om academy

ଅଣଦେଖା କଂଟାରେ ଝୁଲୁଛି ଯୁକ୍ତ ୨ ଡ୍ରପ୍‌ ଆଉଟ୍‌ ତଥା ଏକ୍ସରେଗୁଲାର୍‌ ପିଲାଙ୍କ ଭବିଷ୍ୟତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଣଦେଖା କଂଟାରେ ଏବେ ଝୁଲୁଛି ଯୁକ୍ତ ୨ ଡ୍ରପ୍‌ ଆଉଟ୍‌ ତଥା ଏକ୍ସରେଗୁଲାର୍‌ ପିଲାଙ୍କ ଭବିଷ୍ୟତ । ଡ୍ରପ୍‌ ଆଉଟ୍‌ ଛାତ୍ରଛାତ୍ରୀମାନେ ଏବେ ମାନସିକ ଦୁଃଶ୍ଚିନ୍ତାରେ ଭାଂଗି ପଡ଼ିଥିବା ବେଳେ କେତେବେଳେ ନ୍ୟାୟ ପାଇଁ କୋର୍ଟ କଚେରୀ ଧାଉଛନ୍ତି ତ’ କେତେବେଳେ ଆନ୍ଦୋଳନ କରିବାକୁ ଅଂଟା ଭିଡ଼ୁଛନ୍ତି । ଅଥଚ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଜ ଜିଦ୍‌ରେ ଅଟଳ ରହି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଏକ୍ସରେଗୁଲାର୍‌ ତଥା ଡ୍ରପ୍‌ ଆଉଟ୍‌ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ରାଜ୍ୟରେ କୋଭିଡ଼ ମହାମାରୀ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା୦୪/୦୬/୨୦୨୧ରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ବାତିଲ୍‌ ପାଇଁ ଘୋଷଣା କରିଥିଲେ । ଏହାକୁ ଭିତ୍ତି କରି ତା୦୫/୦୬/୨୦୨୧ରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ଅନୁସାରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀ ଆଧାରରେ ମୂଲ୍ୟାଙ୍କନ କରାଯିବ ବୋଲି କୁହାଯାଇଥିଲା ଓ ଯେଉଁ ଛାତ୍ରଛାତ୍ରୀ ଏହି ବିକଳ୍ପ ମୂଲ୍ୟାୟନ ପ୍ରଣାଳୀରେ ସନ୍ତୁଷ୍ଟ ନ ହେବେ ସେମାନେ ପରବର୍ତ୍ତୀ ସମୟରେ ଶ୍ରେଣୀ ଗୃହ ପରୀକ୍ଷା ଦେଇପାରିବେ ବୋଲି ଉଲ୍ଲେଖ କରାଯାଇଥିଲା । ତେବେ ପରିଷଦ ପକ୍ଷରୁ ତା୧୮/୦୬/୨୦୨୧ରେ ଏକ ବିକଳ୍ପ ମୂଲ୍ୟାୟନ ପ୍ରଣାଳୀ ପ୍ରକାଶ କରାଯାଇଥିଲା, ଯାହା ତା୨୧/୦୬/୨୦୨୧ରେ ୱେବ୍‌ ସାଇଟ୍‌ରେ ଦେଖିବାକୁ ମିଳିଥିଲା । ଏହି ବିଜ୍ଞପ୍ତିରେ ରେଗୁଲାର୍‌ ଓ ଏକ୍ସରେଗୁଲାର୍‌ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍ଟିକାଲ୍‌ ପରୀକ୍ଷାରେ ମାର୍କ ସମାନ ଆଧାରରେ କରାଯାଇଥିବା ବେଳେ ଥିଓରି ପରୀକ୍ଷାର ମୂଲ୍ୟାଙ୍କନ ଉଭୟଙ୍କ ପାଇଁ ଅଲଗା ଅଲଗା ଆଧାର ସ୍ଥିର କରାଯାଇଥିଲା । ରେଗୁଲାର୍‌ ପରୀକ୍ଷାର୍ଥୀଙ୍କୁ ଦଶମ ଶ୍ରେଣୀ ମାର୍କ ଆଧାରରେ ମୂଲ୍ୟାଙ୍କନ କରାଯିବାକୁ କୁହାଯାଇଥିବା ବେଳେ ଏକ୍ସରେଗୁଲାର୍‌ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ସେମାନଙ୍କ ପୂର୍ବ ବର୍ଷର କାଉନ୍‌ସିଲ୍‌ ମାର୍କକୁ ଭିତ୍ତି କରାଯିବ ବୋଲି ଦର୍ଶାଯାଇଥିଲା । ଏହି ବିଜ୍ଞପ୍ତିରେ ଯେଉଁ ଏକ୍ସରେଗୁଲାର୍‌ ପରୀକ୍ଷାର୍ଥୀମାନେ ପୂର୍ବବର୍ଷ ଗୁଡ଼ିକରେ ପରୀକ୍ଷା ଦେଇଥିଲେ, ସେମାନଙ୍କ କଥା ଉଲ୍ଲେଖ ଥିଲା । କିନ୍ତୁ ଯେଉଁ ଏକ୍ସରେଗୁଲାର୍‌ ପରୀକ୍ଷାର୍ଥୀ(ଡ୍ରପ୍‌ ଆଉଟ୍‌) କାଉନ୍‌ସିଲ୍‌ର ପୂର୍ବ ବର୍ଷରେ କୌଣସି ପରୀକ୍ଷା ଦେଇ ନଥିଲେ ତାଙ୍କ ବିଷୟରେ ମୂଲ୍ୟାଙ୍କନ କିପରି ହେବ, ତାହାର କୌଣସି ଭିତ୍ତି ଉଲ୍ଲେଖ ନଥିଲା । ଏ ସଂକ୍ରାନ୍ତରେ ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କୁ ଅବିଭାବକ ଓ ଛାତ୍ରଛାତ୍ରୀମାନେ ଯୋଗାଯୋଗ କରିବାରୁ ସେ ଏଭଳି ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ଶୀଘ୍ର ଏକ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେହି ସମୟରେ କହିଥିଲେ । କିନ୍ତୁ ତା୩୧/୦୭/୨୦୨୧ ପର୍ୟ୍ୟନ୍ତ ଏହି ବିଷୟରେ କୌଣସି ବିଜ୍ଞପ୍ତି ବାହାରି ନଥିଲା ଓ ଅପରପକ୍ଷରେ +୨ ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ ଏହି ଦିନ ପ୍ରକାଶ ପାଇଥିଲା । ରେଜଲ୍ଟ ପ୍ରକାଶ ପାଇବା ସମୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କଲେ ଯେ, ଯେଉଁ ଏକ୍ସରେଗୁଲାର୍‌ ପରୀକ୍ଷାର୍ଥୀମାନେ ୨୦୨୧ ମସିହା ଆଗରୁ ପରିଷଦର କୌଣସି ପରୀକ୍ଷା ଦେଇ ନାହାନ୍ତି, ତାଙ୍କର ଫଳାଫଳକୁ ସ୍ଥଗିତ ରଖାଗଲା ଓ ପରବର୍ତ୍ତୀ ସମୟରେ ସେମାନେ ଶ୍ରେଣୀଗୃହ ପରୀକ୍ଷା ଦେବେ । ଏହାର କାରଣ ଦର୍ଶାଇବାକୁ ଯାଇ କହିଥିଲେ ଯେ, ଏହି ପିଲାମାନଙ୍କର ପରିଷଦ ପାଖରେ ପୂର୍ବ ପରୀକ୍ଷା ସମ୍ବନ୍ଧୀୟ କୌଣସି ରେକର୍ଡ ନାହିଁ । ତଦନୁଯାୟୀ ପରିଷଦ ପକ୍ଷରୁ ତା୦୨/୦୮/୨୦୨୧ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଲା, ଯେଉଁଥିରେ ତା୩୦/୦୭/୨୦୨୧ର ତାରିଖ ଉଲ୍ଲେଖ ଥିଲା ।

ସଂପୃକ୍ତ ଛାତ୍ରଛାତ୍ରୀମାନେ ଏହା ବି ଅଭିଯୋଗ କରିଛନ୍ତି ଯେ, ରେଗୁଲାର୍‌ ପରୀକ୍ଷାର୍ଥୀମାନେ ମଧ୍ୟ ୨୦୨୧ ମସିହା ପୂର୍ବରୁ ପରିଷଦର କୌଣସି ପରୀକ୍ଷା ଦେଇ ନଥିଲେ ତଥା ସେମାନଙ୍କର କୌଣସି ରେକର୍ଡ ପରିଷଦ ପାଖରେ ନଥିଲା ଓ ସେମାନଙ୍କ ପରୀକ୍ଷା ଫଳ ଦଶମ ଶ୍ରେଣୀ ମାର୍କ ଆଧାରରେ ପ୍ରକାଶ ପାଇଲା । ସେହି ଆଧାରରେ ଉପରୋକ୍ତ ଏକ୍ସରେଗୁଲାର (ଡ୍ରପ୍‌ ଆଉଟ୍‌) ପିଲାଙ୍କ ପରୀକ୍ଷା ଫଳ ବାହାରିବା ଉଚିତ, କିନ୍ତୁ ପରିଷଦ ପକ୍ଷରୁ ଅଣଦେଖା କରାଯାଇ ତଥା ଭେଦଭାବ ରଖି ସେମାନଙ୍କ ଫଳାଫଳକୁ ସ୍ଥଗିତ ରଖାଯାଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ବାଧ୍ୟ କରାଗଲା । ଆଶ୍ଚର୍ଯ୍ୟର ବିଷୟ ଯେ, ପ୍ରଥମେ ବାହାରିଥିବା ଫଳାଫଳରେ କିଛି ଡ୍ରପ୍‌ ଆଉଟ୍‌ ପିଲାଙ୍କୁ ପାସ୍‌ କରାଯାଇଥିଲା, କିଛି ପିଲାଙ୍କୁ ଫେଲ୍‌ କରାଯାଇଥିଲା ଏବଂ କିଛି ପିଲାଙ୍କ ରେଜଲ୍ଟ ସ୍ଥଗିତ କରାଯାଇଥିଲା । ଏହି ନିଷ୍ପତ୍ତି କେଉଁ ଆଧାରରେ ଗ୍ରହଣ କରାଯାଇଛି, ତାହାକୁ ନେଇ ଛାତ୍ରଛାତ୍ରୀ ତଥା ଅବିଭାବକମାନେ ପ୍ରଶ୍ନ ବାଢ଼ିଥିଲେ । ଆହୁରି ଆଶ୍ଚର୍ୟ୍ୟର ବିଷୟ ଯେ, ପୀଡ଼ିତ ଛାତ୍ରଛାତ୍ରୀ ମାନେ ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧ କରିବା ପରେ ପରିଷଦ ପକ୍ଷରୁ ପ୍ରାୟ ୧ ମାସ ପରେ ତା୦୨/୦୯/୨୧ରେ ଡ୍ରପ୍‌ ଆଉଟ୍‌ ପିଲାଙ୍କ ଆଉ ଥରେ ରେଜଲ୍ଟ ପ୍ରକାଶ ପାଇଥିଲା ଓ ସେଥିରେ ସମସ୍ତ ପିଲାଙ୍କ ରେଜଲ୍ଟକୁ ସ୍ଥଗିତ ରଖାଯାଇଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ସୌଭାଗ୍ୟବଶତଃ ପୂର୍ବ ରେଜଲ୍ଟରେ ପାସ୍‌ କରିଥିଲେ ଓ ଯୁକ୍ତ ୩ ଆଡ୍‌ମିଶନ ପାଇଁ ଆବେଦନ କରି ଅର୍ଥରାଶି ଜମା କରି ସାରିଥିଲେ ସେମାନଙ୍କ ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ସରକାରଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଲୁଚକାଳି ଖେଳ ଅତ୍ୟନ୍ତ ଅଶୋଭନୀୟ ବୋଲି ଅବିଭାବକ ମହଲରେ ମତ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ରେଗୁଲାର୍‌ ଏବଂ ଏକ୍ସରେଗୁଲାର୍‌ ପରୀକ୍ଷାର୍ଥୀ(୨୦୧୬ ମସିହା ଓ ପରେ ପଂଜିକୃତ କରିଥିବା)ଙ୍କ ସମାନ ସିଲାବସ୍‌, ସମାନ ପ୍ରଶ୍ନ ପତ୍ର, ସମାନ ଦିନରେ ପରୀକ୍ଷା, ସମାନ ଦିନରେ ରେଜଲ୍ଟ, ସମାନ ମୂଲ୍ୟାଙ୍କନ ପ୍ରଣାଳୀ, ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ର ବୈଧତା ସମାନ ହୋଇଥିବା ବେଳେ ଉଭୟଙ୍କ ପାଇଁ ଅଲଗା ଅଲଗା ମୂଲ୍ୟାୟନ ମାପଦଣ୍ଡ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଛାତ୍ରଛାତ୍ରୀମାନେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଏବେ ପରୀକ୍ଷା କରାଇବା ପାଇଁ ସରକାରୀ ସ୍ତରରେ ତନାଘନା ଅବସ୍ଥା ଲାଗି ରହିଥିବା ବେଳେ କେତେକ ଛାତ୍ରଛାତ୍ରୀମାନେ ନ୍ୟାୟ ପାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୁଣି ମାନବିକ ଅଧିକାର କମିଶନଙ୍କ ପାଖରେ ମଧ୍ୟ ନ୍ୟାୟ ପାଇଁ କେତେକ ଛାତ୍ରଛାତ୍ରୀ ନିବେଦନ କରିଛନ୍ତି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀମାନେ କେତେବେଳେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରୁଛନ୍ତି ତ’ କେତେବେଳେ ନେତା ମନ୍ତ୍ରୀମାନଙ୍କୁ ହାରି ଗୁହାରୀ କରି ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି । ଏଭଳି ଅବସ୍ଥାରେ ସେମାନେ ସରକାରଙ୍କ ଆଦେଶ ଅନୁସାରେ କିପରି ଭାବେ ପରୀକ୍ଷା ଦେବେ ଓ କୃତକାର୍ଯ୍ୟ ହେବେ, ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟପକ୍ଷରେ +୩ ନାମଲେଖା ପ୍ରକ୍ରିୟା ମଧ୍ୟ ରାଜ୍ୟରେ ସରିବା ସ୍ଥିତିରେ ପହଂଚିଛି । ଉକ୍ତ ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେଲେ କେଉଁଠି ଉଚ୍ଚ ଶିକ୍ଷା ଗ୍ରହଣ କରିବେ, ତାହା ଦେବେ ଅଗୋଚର ।

ତେବେ ଉପରୋକ୍ତ ବିଷୟ ପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.