ପିଆଇବି ଗବେଷଣା ବିଭାଗର କାର୍ଯ୍ୟ ସମୀକ୍ଷା କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ : କ୍ଷମତା ବିକାଶ କର୍ମଶାଳାକୁ କଲେ ଉଦଘାଟନ

● ଜନସାଧାରଣଙ୍କ ନିକଟତର ହେବା ଲାଗି ହିନ୍ଦୀ ଓ ଇଂରାଜୀ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବାରୋପ

ନୂଆଦିଲ୍ଲୀ, (ପିଆଇବି) : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଗବେଷଣା ବିଭାଗକୁ ଏକ ବର୍ଷ ପୂରଣ ହୋଇଛି । ଏହି ଉପଲକ୍ଷେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଏବଂ ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ସତ୍ୟେନ୍ଦ୍ର ପ୍ରକାଶ ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି । ଭାରତ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି ଓ ନୀତିର ଏକ ସମ୍ପୂର୍ଣ୍ଣ ସ୍ବରୂପ ପ୍ରଦାନ କରିବା ଲାଗି ସୂଚନାତ୍ମକ ମୂଲ୍ୟ ଆଧାରିତ ଗବେଷଣା ତଥ୍ୟ ଯୋଗାଇ ଦେବା ମାଧ୍ୟମରେ ସରକାରୀ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଗବେଷଣା ବିଭାଗ ପ୍ରତିଷ୍ଠା କରାଯାଇଥିଲା ।

ପିଆଇବି ଏବଂ ଅନ୍ୟ ସରକାରୀ ଚାନେଲ ମାଧ୍ୟମରେ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିବା ସୂଚନାକୁ ସୁଦୃଢ଼ କରିବା ଲାଗି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଏହି ଗବେଷଣା ବିଭାଗ ତଥ୍ୟ-ଆଧାରିତ, ଗବେଷଣାତ୍ମକ ବିଷୟବସ୍ତୁ ପ୍ରଦାନ କରିଥାଏ । ଅକ୍ଟୋବର ୨୦୨୧ରେ ଏହି ଗବେଷଣା ବିଭାଗ ପ୍ରତିଷ୍ଠା କରାଯାଇଥିଲା ।
ଏହି ଅବସରରେ ସଚିବ ଶ୍ରୀ ଚନ୍ଦ୍ର ଦିନିକିଆ କ୍ଷମତା ନିର୍ମାଣ କର୍ମଶାଳାକୁ ଉଦଘାଟନ କରିଥିଲେ । ଗବେଷଣା ବିଭାଗ ଓ ଏହାର ସଦସ୍ୟମାନଙ୍କ ଦ୍ବାରା ଏହି ଗବେଷଣା ବିଭାଗ ଆୟୋଜନ କରାଯାଇଛି । ଏହି ଅବସରରେ ସଚିବ କହିଥିଲେ ଯେ, ଜନସାଧାରଣଙ୍କ ଅଧିକ ନିକଟତର ହେବା ଲାଗି ହିନ୍ଦୀ ଏବଂ ଆଞ୍ଚଳିକ ଭାଷାରେ ବିଷୟବସ୍ତୁ ବା କଣ୍ଟେଣ୍ଟ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଏହାଦ୍ବାରା ସରକାରଙ୍କ କାର୍ଯ୍ୟକ୍ରମ ଓ ନୀତି ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରାଯାଇ ପାରିବ । ବିଭିନ୍ନ ପ୍ରକଳ୍ପରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସେ ଗବେଷଣା ବିଭାଗର କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ନିକଟ ଭବିଷ୍ୟତରେ ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ । କର୍ମଶାଳାର ଉଦଘାଟନୀ ଅଧିବେଶନରେ ସୂଚନା ଓ ପ୍ରସାରଣ ବିଭାଗର ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟଙ୍କ ସମେତ ଭାରତୀୟ ସୂଚନା ସେବାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
ସଚିବ ଶ୍ରୀ ଚନ୍ଦ୍ର କହିଥିଲେ ଯେ, ଗବେଷଣା ବିଭାଗ ଗଠନ କରାଯିବା, ବିଗତ ବର୍ଷଗୁଡ଼ିକରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରୟାସ ଏବଂ ଏହା ସରକାରୀ ଯୋଗାଯୋଗ ଓ ସୂଚନା ପ୍ରସାର କ୍ଷେତ୍ରରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।

