ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ବୀରତା ପୁରସ୍କାର ଗ୍ରହଣ କରିଥିବା ହିରୋମାନଙ୍କ ନାମ ଘୋଷଣା କରାଯାଇଛି । ଚଳିତ ବର୍ଷ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩୮୪ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ୪ ରାଜପୁତାନା ରାଇଫଲ୍ସର ସୁବେଦାର ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବ । ୭୩ ତମ ଗଣତନ୍ତ୍ର ଦିବସ ଅବସରରେ ଘୋଷିତ ୩୮୪ ପୁରସ୍କାରରେ ୧୨ଟି ଶୌର୍ଯ୍ୟ ଚକ୍ର, ୨୯ ପରମ ବିଶିଷ୍ଟ ସେବା ପଦକ, ୪ଟି ଉତ୍ତମ ଯୁଦ୍ଧ ସେବା ପଦକ, ୫୩ ଅତି ବିଶିଷ୍ଟ ସେବା ପଦକ, ୧୩ ଯୁଦ୍ଧ ସେବା ପଦକ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ୧୨୨ ବିଶିଷ୍ଟ ସେବା ପଦକ, ୮୧ ସେନା ପଦକ (ବୀରତା), ୨ ବାୟୁ ସେନା ପଦକ, ୪୦ ସେନା ପଦକ, ୮ ନୌସେନା ପଦକ, ୧୪ ବାୟୁ ସେନା ପଦକ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ୧୮୯ ହିରୋଙ୍କୁ ପୋଲିସ ପଦକ ସହିତ ସମ୍ମାନିତ କରାଯିବ । ପୁଣି ଏଥି ସହିତ ୮୮ ସାହସୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ୍ ପଦକ (ପିପିଏମ୍) ଏବଂ ସମ୍ମାନଜନକ ସେବା ପାଇଁ ୬୬୨ ଜଣଙ୍କୁ ପୋଲିସ୍ ମେଡାଲ୍ (ପିଏମ୍) ପ୍ରଦାନ କରାଯିବ । ୧୮୯ଟି ବୀରତା ପୁରସ୍କାର ମଧ୍ୟରୁ ୧୩୪ଟି ଜାମ୍ମୁ କାଶ୍ମୀର ଅଞ୍ଚଳରେ ସେମାନଙ୍କ ବୀରତା ପାଇଁ ପୁରସ୍କୃତ କରାଯିବ । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ୪୭ ଜଣ କର୍ମଚାରୀ ଏବଂ ଉତ୍ତର ପୂର୍ବାଞ୍ଚଳର ବୀରତା କାର୍ଯ୍ୟ ପାଇଁ ୪୭ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଉଛି ।