om academy

କେରଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ସହରାଞ୍ଚଳ କ୍ଷେତ୍ରର ପ୍ରକଳ୍ପ ଉଦଘାଟନ କରିବା ସହିତ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

jsm

•ଆଜି ଆରମ୍ଭ କରାଯାଇଥିବା ବିକାଶମୂଳକ ପ୍ରକଳ୍ପ କେରଳର ସମସ୍ତ ଅଞ୍ଚଳ ଏବଂ ବ୍ୟାପକ କ୍ଷେତ୍ରରେ ବ୍ୟାପୀ ରହିଛି : ପ୍ରଧାନମନ୍ତ୍ରୀ
•ବିଗତ ଛଅ ବର୍ଷ ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତା ୧୩ ଗୁଣା ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ
•ଆମର ଅନ୍ନଦାତାମାନଙ୍କୁ ଉର୍ଜ୍ଜାଦାତା କରିବା ଲାଗି ଚାଷୀମାନଙ୍କୁ ସୌର କ୍ଷେତ୍ର ସହିତ ଯୋଡ଼ାଯାଉଛି : ପ୍ରଧାନମନ୍ତ୍ରୀ
•ବିକାଶ ଓ ଉତ୍ତମ ପ୍ରଶାସନ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ କିମ୍ବା ଭାଷା ଦେଖିନଥାଏ : ପ୍ରଧାନମନ୍ତ୍ରୀ