ଏହି ଅବସରରେ, ସତ୍ୟେନ୍ଦ୍ର ପ୍ରକାଶ କହିଥିଲେ ଯେ ଗଣମାଧ୍ୟମ ଏବଂ ବ୍ୟାପକ ଭାବେ ସାଧାରଣ ଜନତାଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ସୂଚନାକୁ ଏକ ସମ୍ପୂର୍ଣ୍ଣ ଦୃଷ୍ଟିକୋଣ ପ୍ରଦାନ କରିବା ଲାଗି ଗବେଷଣାର ଆବଶ୍ୟକତା ରହିଛି । ଗବେଷଣା ବିଭାଗର ଭୂମିକା ଓ ଏହି ବିଭାଗ ଠାରୁ ରହିଥିବା ପ୍ରତ୍ୟାଶା ସମ୍ପର୍କରେ ଆଲୋକପାତ କରି ଶ୍ରୀ ପ୍ରକାଶ କହିଥିଲେ ଯେ, ପିଆଇବିର ବିଭିନ୍ନ ମଞ୍ଚ ବିଷୟବସ୍ତୁ ବା କଣ୍ଟେଣ୍ଟ ଦୃଷ୍ଟିରୁ ସମୃଦ୍ଧ, ସଠିକ, ଆକର୍ଷଣୀୟ ଏବଂ ପାଠକଙ୍କ ପାଇଁ ପଠନ ଉପଯୋଗୀ ହେବା ଉଚିତ୍ । ସରକାରୀ ଯୋଗାଯୋଗ ଅଧିକାରୀମାନେ ସେମାନଙ୍କ ଉତ୍ପାଦର ଅନ୍ତିମ ଉପଭୋକ୍ତାଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ ।
ଗବେଷଣା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଆଶୀଷ ଗୋୟଲ ଏହି ବିଭାଗର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ବିଭାଗର ଆରମ୍ଭ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସେ ସୂଚନା ଦେଇଥିଲେ । ବିଗତ ଦିନରେ କରାଯାଇଥିବା ବିଭିନ୍ନ ପ୍ରକାରର କାର୍ଯ୍ୟ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ ।

କର୍ମଶାଳାର ଦୁଇଟି ଅପରାହ୍ଣ ଅଧିବେଶନରେ ଗବେଷଣା ବିଭାଗ ଟିମର କ୍ଷମତା ନିର୍ମାଣ ଉପରେ ଧ୍ୟାନ ଦିଆଯାଇଥିଲା । ବିଭାଗର କର୍ମକର୍ତ୍ତାମାନଙ୍କୁ ସେହିସବୁ ନୂଆ ଉପକରଣ ଏବଂ ବିଷୟବସ୍ତୁ ସମ୍ପର୍କରେ ଅବଗତ କରାଯାଇଥିଲା ଯାହାଦ୍ବାରା ସେମାନେ ନିଜର ବିଷୟବସ୍ତୁରେ ଅଧିକ ମୂଲ୍ୟ ଯୋଗ କରିପାରିବେ । ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି)ର ପ୍ରାଧ୍ୟାପିକା ଡକ୍ଟର ଅନୁଭୂତି ଯାଦବ ‘ଭିଜୁଆଲ କମ୍ୟୁନିକେସନ: ଟୁଲ୍ସ ଏଣ୍ଡ ସ୍କିଲ୍ସ’ ଅଧିବେଶନକୁ ସମ୍ବୋଧିତ କରିଥିଲେ । ସେହିପରି ଆଇଆଇଏମସିର ପ୍ରଫେସର ଡକ୍ଟର ଶାଶ୍ବତୀ ଗୋସ୍ବାମୀ, ଗବେଷଣା ଅଧିକାରୀ ଅଧିକାରିଣୀ ଅନନ୍ୟା ରାୟ ପ୍ରମୁଖ ଯୋଗାଯୋଗ ଗବେଷଣାର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରିଥିଲେ ।

Leave A Reply

Your email address will not be published.