୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ଫସଲ ଜାରି କଲେ ପ୍ରଧାନମନ୍ତ୍ରୀ

  • ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କଲେ
  • ନୂତନ ପ୍ରଜାତି ଅତ୍ୟନ୍ତ ଲାଭଦାୟକ ହେବା ସହିତ ବ୍ୟୟ ହ୍ରାସ କରିବାରେ ସହାୟକ ହେବ ଏବଂ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ : ପ୍ରଧାନମନ୍ତ୍ରୀ
  • ଏହି ନୂତନ ଫସଲ ପ୍ରଜାତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ
  • ଅବ୍ୟବହୃତ ଫସଲକୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ଅନୁଯାୟୀ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି
  • ପ୍ରଧାନମନ୍ତ୍ରୀ ପ୍ରାକୃତିକ ଚାଷର ଲାଭ ଏବଂ ଜୈବିକ ଖାଦ୍ୟର ବର୍ଦ୍ଧିତ ଚାହିଦା ଉପରେ ଆଲୋଚନା କରିଥିଲେ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ଠାରେ ୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ ଜଳବାୟୁ ସହନଶୀଳ ଏବଂ ଜୈବ ଉର୍ବରୀକରଣ ପ୍ରଜାତିର ଫସଲ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ନୂତନ ଫସଲ ପ୍ରଜାତିର ମହତ୍ତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ କିସମଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ କାରଣ ଏହା ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବା ସହିତ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ । ପ୍ରଧାନମନ୍ତ୍ରୀ ବାଜରାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ଏବଂ ଲୋକମାନେ କିପରି ପୁଷ୍ଟିକର ଖାଦ୍ୟ ଆଡକୁ ଅଗ୍ରସର ହେଉଛନ୍ତି ସେ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରାକୃତିକ ଚାଷର ଉପକାରିତା ଏବଂ ଜୈବିକ ଚାଷ ପ୍ରତି ସାଧାରଣ ଲୋକଙ୍କ ବୃଦ୍ଧି ପାଉଥିବା ଆସ୍ଥା ବିଷୟରେ ସେ କହିଥିଲେ ଯେ, ଲୋକମାନେ ଜୈବିକ ଖାଦ୍ୟ ଖାଇବା ଏବଂ ଦାବି କରିବା ଆରମ୍ଭ କରିଛନ୍ତି । ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସକୁ କୃଷକମାନେ ପ୍ରଶଂସା କରିଛନ୍ତି । ସଚେତନତା ସୃଷ୍ଟି କରିବାରେ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ର ଭୂମିକାକୁ ମଧ୍ୟ କୃଷକମାନେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ, କେଭିକେଗୁଡିକ ପ୍ରତି ମାସରେ ବିକଶିତ ହେଉଥିବା ନୂତନ ପ୍ରଜାତିର ଲାଭ ବିଷୟରେ ସକ୍ରିୟ ଭାବରେ କୃଷକମାନଙ୍କୁ ଅବଗତ କରାଇବା ଉଚିତ୍‌ ଯାହା ଦ୍ୱାରା ଏହାର ଫାଇଦାକୁ ନେଇ ସଚେତନତା ବୃଦ୍ଧି ପାଇବ । ଏହି ନୂତନ ଫସଲ ପ୍ରଜାତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଅବ୍ୟବହୃତ ଫସଲକୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ଅନୁଯାୟୀ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ୬୧ଟି ଫସଲର ୧୦୯ଟି ପ୍ରଜାତି ମଧ୍ୟରେ ୩୪ଟି କ୍ଷେତ ଫସଲ ଏବଂ ୨୭ଟି ଉଦ୍ୟାନ କୃଷି ଫସଲ ଅନ୍ତର୍ଭୁକ୍ତ । କ୍ଷେତ ଫସଲ ମଧ୍ୟରେ ବାଜରା, ଚାରାଜାତୀୟ ଫସଲ, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା, ତନ୍ତୁଜାତୀୟ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଫସଲ ସମେତ ବିଭିନ୍ନ ଶସ୍ୟର ବିହନ ଜାରି କରାଯାଇଥିଲା । ଉଦ୍ୟାନ କୃଷି ଫସଲ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବାଡିବଗିଚାରେ ଚାଷ ହେଉଥିବା ଫସଲ, କନ୍ଦଜାତୀୟ ଫସଲ, ମସଲା, ଫୁଲ ଓ ଔଷଧୀୟ ଫସଲ ଜାରି କରାଯାଇଥିଲା ।

Leave A Reply

Your email address will not be published.