ୟୁକ୍ରେନ୍ରେ ସୁରକ୍ଷା ବାହିନୀ ଆକ୍ରମଣ କଲେ ଭାରତୀୟ ଛାତ୍ରଙ୍କୁ : ରୁଷ ସୈନିକ ୟୁକ୍ରେନ୍କୁ ଛାରଖାର କରିବା ସହ ବ୍ୟାଙ୍କ ଏବଂ ଷ୍ଟୋର ଲୁଟୁଛନ୍ତି
କ୍ୱିବ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୫ମ ଦିନରେ ପହଂଚିଛି । ଘମାଘୋଟ ଲଢେ଼ଇ ଭିତରେ ୟୁକ୍ରେନ ରାଜଧାନୀ କ୍ୱିବ୍କୁ ଅକ୍ତିଆର କରିବା ପାଇଁ ରୁଷର ଜବର୍ଦସ୍ତ ପ୍ରୟାସ ଜାରି ରହିଛି । ଏବେ ଆମ୍ ୟୁକ୍ରେନ୍ ନାଗରିକ ଯୁଦ୍ଧ ମଇଦାନ୍ ଅସ୍ତ୍ରଶସ୍ତ୍ର ଧରି ଠିଆ ହୋଇଥିବା ବେଳେ କ୍ୱିବ୍ରେ ଚାଲିଛି ଜବର୍ଦସ୍ତ ବୋମା ଓ ରକେଟ୍ ମାଡ଼ । ମିସାଇଲ୍ ମାଡ଼ରେ ଥରି ଉଠୁଛି ୟୁକ୍ରେନ୍ ମାଟି । ଜନଜୀବନ ସଂପୂର୍ଣ୍ଣ ଛାରଖାର ହୋଇ ପଡ଼ିଥିବା ବେଳେ ତଥାପି ମୁଣ୍ଡ ନୁଏଁଇବାକୁ ନାରାଜ ୟୁକ୍ରେନ୍ । ଅନ୍ୟପଟେ ରୁଷର ମିସାଇଲ୍ ମାଡ଼ରେ ତୈଳ ଡିପୋ ହୁ ହୁ ହୋଇ ଜଳୁଥିବା ବେଳେ ଗ୍ୟାସ୍ ଲାଇନ୍ ଉପରେ ଏବେ ପ୍ରହାର କରୁଛି ରୁଷ୍ । ରୁଷ୍ର ଏଭଳି ନୃସଂଶ ଆକ୍ରମଣକୁ ସାରା ବିଶ୍ୱରେ ବହୁ ସଂଖ୍ୟକ ଦେଶ ନିନ୍ଦା କରୁଥିଲେ ମଧ୍ୟ ଖାତିର୍ କରୁନାହାନ୍ତି ରୁଷ ରାଷ୍ଟ୍ରପତି ପୁତିନ୍ । ଧୀରେ ଧୀରେ ୟୁକ୍ରେନ୍କୁ ମିତ୍ର ରାଷ୍ଟ୍ରଗୁଡ଼ିକ ପକ୍ଷରୁ ସହଯୋଗ ମିଳିବା ଆରମ୍ଭ ହୋଇଯାଇଛି । ଏପର୍ଯ୍ୟନ୍ତ ୨୮ଟି ମିତ୍ର ଦେଶ ୟୁକ୍ରେନ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଏଥିରେ ୟୁକ୍ରେନ୍ର ମନୋବଳ ବଢ଼ିବାରେ ଲାଗିଛି ।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧରେ ପରମାଣୁ ଆକ୍ରମଣର ଆଶଙ୍କା ବଢ଼ିବାରେ ଲାଗିଛି । ରୁଷ ରାଷ୍ଟ୍ରପତି ପୁତିନ ପରମାଣୁ ସଶସ୍ତ୍ର ୟୁନିଟ୍କୁ ହାଇ ଆଲର୍ଟରେ ରଖିଛନ୍ତି । ଏହି ସମୟ ମଧ୍ୟରେ ୟୁକ୍ରେନ କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୪,୩୦୦ ରୁଷୀୟ ସୈନିକଙ୍କୁ ୟୁକ୍ରେନ ହତ୍ୟା କରିଛି ଏବଂ ୧୪୬ ଯୁଦ୍ଧ ଟ୍ୟାଙ୍କ, ୨୭ ବିମାନ ଏବଂ ୨୬ ହେଲିକପ୍ଟର ଧ୍ୱଂସ କରିଛି । ଏଥି ସହିତ ୟୁକ୍ରେନକୁ ସାହାର୍ଯ୍ୟ କରିବା ବିଷୟରେ ବ୍ରିଟେନ କହି ସାରିଛି । ଅନ୍ୟ ପକ୍ଷରେ ୟୁକ୍ରେନ୍ ଛାଡିବାକୁ ରୋମାନିଆ ଏବଂ ପୋଲାଣ୍ଡ ସୀମାରେ ପହଂଚିଥିବା ଭାରତୀୟ ଛାତ୍ରମାନଙ୍କୁ ସୁରକ୍ଷା ବାହିନୀ ପକ୍ଷରୁ ଆକ୍ରମଣ କରାଯାଇଥିବା କୁହାଯାଉଛି । ପଞ୍ଜାବର ଜଣେ ଛାତ୍ର ଏହାର ଭିଡିଓ ସେୟାର କରିଛନ୍ତି । ଏଥିରେ ୟୁକ୍ରେନ ପୋଲିସ ବ୍ୟାଗ ନେଇଥିବା ଆସୁଥିବା ଭାରତୀୟ ଛାତ୍ରମାନଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଛତିଶଗଡର ଜଣେ ଛାତ୍ର କହିଛନ୍ତି ଯେ, ପୋଲାଣ୍ଡ ସୀମାରେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି । ସୂଚନାଯୋଗ୍ୟ ଯେ, ୟୁକ୍ରେନ୍ ସହିତ ଲାଗିଥିବା ୪ଟି ଦେଶର ବୋଡର୍ରେ ୟୁକ୍ରେନ୍ରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିୟନ୍ତ୍ରଣ କକ୍ଷ ଖୋଲିଛି ।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଆଜି ପଞ୍ଚମ ଦିନ । ୟୁକ୍ରେନର ବଡ଼ ବଡ଼ ସହରରେ ପ୍ରବେଶ କରୁଥିବା ରୁଷୀୟ ସୈନିକମାନେ ଲୁଟ୍ କରୁଥିବା ଭଳି ଖବର ମଧ୍ୟ ଆସୁଛି । ଖାର୍ କ୍ୱିବକୁ ଅକ୍ତିଆର କରିବା ପରେ ସେମାନେ ଏକ ବ୍ୟାଙ୍କ ଲୁଟ କରିଥିବା ସୂଚନାରେ କୁହାଯାଇଛି । ଏକ ଭିଡିଓରେ ରୁଷୀୟ ସୈନିକମାନେ ଏକ ଦୋକାନରୁ ସାମଗ୍ରୀ ଉଠାଉଥିବା ନଜରକୁ ଆସିଛି । ଏଥି ସହିତ ୟୁକ୍ରେନ୍ରେ ସାଧାରଣ ଲୋକେ ଖାଦ୍ୟ ପାଇଁ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରୁଛନ୍ତି । ଜାତିସଂଘ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୩.୮୬ ଲକ୍ଷ ଲୋକ ୟୁକ୍ରେନ୍ ଛାଡି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି ।