୧୯ ଦିନରେ ପହଂଚିଲା ମହାଯୁଦ୍ଧ : ଭୀଷଣ ଯୁଦ୍ଧରେ ୟୁକ୍ରେନ୍‌ ଛାର୍‌ଖାର, ବିଭତ୍ସ ମୃତ୍ୟୁର ଖଣ୍ଡହର ପାଲଟିଲାଣି

ନୂଆଦିଲ୍ଲୀ : ଆଜି ୧୯ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । ଭୀଷଣ ଯୁଦ୍ଧରେ ୟୁକ୍ରେନ୍‌ର ସମସ୍ତ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇ ଛାର୍‌ଖାର୍‌ ହୋଇସାରିଛି । କୌଣସି ଅଂଚଳ ଆଉ ବାକି ନାହିଁ ଧ୍ୱଂସ ହେବାକୁ । ବିଭତ୍ସ ମୃତ୍ୟୁର ଖଣ୍ଡହର ପାଲଟି ସାରିଲାଣି ୟୁକ୍ରେନ୍‌ ମାଟି । ପ୍ରତି ମୁହୂର୍ତ୍ତରେ ବୋମା, ମିସାଇଲ୍‌, ରକେଟ୍‌ ମାଡ଼ରେ ତ୍ରାହି ତ୍ରାହି ଡାକୁଛି ମାନବ ସମାଜ । ତଥାପି ପଛକୁ ହଟୁନାହିଁ ୟୁକ୍ରେନ୍‌ । ରୁଷ୍‌ ସୈନ୍ୟଙ୍କୁ ମୁହୁଁତୋଡ଼ ଜବାବ୍‌ ଦେବାକୁ ତଥାପି ଅଂଟା ଭିଡ଼ିଛି । ୟୁକ୍ରେନ୍‌ରେ ହଜାର ହଜାର ନିରୀହ ଜୀବନ ବୋମା, ମିସାଇଲ୍‌, ରକେଟ୍‌ ମାଡ଼ରେ ପାଣି ଫୋଟକା ଭଳି ଧୂଆଁ ଓ ନିଆଁରେ ମିଳାଇ ଯାଇ ସାରିଥିବା ବେଳେ ସାରା ବିଶ୍ୱରେ ଏବେ ଉତ୍ତେଜନା ସୃଷ୍ଟି କଲାଣି ଏହି ମହାଯୁଦ୍ଧ । ଆଜି ରୁଷ-ୟୁକ୍ରେନ୍‌ କଥାବାର୍ତ୍ତାର ଚତୁର୍ଥ ରାଉଣ୍ଡ ବୈଠକ ଭାରତୀୟ ସମୟ ଦିନ ଦେଢ଼ଟାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନ୍ୟପକ୍ଷରେ ଚୀନ୍‌-ଆମେରିକା ମଧ୍ୟ ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ମହାଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧକୁ ଆମନ୍ତ୍ରଣ କରି ଆଣିପାରେ ବୋଲି ବିଶ୍ୱସ୍ତରୀୟ ଯୁଦ୍ଧ ବିଷାରଦମାନେ ଆଶଙ୍କା ପ୍ରକାଶ କରିଛନ୍ତି । ରୁଷ୍‌ ଉପରେ ୟୁରୋପୀୟ ଦେଶମାନଙ୍କର ଆର୍ଥିକ ପ୍ରତିବନ୍ଧ ରୁଷ୍‌ର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିବାରେ ଲାଗିଥିବା ବେଳେ ନାଟୋକୁ ମଧ୍ୟ ସିଧାସଳଖ ଚେତାବନୀ ଦେବାର ଆରମ୍ଭ କରିଛି ରୁଷ୍‌ ।

Leave A Reply

Your email address will not be published.