
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଆମ ଆଦମି ପାର୍ଟି (ଆପ)ର ସଭାପତି ପୃଥୀରାଜ ଜଗଦଲା(୨୬)ଙ୍କୁ ଠକେଇ ମାମଲାରେ ଗିରଫ କରିଛି ସୋନପୁର ପୋଲିସ । ଏନେଇ ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ନାରାୟଣ ନାୟକ । ସୂଚନା ଯୋଗ୍ୟ ଯେ, ସୋନପୁର ଥାନା କିର୍ତ୍ତୀପୁର ଗ୍ରାମର ସରୋଜ ଭେସ୍ରା ପୃଥୀରାଜଙ୍କ ନାମରେ ସୋନପୁର ଥାନାରେ ଏପ୍ରିଲ ୨୨ରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ସେଥିରେ ସରୋଜଙ୍କ ସ୍ତ୍ରୀଙ୍କୁ ପୋଷ୍ଟାଲ ଜିଡିଏସ୍ ଚାକିରି କରାଇ ଦେବା ପାଇଁ କହି କିସ୍ତି ହିସାବରେ ମୋଟ ୧ଲକ୍ଷ ୫୫ ହଜାର ଟଙ୍କା ଠକି ନେଇଥିଲେ ଶ୍ରୀ ଜଗଦଲା । ପରେ ଏକ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ କିନ୍ତୁ ପରେ ସେ ଜାଣିବାକୁ ପାଇଲେ ଯେ, ପୃଥୀରାଜ ଦେଇଥିବା ନିଯୁକ୍ତିପତ୍ର ନକଲି । ସରୋଜ ଟଙ୍କା ଫେରାଇ ଦେବା ପାଇଁ କହିବାରୁ ପୁଣି ପୃଥୀରାଜ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଆଟେଣ୍ଡାଣ୍ଟ ଚାକିରି କରାଇ ଦେବି କହି ଗୋଟିଏ ନିଯୁକ୍ତିପତ୍ର ଦେଇଥିଲେ । ପରେ ଅଭିଯୋଗକାରୀ ଜାଣିବାକୁ ପାଇଲେ ଯେ, ଉକ୍ତ ନିଯୁକ୍ତି ପତ୍ରଟି ମଧ୍ୟ ନକଲି । ପରବର୍ତ୍ତୀ ସମୟରେ ପୁଣି ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଗୃହରକ୍ଷୀ ଭାବେ ଚାକିରି କରାଇଦେବି କହି ନଗଦ ଟଙ୍କା, ବ୍ୟାଙ୍କ ମାଧ୍ୟମରେ ଏବଂ ୟୁପିଆଇ ଇତ୍ୟାଦି ମାଧ୍ୟମରେ ସରୋଜ ଦେଇଥିବା ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ସୋନପୁର ଥାନାରେ ୧୪୩/୨୦୨୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ସମୟରେ ପୃଥୀରାଜ ଆକାଉଣ୍ଟରେ ଓ ଫୋନ ପେ ଜରିଆରେ ଟଙ୍କା ନେଇଥିବାର ପ୍ରମାଣ ମିଳିଥିଲା । ପରେ ସୋନପୁର ପୋଲିସ ଟିମ୍ ପୃଥୀରାଜଙ୍କୁ ବୀରମହାରାଜପୁର ବ୍ଲକ କଳାପଥର ସ୍ଥିତ ଘରୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ସୋନପୁର ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ତାଙ୍କ ନାମରେ ସୁବର୍ଣ୍ଣପୁର ଜିଲାର ବିଭିନ୍ନ ଥାନାରେ ୬ ଗୋଟି ମାମଲା ରହିଥିବା ବେଳେ ଜିଲ୍ଲା ବାହାରେ ମଧ୍ୟ ପୃଥୀରାଜଙ୍କ ନାମରେ ଅନେକ ଠକେଇ ମାମଲା ଥିବା ଏସ୍ପି ନାରାୟଣ ନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।