
ନୂଆଦିଲ୍ଲୀ : ଘନଘୋର ଯୁଦ୍ଧ ଭିତରେ ୟୁକ୍ରେନ୍କୁ ନାଟୋ ଦେଉଛି ଆଂଟି ଟ୍ୟାଙ୍କ ହତିଆର ଏବଂ ଏହା ନାଟୋ ଚିଫ୍ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି । ସାରା ବିଶ୍ୱ ଏବେ ରୁଷ୍ ଆକ୍ରମଣରୁ ୟୁକ୍ରେନ୍କୁ ବଂଚାଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନ୍ ରାଜଧାନୀ କ୍ୱିବ୍କୁ ଆଜି ରାତି ହେବା ଆଗରୁ ଖାଲି କରିଦେବା ପାଇଁ ରୁଷ ପକ୍ଷରୁ କହାଯାଉଥିବା ରୁଷ୍ ବୈଦ୍ୟୁତିକ ଗଣମାଧ୍ୟମ ଦ୍ୱାରା ପ୍ରଚାର ହେବା ପରେ କ୍ୱିବ୍ ଉପରେ ଆସନ୍ତା କିଛି ଘଂଟା ମଧ୍ୟରେ ଏକ ବଡ଼ ଧରଣର ଆକ୍ରମଣ ଆଶଙ୍କା କରାଯାଉଛି । ଆଜି ରାତି ମଧ୍ୟରେ ରୁଷ୍ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇପାରେ ବୋଲି ଆଲୋଚକମାନେ ମତ ପ୍ରକାଶ କରିଛନ୍ତି । ୟୁକ୍ରେନ୍ ରାଜଧାନୀ କ୍ୱିବ୍ ସହ ଅନ୍ୟ ସହରଗୁଡ଼ିକ ଏବେ ବୋମା ଓ ରକେଟ୍ ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ହୋଇ ପଡ଼ିଥିବା ବେଳେ ଜଳବହୁଳ ଅଂଚଳରେ ମଧ୍ୟ ରୁଷ୍ ପକ୍ଷରୁ ମିସାଇଲ୍ ମାଡ଼ ହେଉଥିବା କୁହାଯାଉଛି । ତେବେ ନାଟୋ ଏବେ ପ୍ରତ୍ୟକ୍ଷ ସହଯୋଗର ହାତ ବଢ଼ାଇବା ପରେ ୟୁକ୍ରେନ୍ର ମନୋବଳ ବଢ଼ିବା ସହ ରୁଷ୍ ରାଷ୍ଟ୍ରପତି ପୁତିନଙ୍କ କ୍ରୋଧ ଚରମ ସୀମାରେ ପହଂଚିଛି । ଏପରିକି ରୁଷ୍ ରାଷ୍ଟ୍ରପତି ପୁତିନ ତାଙ୍କ ବିରୁଦ୍ଧରେ ଯାଉଥିବା ସମସ୍ତ ଦେଶକୁ ଧମକ୍ ଦେବା ଭଳି ସ୍ଥିତି ମଧ୍ୟ ଦେଖିବାକୁ ମିଳୁଛି ।