jayashree

ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏଆଇ ଗଭର୍ଣ୍ଣାନ୍ସ ଉପରେ ସର୍ବସମ୍ମତି ନିମନ୍ତେ ଜୋର ଦେଇ ସରକାର ନୂଆ ଆଇନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଲେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

• ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହ ମିଥ୍ୟା ଖବର ମୁକାବିଲାରେ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଦେଲେ ଆହ୍ୱାନ
• ଗୋପନୀୟତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳନା ବ୍ୟବସ୍ଥା ଉପରେ ବିଚାର କରିବା ପାଇଁ ଦେଶରେ ଉପକରଣ ଏବଂ ପ୍ରଯୁକ୍ତି ବିକଶିତ କରିବା ପାଇଁ ଆଠଟି ପ୍ରକଳ୍ପ ଆରମ୍ଭ କରାଯାଇଛି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, ରେଳବାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏଆଇ ପ୍ରଶାସନ ଏବଂ ବିକାଶ ଉପରେ ପ୍ରଶ୍ନର ଉତ୍ତର ଦେଇ ପରିବର୍ତ୍ତନଶୀଳ ଏଆଇ ପରିଦୃଶ୍ୟ, ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏକ ଦୃଢ଼ ଆଇନଗତ ଢାଞ୍ଚାର ଆବଶ୍ୟକତା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋକପାତ କରିଛନ୍ତି । ଫେକ୍ ନ୍ୟୁଜର ମୁକାବିଲା ଏବଂ ଡିଜିଟାଲ୍ ଯୁଗରେ ବାସ୍ତବ ତଥ୍ୟ ସୁନିଶ୍ଚିତ କରିବା ଦାୟିତ୍ୱ ସହ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସନ୍ତୁଳିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସ୍ୱାଧୀନତା ବନାମ ଉତ୍ତରଦାୟିତ୍ୱ : ସର୍ବସମ୍ମତି ପାଇଁ ଆହ୍ୱାନ
ଶ୍ରୀ ବୈଷ୍ଣବ କହିଛନ୍ତି, ‘‘ବିଶେଷ କରି ମିଥ୍ୟା ଖବର ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମର ଉତ୍ତରଦାୟିତ୍ୱ ବର୍ତ୍ତମାନ ସମାଜ ସାମ୍ନା କରୁଥିବା ସବୁଠୁ ବଡ଼ ଆହ୍ୱାନ ।’’ ସାମାଜିକ ଓ ଆଇନଗତ ଉତ୍ତରଦାୟିତ୍ୱ ପ୍ରତିଷ୍ଠା କରିବାକୁ ହେଲେ ସର୍ବସମ୍ମତି ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ‘‘ଏସବୁ ଏଭଳି ପ୍ରସଙ୍ଗ, ଯେଉଁଠି ଗୋଟିଏ ପଟେ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି ଏବଂ ଅନ୍ୟପଟେ ଉତ୍ତରଦାୟିତ୍ୱ ଏବଂ ଏକ ଉଚିତ ବାସ୍ତବିକ ଖବର ନେଟୱର୍କ ନିର୍ମାଣ ହୋଇଥାଏ । ଏସବୁ ଉପରେ ବିତର୍କ ହେବାର ଆବଶ୍ୟକତା ରହିଛି ଏବଂ ଯଦି ସଦନ ସହମତ ହୁଏ ଏବଂ ସମଗ୍ର ସମାଜରେ ସର୍ବସମ୍ମତି ପ୍ରକାଶ ପାଏ, ତେବେ ଆମେ ଏକ ନୂତନ ଆଇନ ତିଆରି କରିପାରିବା’’, ସେ ମତପ୍ରକାଶ କରିଥିଲେ ।
ଗୋପନୀୟତା-କେନ୍ଦ୍ରିତ ସ୍ୱଦେଶୀ ଏଆଇ ସମାଧାନ
କେନ୍ଦ୍ରମନ୍ତ୍ରୀ ଗୋପନୀୟତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳନା ବ୍ୟବସ୍ଥା ବିଷୟରେ ଆଲୋକପାତ କରିବା ସହ ସ୍ୱଦେଶୀ ଉପକରଣ ଏବଂ ପ୍ରଯୁକ୍ତି ବିକଶିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପବିଷୟରେ ବିବରଣୀ ପ୍ରଦାନ କରିଥିଲେ । ସେ କହିଥିଲେ ଯେ ଏଆଇ ମିଶନ ଅଧୀନରେ ଅନ୍ୟତମ ମୁଖ୍ୟ ସ୍ତମ୍ଭ ହେଉଛି ଆପ୍ଲିକେସନ୍ ବିକାଶ, ଯାହା ଭାରତର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ଉଦ୍ଭାବନ ଉପରେ ଧ୍ୟାନ ଦିଏ । ଉଦୀୟମାନ ଏଆଇ କ୍ଷେତ୍ରକୁ ଦୃଷ୍ଟିରେ ରଖି ଆମେ ଦେଶରେ ଉପକରଣ ଏବଂ ପ୍ରଯୁକ୍ତି ବିକଶିତ କରିବା ଉଦ୍ଦେଶ୍ୟରେ ଆଠଟି ପ୍ରକଳ୍ପ ଆରମ୍ଭ କରିଛୁ ।’’
ଭାରତ : ଏଆଇ ଗଭର୍ଣ୍ଣାନ୍ସ ବ୍ୟବସ୍ଥା ଏବଂ ନୀତିରେ ବିଶ୍ୱର ଅଗ୍ରଣୀ ଦେଶ
ଶ୍ରୀ ବୈଷ୍ଣବ କହିଛନ୍ତି, ଏଆଇରେ ନୈତିକ ପ୍ରସଙ୍ଗ ଏକ ବିଶ୍ୱସ୍ତରୀୟ ଚିନ୍ତାର ବିଷୟ ଏବଂ ଦୃଢ଼ ବିତର୍କ ଏବଂ ଦାୟିତ୍ୱପୂର୍ଣ୍ଣ ଉଦ୍ଭାବନ ମାଧ୍ୟମରେ ଭାରତ ଏହି ଆହ୍ୱାନର ମୁକାବିଲା କରିବାକୁ ପ୍ରତିଶ୍ରୁତିବଦ୍ଧ । ଭାରତ ଯେପରି ନୈତିକ ଏଆଇ ବିକାଶରେ ଅଗ୍ରଣୀ ରହିବ ତାହା ଏହି ପ୍ରକଳ୍ପଗୁଡିକ ଅଧୀନରେ ବିକଶିତ ଉପକରଣଗୁଡିକ ଦ୍ୱାରା ସୁନିଶ୍ଚିତ ହେବ । କେନ୍ଦ୍ର ମନ୍ତ୍ରୀ ଏଆଇରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏଆଇ ଗଭର୍ଣ୍ଣାନ୍ସ ଉପରେ ବିଶ୍ୱସ୍ତରୀୟ ବିଚାରକୁ ଆକାର ଦେଉଥିବା ଅଗ୍ରଣୀ ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଗତବର୍ଷ ଭାରତ ଗ୍ଲୋବାଲ ପାର୍ଟନରସିପ୍ ଅନ୍ ଏଆଇ (ଜିପିଏଆଇ)ର ଅଧ୍ୟକ୍ଷ ହେବା ସହିତ ଚଳିତ ବର୍ଷ ଏହି ଶିଖର ସମ୍ମିଳନୀ ଆୟୋଜନ କରିଥିଲା । ଓଇସିଡି ଏବଂ ଜାତିସଂଘ ସମେତ ଅନ୍ତର୍ଜାତୀୟ ସଂସ୍ଥା ସହ ଆଲୋଚନାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ବୈଷ୍ଣବ କହିଥିଲେ ।

Leave A Reply

Your email address will not be published.