହଟି ନ ଥିଲେ । ପରେ ଲୋଇସିଂହା ଥାନାର ନୂତନ ଆଇଆଇସି ଯାଜ୍ଞସେନୀ ନାୟକ, ତହସିଲଦାର ସଂଘମିତ୍ରା କାଲୋ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ମହିଳାମାନେ ନିଜ ଜିଦ୍ରେ ଅଟଳ ରହିଥିଲେ । ପରିସ୍ଥିତି କ୍ରମଶଃ ଗମ୍ଭୀର ହେବାକୁ ଲାଗିଥିବା ବେଳେ ବଲାଙ୍ଗିରରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚିଥିଲେ । ବର୍ତ୍ତମାନ ପାଣି ନିଅଣ୍ଟ ହେଉଥିବା ଦୃଷ୍ଟିରୁ ଟେଙ୍କର ଯୋଗେ ଜଳ ଯୋଗାଣ କରାଯିବ । ପରେ ସ୍ଥିତି ସ୍ୱାଭାବିକ ହେଲେ ପ୍ରତି ଦୁଇଦିନରେ ଥରେ ଜଳ ଯୋଗାଣ କରାଯିବ ବୋଲି ବିଡ଼ିଓ ଲିଖିତ ପ୍ରତିଶୃତି ଦେବା ପରେ ପ୍ରାୟ ଅଢେଇ ଘଣ୍ଟା ପରେ ମହିଳାମାନେ ରାସ୍ତାରୋକରୁ ହଟିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।