ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ : ୧୦ ନବଜାତ ଶିଶୁଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଦେଲେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ : ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଭଣ୍ଡାରାର ଏକ ସରକାରୀ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୧୦ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସିଏମ୍ ଉଦ୍ଧବ ଠାକରେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପଙ୍କ ସହ କଥା ହୋଇଥିଲେ । ଏହି ଘଟଣାରେ ସିଏମ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଭଣ୍ଡାରା ପୋଲିସ ଅଧୀକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ମହାରାଷ୍ଟ୍ରର ଗୃହମନ୍ତ୍ରୀ ମଧ୍ୟ ଘଟଣାସ୍ଥଳକୁ ଯାଉଛନ୍ତି । ଭଣ୍ଡାରାରେ ପହଞ୍ଚିବା ପରେ ସେ ସରକାରୀ ଡାକ୍ତରଖାନା ପରିଦର୍ଶନ କରିବେ ଏବଂ ପୋଲିସ ଅଧୀକ୍ଷକଙ୍କ ସହ କଥା ହେବେ ଏବଂ ଘଟଣାର ପ୍ରାଥମିକ ରିପୋର୍ଟ ଗ୍ରହଣ କରିବେ । ଭଣ୍ଡାରା ଦୁର୍ଘଟଣାରେ ୧୦ ଜଣ ନବଜାତ ଶିଶୁର ମୃତ୍ୟୁ ପରେ ସରକାର ବର୍ତ୍ତମାନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଡେପୁଟି ସିଏମ୍ ଅଜିତ ପାୱାର ପ୍ରତ୍ୟେକ ଡାକ୍ତରଖାନାର ଶିଶୁ ୱାର୍ଡରେ ସୁରକ୍ଷା ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘଟଣା ସମ୍ପର୍କରେ ଭଣ୍ଡାରା ଜିଲ୍ଲା ମାଜିଷ୍ଟ୍ରେଟ ସନ୍ଦୀପ କଦମ କହିଛନ୍ତି ଯେ, ରାତି ପ୍ରାୟ ୨ ଟା ସମୟରେ ଅଗ୍ନିକାଣ୍ଡ ଘଟି ୧୦ ନବଜାତ ଶିଶୁର ମୃତ୍ୟୁ ଘଟିଥିଲା । ସେ କହିଛନ୍ତି ଯେ, ଆମେ ୭ ଶିଶୁଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛୁ ।

ଭଣ୍ଡାରାର ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ ଘଟଣାର କାରଣ କ’ଣ ବୈଷୟିକ କମିଟି ଅନୁସନ୍ଧାନ କରିବ । ଏହି ହୃଦୟ ବିଦାରକ ଦୁର୍ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ମହାରାଷ୍ଟ୍ରର ଭଣ୍ଡାରାଠାରେ ଶିଶୁମାନଙ୍କର ଅକାଳ ମୃତ୍ୟୁ ଅତ୍ୟଧିକ ଦୁଃଖର କାରଣ ହୋଇଛି । ଏହି ହୃଦୟ ବିଦାରକ ଦୁର୍ଘଟଣାରେ ନବଜାତ ସନ୍ତାନ ହରାଇଥିବା ପରିବାରକୁ ମଧ୍ୟ ସେ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.