jayashree

ଜାନୁଆରୀ ୨୫ରୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍

ନୂଆଦିଲ୍ଲୀ : ରେଳବାଇର ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍‌ ଜାନୁଆରୀ ୨୫ରୁ ଆରମ୍ଭ ହେବ । ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଓ ଐତିହ୍ୟସ୍ଥଳୀ ପରିଦର୍ଶନ କରିବେ । ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର ପ୍ରାଚୀନ ପବିତ୍ର ସହର ବାରଣାସୀ, ଗୟା ଓ ଦେଓଘରର ବୈଦ୍ୟନାଥ ଧାମ ମନ୍ଦିରକୁ ମଧ୍ୟ ଯିବେ । ଭାରତୀୟ ରେଲଓ୍ୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ‘ଦେଖୋ ଅପନା ଦେଶ’ ଯୋଜନାରେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ଚଳାଚଳ କରାଯାଉଛି । ପ୍ରତି ବ୍ୟକ୍ତି ପିଛା ଭଡା ୧୭,୬୫୫ ଟଙ୍କା ରହିଛି । ଏହି ଯାତ୍ରା ପାଇଁ ରେଳବାଇ ଯାତ୍ରୀଙ୍କୁ ପାଖାପାଖି ୩୩ ପ୍ରତିଶତ ରିହାତି ଦେଉଛି । ଅତ୍ୟାଧୁନିକ ଏସି ରେକ୍ ଦ୍ୱାରା ସୁସଜ୍ଜିତ ଏହି ଟୁରିଷ୍ଟ ଟ୍ରେନ୍ ଜାନୁଆରୀ ୨୫ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ରେଲୱେ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ଫେବୃଆରୀ ୧ ତାରିଖରେ ଫେରିବ । ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଲା, ଇଟାୱା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେସନରେ ଟ୍ରେନ୍‌ରେ ଚଢ଼ିବା କିମ୍ବା ଓହ୍ଲାଇବାର ବିକଳ୍ପ ରହିବ । ଏହି ଆଠ ଦିନିଆ ଯାତ୍ରାର ପ୍ରଥମ ପର୍ଯ୍ୟାୟ ବାରଣାସୀରୁ ଆରମ୍ଭ ହେବ । ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାର ଘାଟକୁ ସଂଯୋଗ କରୁଥିବା କରିଡର ଏବଂ ନଦୀ କୂଳରେ କରାଯାଉଥିବା ଆରତିକୁ ଦେଖିପାରିବେ । ଏହାପରେ ଟ୍ରେନ୍‌ଟି ଝାଡ଼ଖଣ୍ଡର ଜସିଡିହ ରେଳ ଷ୍ଟେସନରେ ପହଞ୍ଚିବ ଏବଂ ସେଠାରୁ ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ମନ୍ଦିରକୁ ଯିବେ । ଏହା ପରେ ପୁରୀରେ ପହଞ୍ଚିବ ଯେଉଁଠାରେ ହୋଟେଲ ଗୁଡିକରେ ଦୁଇ ରାତି ରହିବେ । ଓଡ଼ିଶାରେ ପର୍ଯ୍ୟଟକମାନେ ଜଗନ୍ନାଥ ମନ୍ଦିର ଓ ପୁରୀର ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ୱରରେ ମନ୍ଦିର ବୁଲିବେ । ଗୟା ଏହାର ଶେଷ ଗନ୍ତବ୍ୟସ୍ଥଳ ହେବ ଯେଉଁଠାରେ ପର୍ଯ୍ୟଟକମାନେ ବିଷ୍ଣୁପଦ ମନ୍ଦିର ଦର୍ଶନ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.