pakka

‘କେନ୍ଦୁଝରର ଜନଜାତି : ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

bbehera

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦୁଝରର ଗମ୍ଭରିଆଠାରେ ଆୟୋଜିତ ‘କେନ୍ଦୁଝରର ଜନଜାତି : ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଫେବୃଆରୀ ୨୯, ୨୦୨୪ରେ ଉଦ୍‌ଘାଟନ କରିଛନ୍ତି । ସେ ମଧ୍ୟ ଏହି ଅବସରରେ ଆଦିବାସୀ ପୋଷାକ, ଗହଣା ଏବଂ ଖାଦ୍ୟକୁ ନେଇ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ କେନ୍ଦୁଝର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏଠାରେ ମୁଣ୍ଡା, କୋହ୍ଲ, ଭୂୟାଁ, ଜୁଆଙ୍ଗ, ବାଥୁଡି, ଗଣ୍ଡ, ସାନ୍ଥାଳ, ଓରାଙ୍ଗ ଓ କନ୍ଧ ଆଦି ସମ୍ପ୍ରଦାୟର ଲୋକ ରହୁଛନ୍ତି । ଆଲୋଚନାରେ ଭାଗ ନେଇଥିବା ଗବେଷକମାନେ ଆଦିବାସୀ ସଂସ୍କୃତିର ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଠୋସ୍ ସିଦ୍ଧାନ୍ତରେ ପହଞ୍ଚିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ଯଦି କୌଣସି ସମ୍ପ୍ରଦାୟ କିମ୍ବା ଗୋଷ୍ଠୀ ଦେଶର ବିକାଶର ମୁଖ୍ୟ ସ୍ରୋତରୁ ବାଦ୍ ପଡ଼ନ୍ତି, ତେବେ ଆମେ ଏହାକୁ ସମାବେଶୀ ବିକାଶ କହିପାରିବୁ ନାହିଁ । ତେଣୁ ଆଦିବାସୀ ସମ୍ପ୍ରଦାୟର ଅଧିକ ପଛୁଆ ଲୋକଙ୍କ ବିକାଶ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ବିଲୁପ୍ତ ପ୍ରାୟ ଆଦିବାସୀମାନଙ୍କୁ ସଶକ୍ତ କରିବା ପାଇଁ ଭାରତ ସରକାର ପିଏମ-ଜନମନ ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଜୀବିକା, ଦକ୍ଷତା ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଟ୍ୟାପ୍ ଜଳ, ପରିମଳ ଓ ପୋଷଣ ମିଳିବ । ସମସ୍ତ ଆଦିବାସୀଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଛନ୍ତି । ଆଦିବାସୀ କଳା, ସଂସ୍କୃତି ଓ ହସ୍ତଶିଳ୍ପର ସଂରକ୍ଷଣ ଓ ପ୍ରୋତ୍ସାହନ ତଥା ଆଦିବାସୀ ସ୍ୱାଭିମାନର ସୁରକ୍ଷା ପାଇଁ ପ୍ରୟାସ କରାଯାଉଥିବା ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି କହିଥିଲେ ଯେ ଆଦିବାସୀ ଲୋକମାନେ ସମାନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି । ‘ମୁଁ’ ନୁହେଁ, ‘ଆମେ’ ଆଦିବାସୀ ସମାଜର ମୌଳିକ ମନ୍ତ୍ର । ଆଦିବାସୀ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ । ଏହି ଆଭିମୁଖ୍ୟ ହିଁ ମହିଳା ସଶକ୍ତିକରଣର ଆଧାର । ଯଦି ଆମେ ସମସ୍ତେ ଏହି ମୂଲ୍ୟବୋଧକୁ ଗ୍ରହଣ କରିବା, ତେବେ ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ । ଶିକ୍ଷକମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ସେମାନେ ଶିକ୍ଷାଦାନ ସହିତ ଗବେଷଣା ଉପରେ ଧ୍ୟାନ ଦେବା ଉଚିତ୍ । ଆଦିବାସୀ ଗାଁକୁ ଯାଇ ଗ୍ରାମବାସୀଙ୍କ ଅବସ୍ଥା ବୁଝିବାକୁ ସେ ଅନୁରୋଧ କରିଛନ୍ତି । ସେ କହିଥିଲେ ଯେ ଆଦିବାସୀ ସମାଜରେ ପାରମ୍ପରିକ ଜ୍ଞାନର ଭଣ୍ଡାର ରହିଛି । ଅଭିଜ୍ଞ ଆଦିବାସୀ ଭାଇ ଭଉଣୀମାନେ ଗଛ, ଲତା ଓ ଔଷଧକୁ ଚିହ୍ନିବା, ବ୍ୟବହାର କରିବା ଏବଂ ଏହାର ବିଶେଷ ଔଷଧୀୟ ଗୁଣ ଚିହ୍ନଟ କରିବାର କଳା ଜାଣନ୍ତି । ସେ କହିଛନ୍ତି ଯେ ସେମାନେ ସେହି ବିଷୟ ଉପରେ ଗବେଷଣା କରିବା ଉଚିତ ଏବଂ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଗବେଷଣା କରିବାକୁ ପ୍ରେରଣା ଦେବା ଉଚିତ୍ । ମାନବ ସମାଜର ହିତ ପାଇଁ ପାରମ୍ପରିକ ଜ୍ଞାନର ପ୍ରୟୋଗ ପ୍ରତି ଧ୍ୟାନ ଦେବା ସହ ଏହାକୁ ବିଲୁପ୍ତ ହେବାରୁ ରକ୍ଷା କରିବା ପାଇଁ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପାଖରେ ପ୍ରଚୁର ସମ୍ଭାବନା ଓ ସୁଯୋଗ ରହିଛି । ଶିକ୍ଷା ଓ ଦକ୍ଷତା ବଳରେ ସେମାନେ ଜୀବିକା ନିର୍ବାହ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ । ଶିକ୍ଷା ମାଧ୍ୟମରେ ନୂତନ ଜ୍ଞାନକୌଶଳ ସହ ଯୋଡ଼ି ହେବା ସହିତ ନିଜର ମୂଳକୁ ନଭୁଲିବା ପାଇଁ ସେ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

1 × four =