ବିଶ୍ୱାସ ନହେଲେ ବି ସତ : ପୁନର୍ଜନ୍ମ ପରେ ପୂର୍ବ ଜନ୍ମର ମାଆ ବାପାକୁ ଚିହ୍ନିଲା ବାଳକ

ଝାଲାୱାଡ : ବର୍ତ୍ତମାନର ବିଜ୍ଞାନ ଯୁଗରେ ପୁନର୍ଜନ୍ମକୁ ବିଶ୍ୱାସ କରାଯାଇ ପାରୁନାହିଁ । ପୁନର୍ଜନ୍ମ କଥା କହିଲେ ହୁଏତ ଲୋକେ ହସରେ ଉଡେ଼ଇ ଦେଇ ପାରନ୍ତି । କିନ୍ତୁ ଜୀବନ ପ୍ରବାହକୁ ନେଇ କେତେବେଳେ କେମିତି ଦ୍ୱନ୍ଦମୟ ଘଟଣା ସବୁ ସାମ୍ନାକୁ ଆସେ, ଯାହାକୁ ନ ଚାହିଁଲେ ବି ବିଶ୍ୱାସ କରିବାକୁ ପଡ଼ିଥାଏ । ଏଭଳି ଏକ ପୁନର୍ଜନ୍ମ ଘଟଣା ଝାଲାୱାଡର ଖଜୁରୀ ଗାଁରେ ସାମ୍ନାକୁ ଆସିଛି । ଏଠାରେ ଏକ ପରିବାରର ତିନିବର୍ଷର ପୁଅ ମୋହିତ ନିଜର ପୁନର୍ଜନ୍ମ କଥା କହୁଥିବା ବେଳେ ପୂର୍ବ ଜନ୍ମରେ ତାର ନାମ ତୋରଣ ଥିଲା ଓ ସେହି ଜନ୍ମରେ ତାର ମୃତ୍ୟୁର କାରଣ ମଧ୍ୟ ବଖାଣିଛି । ଏ ଘଟଣା ଗଣମାଧ୍ୟମରେ ଚହଳ ସୃଷ୍ଟି କରିଛି ।

ପ୍ରଥମେ ପରିବାରର ସଦସ୍ୟମାନେ ବିଶ୍ୱାସ କରୁନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପରିବାର ଲୋକେ ପୁଅ ମୋହିତର କହିବା ଅନୁସାରେ ମୃତକ ତୋରଣର ପିତାମାତା ତଥା ବନ୍ଧୁ ପରିଜନଙ୍କ ସହ ମୋହିତକୁ ସାକ୍ଷାତ କରାଇଲେ । ଏହାପରେ ମୃତକ ତୋରଣର ପିତାମାତା ତଥା ବନ୍ଧୁ ପରିଜନଙ୍କ ଠାରେ ମଧ୍ୟ କୌତୁହଳର ବିଷୟ ପାଲଟିଲା ଏହି ଘଟଣା । ମୋହିତଙ୍କ ପିତା ଓଁକାର ଲାଲ ମେହର କହିଛନ୍ତି ଯେ, ମୋହିତ ଜନ୍ମରୁ ଟ୍ରାକ୍ଟରର ଶବ୍ଦ ଶୁଣିଲେ ଡରି ଯାଉଥିଲା ଏବଂ ଜୋର୍‌ରେ କାନ୍ଦୁଥିଲା । ସେତେବେଳେ ସେ କିଛି କହି ପାରୁନଥିଲା । ଯେତେବେଳେ ସେ କଥା କହିବା ଶିଖିଲା, ସେତେବେଳେ ସେ ନିଜ ନାମ ତୋରଣ(ପୂର୍ବଜନ୍ମର ନାମ) ବୋଲି କହିଲା । ଘଟଣାର ଖୋଳତାଡ଼ ପରେ ଜଣାପଡ଼ିଲା ଯେ, ପ୍ରାୟ ୧୬ ବର୍ଷ ତଳେ ମନୋହର ଥାନା କ୍ଷେତ୍ରର କୋଲୁଖେଡ଼ିକଲାରେ ରାସ୍ତା ନିର୍ମାଣ କାମ କରିବାକୁ ଯାଇଥିବା ଖଜୁରୀର ୨୫ ବର୍ଷୀୟ ତୋରଣ ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲା । ତେବେ ଏହାପରେ ତୋରଣଙ୍କ ପିତାମାତା ବିତସ୍ଫୃହ ହୋଇ ଘର ବିକି ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ଶଙ୍କରପୁରା(ଜାମନେର୍‌) ଗାଁରେ ରହିଲେ । ତୋରଣଙ୍କ ପିୟୁସୀ ନଥିଆ ବାଇ ଖଜୁରୀରେ ରହୁଥିଲେ । ସୂଚନା ପାଇବା ପରେ ସେ ଯେତେବେଳେ ମୋହିତକୁ ଭେଟିବାକୁ ଆସିଲେ, ମୋହିତ ତାଙ୍କୁ ଚିହ୍ନି ପକାଇଥିଲା । ଏହାପରେ ତୋରଣର ମାତାପିତାଙ୍କୁ ଏ ସଂପର୍କରେ ସୂଚନା ଦିଆଯିବାରୁ ସେମାନେ ତୁରନ୍ତ ପହଂଚିଥିଲେ । ଆଶ୍ଚର୍ଯ୍ୟର କଥା ଯେ, ତିନିବର୍ଷର ଶିଶୁ ତାର ପୂର୍ବଜନ୍ମର ମାତାପିତାଙ୍କୁ ଚିହ୍ନି ପକାଇଥିଲା । ସବୁଠୁ ବଡ଼ କଥା ହେଲା, ମୋହିତ ନିଜ ନାଁ ତୋରଣ ବୋଲି କହିବା ସହ ପୂର୍ବଜନ୍ମରେ ନିଜ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ଭାବେ ଜାଣିଥିଲା ।

Leave A Reply

Your email address will not be published.