ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପଶ୍ଚିମ ଓଡିଶା ବିକାଶ ପରିଷଦ ଅର୍ଥ ଅନୁଦାନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏବଂ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ଵାଇଁ ଉଭୟ ଜିଲ୍ଲାରେ ପରିଷଦ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ତାଙ୍କୁ ଅବଗତ କରିଥିଲେ । ସୋନପୁର ସହର ନିକଟବର୍ତ୍ତୀ ଝିଙ୍କିଠାରେ ୬ କୋଟି ୪୫ ଲକ୍ଷ ଟଙ୍କା ଡବ୍ଲୁଓଡିସି ଅର୍ଥ ଅନୁଦାନରେ ନିର୍ମାଣଧୀନ ଡବ୍ଲୁଓଡିସି ହସ୍ତତନ୍ତ ମଲ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ମଲ୍କୁ ସମ୍ପୂର୍ଣ୍ଣ ଭାବରେ ଶୀତତାପ ନିୟନ୍ତ୍ରିତ କରାଯିବା ସହିତ ଚାରିପାଖକୁ ସମ୍ପୂର୍ଣ୍ଣ ଭାବରେ ଆକର୍ଷଣୀୟ କରାଯିବ । ଏହା ଦ୍ୱାରା ବୁଣାକାର ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ରର ବହୁଳ ବିକ୍ରୟ ସହିତ ସେମାନଙ୍କ ଅର୍ଥନୈତିକ ବିକାଶରେ ସହାୟକ ହେବ । ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ନୂତନ ଡାୟାଲିସିସ୍ ମେସିନ୍ ସହିତ ଅର୍ଥୋପେଡ଼ିକ ଅପରେଶନ ପାଇଁ ଉଭୟ ଜିଲ୍ଲା ପାଇଁ ଗୋଟିଏ ଗୋଟିଏ ଲେଖାଏଁ ସି ଆର୍ମ ମେଶିନ ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାରେ କୃଷକମାନଙ୍କ ଅର୍ଥନୈତିକ ବିକାଶ ପାଇଁ କୃଷି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗରେ ଉପଲବ୍ଧ ଥିବା ସମସ୍ତ ସଂସାଧନକୁ ବ୍ୟବହାର କିଭଳି ଭାବରେ ସେମାନଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ ତା’ଉପରେ ବିଶେଷ ଗୁରୁତ୍ଵ ଦେଇଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହାୟତାରେ ଦୁଗ୍ଧ ଉତ୍ପାଦନ, ମାଛ ଚାଷ, ପଶୁପାଳନ, ଉଦ୍ୟାନ କୃଷି ଭଳି ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ପାଇଁ ସମସ୍ତ ପ୍ରଚେଷ୍ଟା କରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସୁବର୍ଣ୍ଣପୁରର ଜିଲ୍ଲା ଗ୍ରନ୍ଥାଗାର ଯେଉଁଥିରେ କି ପ୍ରତ୍ୟହ ଶତାଧିକ ଛାତ୍ରଛାତ୍ରୀ ଆସି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତାର ଭିତ୍ତିଭୂମି ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୫୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯିବ । ଏହା ସହ କ୍ରୀଡାର ବିକାଶ ନିମନ୍ତେ ତରଭା ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ନିମନ୍ତେ ମଧ୍ୟ ୧ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବା ନିମନ୍ତେ ସୂଚନା ଦେଇଛନ୍ତି । ବୌଦ୍ଧ ଜିଲ୍ଲାର ବୀରନରସିଂହପୁରଠାରେ ନିର୍ମାଣାଧୀନ ଇକୋପାର୍କର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ଏହାକୁ ଆକର୍ଷଣୀୟ କରି ଗଢି ତୋଳିବା ପାଇଁ ସେ ଗୁରୁତ୍ଵ ଦେଇଥିଲେ ଯେଭଳି ଏହା ରାଜ୍ୟର ବିଭିନ୍ନ ବର୍ଗର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶରେ ସହାୟକ ହୋଇପାରିବ । ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପର ଗୁଣାତ୍ମକ ମାନକୁ ସୁନିଶ୍ଚିତ କରିବା ସହିତ ସମ୍ପୂର୍ଣ୍ଣ କାର୍ଯ୍ୟ ଆଗାମୀ ଡିସେମ୍ବର ସୁଦ୍ଧା ସମାପନ କରାଯିବା ଉପରେ ଶ୍ରୀଯୁକ୍ତ ତ୍ରିପାଠୀ ବିଶେଷ ଗୁରୁତ୍ଵ ଦେଇଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର, ଏବଂ ଉଭୟ ଜିଲ୍ଲାର ସମସ୍ତ ବିଡିଓ ସମ୍ପୃକ୍ତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।