କେରଳ (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପ, କାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ସେ ମଧ୍ୟ ଏହି କାର୍ୟ୍ୟକ୍ରମ ଅବସରରେ ଥିରୁଅନନ୍ତପୁରମରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଓ ସ୍ମାର୍ଟ ରୋଡ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସମେତ କେନ୍ଦ୍ର ଶକ୍ତି, ନୂତନ ଏବଂ ନବୀକରଣ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜ କୁମାର ସିଂ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ କରାଯାଇଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକ କେରଳର ବିଭିନ୍ନ ଅଞ୍ଚଳ ଏବଂ ବ୍ୟାପକ କ୍ଷେତ୍ରରେ ବ୍ୟାପି ରହିଛି । ଏଗୁଡ଼ିକ କେରଳ ଭଳି ସୁନ୍ଦର ରାଜ୍ୟକୁ ଶକ୍ତିଶାଳୀ ଓ ସଶକ୍ତ କରିବ, ଯେଉଁ ରାଜ୍ୟର ଲୋକମାନେ ଭାରତର ପ୍ରଗତିରେ ସମୃଦ୍ଧ ଯୋଗଦାନ ଦେଉଛନ୍ତି । ସେ କହିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ୨୦୦୦ ମେଗାୱାଟ ଅତ୍ୟାଧୁନିକ ପୁଗାଲୁର-ତ୍ରିଶୁର ହାଇଭୋଲ୍ଟେଜ ଡାଇରେକ୍ଟ କରେଣ୍ଟ ସିଷ୍ଟମ ହେଉଛି କେରଳର ପ୍ରଥମ ଏଚଭିଡିସି ଇଣ୍ଟରକନେକ୍ସନ ଯାହା ଜାତୀୟ ଗ୍ରିଡ୍ ସହିତ ଯୋଡ଼ି ହେବ ଏବଂ ରାଜ୍ୟର ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ ଲାଗି ବିପୁଳ ପରିମାଣର ବିଦ୍ୟୁତ ଶକ୍ତି ସ୍ଥାନାନ୍ତର କରିବ । ଦେଶରେ ପ୍ରଥମ ଥର ଲାଗି ବିଦ୍ୟୁତ ସଞ୍ଚାରଣ ନିମନ୍ତେ ଭିଏସଜି କନଭର୍ଟର ପ୍ରଯୁକ୍ତି ପ୍ରଚଳନ କରାଯିବା ଏଠାରେ ଆରମ୍ଭ ହୋଇଛି । ସେ ଆହୁରି କହିଥିଲେ ଯେ ରାଜ୍ୟରେ ଅନ୍ତରୀଣ ବିଦ୍ୟୁତ ଶକ୍ତି ଉତ୍ପାଦନ ଋତୁକାଳିନ ହୋଇଥିବା କାରଣରୁ କେରଳ ଜାତୀୟ ଗ୍ରୀଡରୁ ବିଦ୍ୟୁତ ଆମଦାନୀ କରିବା ଉପରେ ଅଧିକ ନିର୍ଭରଶୀଳ ହୋଇଥାଏ । ଏଚଭିଡିସି ବ୍ୟବସ୍ଥା ଫଳରେ ଏହି ବ୍ୟବଧାନକୁ ହ୍ରାସ କରାଯାଇପାରିବ । ସେ ଖୁସି ବ୍ୟକ୍ତ କରି କହିଥିଲେ ଯେ ଏହି ପ୍ରକଳ୍ପରେ ଉପଯୋଗ କରାଯାଇଥିବା ଏଚଭିଡିସି ସରଞ୍ଜାମଗୁଡ଼ିକ ଭାରତରେ ନିର୍ମିତ ହୋଇଛି ଏବଂ ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ବଳ ଯୋଗାଇବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୌର ଶକ୍ତି କ୍ଷେତ୍ରରେ ଆମର ଉପଲବ୍ଧି ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ସହିତ ଆମର ଉଦ୍ୟମୀମାନଙ୍କୁ ପ୍ରୋତ୍ସାହିତ କରିଛି । ସେ କହିଥିଲେ ଯେ ଆମର ଅନ୍ନଦାତାମାନଙ୍କୁ ଉର୍ଜାଦାତା କରିବା ଲାଗି ଚାଷୀମାନଙ୍କୁ ସୌର ଶକ୍ତି କ୍ଷେତ୍ର ସହିତ ଯୋଡ଼ାଯାଉଛି । ପିଏମ-କୁସୁମ ଯୋଜନା ଅନ୍ତର୍ଗତ, ଚାଷୀମାନଙ୍କୁ ୨୦ ଲକ୍ଷ ସୌର ଶକ୍ତି ପମ୍ପ ଯୋଗାଇ ଦିଆଯାଇଛି । ସେ ଆହୁରି କହିଥିଲେ ଯେ ବିଗତ ଛଅ ବର୍ଷ ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତା ୧୩ ଗୁଣା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ସୌର ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ବିଶ୍ଵକୁ ଏକତ୍ରିତ କରିପାରିଛି । ସେ କହିଥିଲେ ଆମର ସହରଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ ଏବଂ ନବୋନ୍ମେଷର ଶକ୍ତିକେନ୍ଦ୍ର । ଆମ ସହରଗୁଡ଼ିକରେ ତିନୋଟି ଉତ୍ସାହପ୍ରଦ ଧାରା ଦେଖିବାକୁ ମିଳୁଛି: ଜ୍ଞାନକୌଶଳର ବିକାଶ, ଅନୁକୂଳ ଜନସାଂଖ୍ୟିକୀୟ ବିଭାଜନ ଏବଂ ବର୍ଦ୍ଧିତ ଘରୋଇ ଚାହିଦା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ଉନ୍ନତ ସହରାଞ୍ଚଳ ଯୋଜନା ଏବଂ ପରିଚାଳନା ଲାଗି ସହରଗୁଡ଼ିକୁ ସହାୟକ ହେଉଛି । ସେ ଘୋଷଣା କରିଥିଲେ ଯେ ୫୪ଟି କମାଣ୍ଡ ସେଣ୍ଟର ପ୍ରକଳ୍ପ କାର୍ୟ୍ୟକ୍ଷମ ହୋଇଥିବା ବେଳେ ୩୦ଟି ଏପରି ପ୍ରକଳ୍ପ କାର୍ୟ୍ୟକାରିତାର ବିଭିନ୍ନ ପର୍ୟ୍ୟାୟରେ ରହିଛନ୍ତି । ମହାମାରୀ ସମୟରେ ଏହି କେନ୍ଦ୍ରଗୁଡ଼ିକ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ । ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ, କେରଳର ଦୁଇଟି ସ୍ମାର୍ଟ ସିଟି-କୋଚି ଏବଂ ଥିରୁଅନନ୍ତପୁରମ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛନ୍ତି । ୭୭୩ କୋଟି ଟଙ୍କାର ୨୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୦୦୦ କୋଟି ଟଙ୍କାର ୬୮ଟି ପ୍ରକଳ୍ପ ଅଗ୍ରଗତି ପଥରେ ରହିଛି । ପ୍ରଧାନମନ୍ତ୍ରୀ କହିଥିଲେ, ବର୍ଜ୍ୟଜଳ ପରିଚାଳନା ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ଉନ୍ନତିକରଣ କରିବା କ୍ଷେତ୍ରରେ ଅମୃତ ସହାୟକ ହେଉଛି । ଅମୃତ ଯୋଜନା ଅନ୍ତର୍ଗତ ୧୧୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ କେରଳରେ ମୋଟ ୧୭୫ଟି ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଉଛି । ୯ଟି ଅମୃତ ସହରରେ ସାର୍ବଜନୀନ ପ୍ରସାର ଯୋଗାଇ ଦିଆଯାଇଛି । ସେ କହିଥିଲେ, ଆଜି ଉଦଘାଟିତ ହୋଇଥିବା ଆରୁଭିକ୍କରା ଜଳ ପରିଚାଳନା ପ୍ଲାଣ୍ଟ ୭୦ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହା ପାଖାପାଖି ୧୩ ଲକ୍ଷ ନାଗରିକଙ୍କ ଜୀବନଧାରଣରେ ସୁଧାର ଆଣିବ ଏବଂ ଏହାଦ୍ୱାରା ଥିରୁଅନନ୍ତପୁରମରେ ମୁଣ୍ଡପିଛା ଜଳ ଯୋଗାଣ ପରିମାଣ ପୂର୍ବର ଦୈନିକ ୧୦୦ ଲିଟରରୁ ୧୫୦ ଲିଟରକୁ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନ ସାରା ଭାରତକୁ ଅନୁପ୍ରାଣିତ କରିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିବାଜୀ ସ୍ୱରାଜ୍ୟ ଉପରେ ଜୋର ଦେଇଥିଲେ, ଯେଉଁଠି ସମାଜର ପ୍ରତ୍ୟେକ ବର୍ଗର ଲୋକମାନଙ୍କ ନିକଟରେ ବିକାଶ ପହଞ୍ଚିପାରିବ । ସେ କହିଥିଲେ ଯେ, ଶିବାଜୀ ଏକ ଶକ୍ତିଶାଳୀ ନୌସେନା ଗଠନ କରିଥିଲେ ଏବଂ ଉପକୂଳର ବିକାଶ ତଥା ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ଅନେକ କାର୍ୟ୍ୟ କରିଥିଲେ । ଭାରତ ସରକାର ତାଙ୍କର ସଂକଳ୍ପକୁ ଆଗେଇ ନେଉଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ମାର୍ଗରେ ରହିଛି । ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର ଅଣାଯାଇଛି । ଏସବୁ ପ୍ରୟାସ ଅଧିକାଂଶ ପ୍ରତିଭାସମ୍ପନ୍ନ ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ । ସେ କହିଥିଲେ ଭାରତ ନୀଳ ଅର୍ଥବ୍ୟବସ୍ଥାରେ ନିବେଶ କରୁଛି । ମତ୍ସ୍ୟଜୀବୀଙ୍କ ପାଇଁ ଆମର ପ୍ରୟାସ : ଅଧିକ ଋଣ, ବର୍ଦ୍ଧିତ ଜ୍ଞାନକୌଶଳ, ଉନ୍ନତ ମାନର ଭିତ୍ତିଭୂମି ଏବଂ ସହାୟକ ସରକାରୀ ନୀତି ଉପରେ ଆଧାରିତ । ସେ କହିଥିଲେ, ସରକାରଙ୍କ ନୀତି ଫଳରେ ଭାରତ ସାମୁଦ୍ରିକ ଖାଦ୍ୟ ରପ୍ତାନିର କେନ୍ଦ୍ରରେ ପରିଣତ ହୋଇପାରିବ । ମହାନ ମାଲାୟାଲମ କବି କୁମାରନାଶନଙ୍କ ଉକ୍ତି, ‘ମୁଁ ତୁମର ଜାତି ପଚାରୁନାହିଁ ଭଉଣୀ, ମୁଁ ପାଣି ମାଗୁଛି, ମୋତେ ଶୋଷ ଲାଗୁଛି’ । ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ଏବଂ ଉତ୍ତମ ପ୍ରଶାସନ ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ଓ ଭାଷା ଜାଣିନଥାଏ । ସମସ୍ତଙ୍କ ପାଇଁ ବିକାଶ ଏବଂ ତାହା ହେଉଛି ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ । ଆଗକୁ ବଢ଼ିବା ଏବଂ ଏକଜୁଟତା ଏବଂ ବିକାଶର ଏହି ସହଭାଗୀ ସଂକଳ୍ପକୁ ବାସ୍ତବ ରୂପ ଦେବା ଲାଗି ପ୍ରଧାନମନ୍ତ୍ରୀ କେରଳବାସୀଙ୍କ ସମର୍ଥନ ଲୋଡ଼ିଥିଲେ ।

Leave A Reply

Your email address will not be published.