ଆଉ ନାହାନ୍ତି ସାମ୍ବାଦିକ ଶଙ୍କର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର): ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଆଉ ନାହାନ୍ତି । ଆଜି ଦିନ ୧୨ଟା ସମୟରେ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୬୪ ବର୍ଷ ହେଉଥିଲା । ଶେଷ ସମୟରେ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କ ପାଖରେ ଥିଲେ । ସୂଚନା ଅନୁସାରେ, ଗତ ବୁଧୁବାର ଦିନ ଶ୍ରୀ ମିଶ୍ର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗିରର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷୀତ ନହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରୀ ମିଶ୍ରଙ୍କୁ ପରିବାର ଲୋକେ ଶୁକ୍ରବାର ରାତିରେ ସମ୍ବଲପୁର ସ୍ଥିତ ଆରୋଗ୍ୟମ ହସପିଟାଲରେ ଭର୍ତ୍ତି କରିଥିଲେ । ଶ୍ରୀ ମିଶ୍ରଙ୍କ ଅବସ୍ଥା ଆଜି ସକାଳୁ ବିଶେଷ ରୂପେ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ଦିନ ୧୨ ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଯେ, ଦୈନିକ ଆଶା ଖବର କାଗଜରୁ ନିଜର ସାମ୍ବାଦିକତା ଆରମ୍ଭ କରିଥିବା ଶ୍ରୀ ମିଶ୍ର ଦୀର୍ଘ ଚାଳିଶ ବର୍ଷ କାଳ ସାମ୍ବାଦିକତା ସହ ଜଡିତ ଥିଲେ । ସାମ୍ବାଦିକ ସଂଘ ମାଧ୍ୟମରେ ସାମ୍ବାଦିକମାନଙ୍କୁ ଏକ ଜୁଟ କରି ସେମାନଙ୍କ ବିଭୀନ୍ନ ସମସ୍ୟା ବିରୋଧରେ ଆଜୀବନ ଲଢେଇ ଜାରି ରଖିଥିଲେ । ଶ୍ରୀ ମିଶ୍ର ସଂପ୍ରସାରିତ ବଲାଙ୍ଗିର ସାମ୍ବଦିକ ସଂଘର ପ୍ରଥମ ସଂପାଦକ ଭାବେ ଦାଇତ୍ୱ ତୁଳାଇବା ପରେ, ବଲାଙ୍ଗିର ସାମ୍ବାଦିକ ସଂଘର ସଭାପତି ଭାବେ ବଲାଙ୍ଗିରରେ ସାଂବାଦିକ ଭବନ ନିର୍ମାଣରେ ତାଙ୍କର ଅଗ୍ରଣି ଭୂମୀକା ରହିଥିଲା । ବଲାଙ୍ଗିର ସଂଘରୁ ରାଜ୍ୟକୁ ମନୋନୀତ ହୋଇ ଓଡିଶା ସାମ୍ବାଦିକ ସଂଘର ଉପ ସଭାପତି, ପରେ ପରେ ସଭାପତି ଭାବେ ଦାଇତ୍ୱ ତୁଲାଇଥିିଲେ । ସେହିପରି ଓଡିଶା ସାମ୍ବାଦିକ ସଂଘରୁ ମନୋନିତ ହୋଇ ରାଷ୍ଟ୍ରୀୟ ସାମ୍ବାଦିକ ସଂଘର ଉପ ସଭାପତି ଭାବେ ଦାଇତ୍ୱ ତୁଳାଇ ବଲାଙ୍ଗିର ମାଟି ପାଇଁ ଗୌରବ ଆଣି ଦେଇଥିଲେ । ତାଙ୍କର ବିୟୋଗରେ ପରିଚିତ ମାହୋଲରେ ଶୋକର ଛାୟ ଖେଳିଯାଇଛି । ଶ୍ରୀ ମିଶ୍ରଙ୍କ ଅମର ଅତ୍ମାର ସଦଗତି ପାଇଁ ବିଭିନ୍ନ ମହଲରୁ ପ୍ରାର୍ଥନା କରାଯାଇଛି ।

Leave A Reply

Your email address will not be published.