ଭୁବନେଶ୍ୱର, (କେପିଏନ୍ଏସ୍) : ନିଖିଳ ଓଡିଶା ଅନୁଦାନପ୍ରାପ୍ତ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ଚାକିରି ସର୍ତ୍ତାବଳୀ ଓ ପେନସନ ଦାବୀରେ ଗତ ଡିସେମ୍ବର ୨୬ ତାରିଖରେ ଭୁବନେଶ୍ୱର ଲୋୟର ପି.ଏମ୍.ଜିରେ ଆନ୍ଦୋଳନ କରିବାର ଅଳ୍ପ ଦିନ ମଧ୍ୟରେ ଝଝଈ ସଂଗଠନ ଓସଲା ତରଫରୁ ପ୍ରତିବାଦ କରାଯାଇଥିଲା । ଓସଲାର ଏହି ପ୍ରତିବାଦକୁ ୪୮୮ ସଂଗଠନ ତରଫରୁ ଏକ ପ୍ରେସ ବିବୃତିରେ ନିନ୍ଦା କରାଯିବା ସହିତ ସରକାରଙ୍କୁ ପୁନଃ ଚେତାବନୀ ଦିଆଯାଇଛି ଯେ, ପ୍ରତିଶୃତି ଅନୁଯାୟୀ ଖୁବ୍ ଶୀଘ୍ର ଏସ୍ଏସ୍ବି ଓ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକମାନଙ୍କ ମଧ୍ୟରେ ଥିବା ଚାକିରି ସର୍ତ୍ତାବଳୀ ସମ୍ବନ୍ଧୀୟ ତାରତମ୍ୟ ଦୁରକରି ଏହି ବର୍ଗର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ଦେବା ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରାନଗଲେ ସଂଘ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ ବର୍ଜନ କରିବା ସହିତ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ସଭାପତି ମାନସ ପୁରୋହିତ ଚେତାବନୀ ଦେଇଛନ୍ତି । ବରିଷ୍ଠତାକୁ ଆଧାର କରି ମହାବିଦ୍ୟାଳୟ ମାନଙ୍କରେ ଲାଗିରହିଥିବା ଅନିଶ୍ଚିତତା କାରଣରୁ ଏମାନଙ୍କ ମଧ୍ୟରେ ତିକ୍ତତା ଓ ଶୀତଳ ଯୁଦ୍ଧ ତୀବ୍ରତର ହେବାସହ ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଛି । ସଂଘ ତରଫରୁ କୁହାଯାଇଛି ଯେ, ଉଭୟ ଏସ୍ଏସ୍ବି ଓ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ସମାନ ଆଇନ (୧୯୭୪ ମସିହା ଅଧିନିୟମ) ଅନୁଯାୟୀ ନିଯୁକ୍ତି ପାଇଛନ୍ତି ଓ ଉଭୟଙ୍କର ନିଯୁକ୍ତିଦାତା କଲେଜମାନଙ୍କର ପରିଚାଳନା କମିଟି ଅଟନ୍ତି । ଏହା ଛଡ଼ା ଏସ୍ଏସ୍ବି ମାଧ୍ୟମରେ ଚୟନ ହୋଇଥିବା ଅଧ୍ୟାପକ ଆଜି ଯାଏଁ ବ୍ଲକ ଗ୍ରାଣ୍ଟ ଅଧ୍ୟାପକଙ୍କ ଠାରୁ କନିଷ୍ଠ ଭାବେ କାର୍ଯ୍ୟ କରୁଛନ୍ତି, ସେଥିପାଇଁ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକମାନେ ନିଜର ଚାକିରି ସର୍ତ୍ତାବଳୀ ପାଇଁ ଦାବି କରୁଛନ୍ତି ଫଳତଃ ସେମାନଙ୍କର ବରିଷ୍ଠତା ବଳବତ୍ତର ରହିବ ଓ କଲେଜମାନଙ୍କରେ ଶୈକ୍ଷିକ ବାତାବରଣ ସ୍ୱାଭାବିକ ରହିବ । ନିଜର ଚୟନ ପ୍ରକିୟା ଏବଂ ଅନ୍ୟାନ୍ୟ ବିଷୟରେ ମତାମତ ଦେଇ ଏସ୍ଏସ୍ବି ସଂଘର ସଦସ୍ୟମାନେ ସେମାନଙ୍କର ପିଲାଳିଆମି ଓ ଅପରିପକ୍ୱତାର ପରିଚୟ ଦେଉଛନ୍ତି । ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ସମସ୍ତେ ଗୋଟିଏ ଆଇନ ଅନ୍ତର୍ଭୁକ୍ତ । ପୁନଶ୍ଚ, ଏସ୍ଏସ୍ବି ଅଧ୍ୟାପକମାନେ ସେହି ସ୍ଥାନମାନଙ୍କରେ ନିଯୁକ୍ତି ପାଇଛନ୍ତି ଯେଉଁ ସ୍ଥାନ ପୁର୍ବରୁ ପରିଚାଳନା କମିଟି ଦ୍ୱାରା ସୃଷ୍ଟି କରାଯାଇଥିଲା । ଏଣୁ, ଏହା ଆଲୋଚନାର ବିଷୟବସ୍ତୁ ନୁହେଁ । ପୁଣି, ବରିଷ୍ଠ ଭାବେ କନିଷ୍ଠମାନଙ୍କ ଯୋଗ୍ୟତା ବିଷୟରେ ମନ୍ତବ୍ୟ ଦେବା ଅନୁଚିତ ହେବ ବୋଲି କହିବା ସହିତ ନିଜଠାରୁ ବରିଷ୍ଠମାନଙ୍କ ସହିତ ତୁଳନା କରିବା ହାସ୍ୟାସ୍ପଦ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ସଂଗଠନ ନିଜର ଚାକିରି ସର୍ତ୍ତାବଳୀ ଓ ପେନସନ ପାଇଁ ସରକାରଙ୍କୁ ଦାବି କରୁଥିବା ବେଳେ ଅଯଥା ବିରୋଧୀ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବା ତଥା ବରିଷ୍ଠମାନଙ୍କୁ ସମ୍ମାନ ଦେଇ ମହାବିଦ୍ୟାଳୟମାନଙ୍କର ପରିସରକୁ ଶାନ୍ତ ରଖିବାକୁ ୪୮୮ ବର୍ଗ ସଂଗଠନ ତରଫରୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୨୫/୩୦ ବର୍ଷ ହେଲା ଅଧ୍ୟାପନା କରିଆସୁଥିବା ବ୍ଲକ ଗ୍ରାଣ୍ଟ ଅଧ୍ୟାପକମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ହେଉଥିବା ବରିଷ୍ଠତା ଅନୁକ୍ରମ ତାଲିକାରେ ବରିଷ୍ଠ ଭାବେ ଅବସ୍ଥାପିତ ଅଟନ୍ତି । ତେଣୁ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି ।