ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ଦୁଇ ବର୍ଷ ପୂରିଲା

  • କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଜଣେ ବିଦ୍ୟାଳୟ ଶିକ୍ଷକ ଭୂମିକା ଗ୍ରହଣ କଲେ ରାଷ୍ଟ୍ରପତି
  • ରାଷ୍ଟ୍ରପତି ଭବନରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ନିଜ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ କରିଛନ୍ତି । କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷୟିତ୍ରୀ ଭୂମିକା ନିର୍ବାହ କରିଥିଲେ । ରାଷ୍ଟ୍ରପତି ଭବନରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ସଂକ୍ଷିପ୍ତ କିନ୍ତୁ ସାରଗର୍ଭକ ମତ ବିନିମୟ କାର୍ଯ୍ୟକ୍ରମରେ ସେ ପ୍ରକୃତି ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଶିକ୍ଷା ଦେଇଥିଲେ । ନିଜ ପିଲାଦିନ କଥା ମନେ ପକାଇ, ରାଷ୍ଟ୍ରପତି ଉଦ୍ଭିଦ ଓ ପ୍ରାଣୀମାନଙ୍କର ଯତ୍ନ ନେବାରେ ତାଙ୍କର ଅନୁଭୂତି ବାଣ୍ଟିଥିଲେ । ଛାତ୍ରଛାତ୍ରୀ ଉତ୍ସାହର ସହ ମତ ରଖିବା ସହ ଅନେକ ପରାମର୍ଶ ମଧ୍ୟ ଦେଇଥିଲେ । ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ଅନ୍ତର୍ଭୁକ୍ତ ଥିଲା:
୧. ପୁନଃବିକଶିତ ଶିବ ମନ୍ଦିରର ଉଦ୍‌ଘାଟନ ।
୨. ପ୍ରଣବ ମୁଖାର୍ଜୀ ସାର୍ବଜନୀନ ପାଠାଗାର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାଷ୍ଟ୍ରପତି ଭବନ ପାଠାଗାରର ପୁରୁଣା ଓ ବିରଳ ପୁସ୍ତକର ଡିଜିଟାଲ ସଂସ୍କରଣ ଦେଖିଥିଲେ ।
୩. ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ଉପସ୍ଥିତିରେ ଏକ ସ୍କିଲ୍ ଇଣ୍ଡିଆ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ ।
୪. ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର କ୍ରୀଡ଼ା ପଡ଼ିଆରେ କ୍ରିକେଟ୍‌ ପାଭିଲିୟନ ଉଦ୍‌ଘାଟନ ।
୫. ସିନ୍ଥେଟିକ୍ ଓ ଘାସ ଟେନିସ୍ କୋର୍ଟର ଉଦ୍‌ଘାଟନ ।
୬. ରାଷ୍ଟ୍ରପତି ଭବନରେ ଇ-ଉପହାର, ଆରବି ଆପ୍, ଇ-ପୁସ୍ତକ – ରାଷ୍ଟ୍ରପତି ପଦବୀରେ ଗତ ଏକ ବର୍ଷର ଝଲକ (https://rb.nic.in/ebook.htm) ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରୟାସର ସଂକଳନକୁ ଉନ୍ମୋଚନ କରିଥିଲେ । ବିଭିନ୍ନ ଡିଜିଟାଲ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସଂକ୍ଷିପ୍ତ ବକ୍ତବ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ କରାଯାଇଥିବା ଡିଜିଟାଲକରଣ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହା ସୁବିଧା, ଗତି, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବ ବୋଲି କହିଥିଲେ । ସମାଜର ସବୁ ବର୍ଗ, ବିଶେଷ କରି ବଞ୍ଚିତ ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ଆମେ ସର୍ବଦା ଉଦ୍ୟମ କରିବା ଉଚିତ୍‌ ବୋଲି ରାଷ୍ଟ୍ରପତି କହିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ଏଭଳି ଅନେକ ନିଷ୍ପତ୍ତି ନିଆଯାଇଛି ଯାହା ରାଷ୍ଟ୍ରପତି ଭବନ ସହିତ ସାଧାରଣ ଲୋକଙ୍କ ସଂପୃକ୍ତିକୁ ବଢ଼ାଇଛି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ଭବନରେ ପଠନ ସଂସ୍କୃତି ଓ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସକୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.