
ହାର୍ଦା : ଅଦ୍ୟାବଧି ସୋସିଆଲ ମିଡିଆରେ ମାନସିକ ବିକୃତ କିମ୍ବା ବିକାରଗ୍ରସ୍ତ ଲୋକଙ୍କ ଦ୍ୱାରା ମହିଳା ଏବଂ ଝିଅମାନଙ୍କୁ ହଇରାଣ କରିବାର ଘଟଣା ଦେଖିବାକୁ ମିଳେ । କିନ୍ତୁ ମଧ୍ୟପ୍ରଦେଶର ହାର୍ଦା ଜିଲ୍ଲାର ଟିମ୍ରନିରେ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ସ୍ୱାମୀ ନିଜେ ସୋନୁ ନାମରେ ଇନ୍ଷ୍ଟାଗ୍ରାମ୍ରେ ଏକ ନକଲି ଆଇଡି ଖୋଲି ନିଜ ଧର୍ମପତ୍ନୀଙ୍କ ଅଶ୍ଳୀଳ ଫଟୋ ସେୟାର କରି ପତ୍ନୀଙ୍କୁ ହଇରାଣ କରୁଥିଲେ । ବାରମ୍ବାର ଏଭଳି ଅଶ୍ଲୀଳ ଫଟୋ ସେଆର୍ ହେବା ପରେ ପୀଡିତା ପତ୍ନୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା, ସେତେବେଳେ ଏକ ଆଶ୍ଚର୍ୟ୍ୟଜନକ ମାମଲା ସାମ୍ନାକୁ ଆସିଥିଲା । ପୀଡିତାଙ୍କ ସ୍ୱାମୀ ନିଜେ ଇନ୍ଷ୍ଟାଗ୍ରାମ୍ରେ ନିଜ ଧର୍ମପତ୍ନୀଙ୍କର ଅଶ୍ଳୀଳ ଫଟୋ ଏଡିଟ୍ କରି ସେୟାର କରୁଥିଲେ ।
ହାର୍ଦା ଜିଲ୍ଲାର ସିରାଲୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଟିମ୍ରନିରେ ରହୁଥିବା ଜଣେ ଯୁବତୀଙ୍କ ସହ ବିବାହ ହୋଇଥିଲେ । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ବିବାହର କିଛି ଦିନ ପରେ ତାଙ୍କ ସ୍ୱାମୀ ତାଙ୍କୁ ନିର୍ୟାତନା ଦେବା ଆରମ୍ଭ କରିଥିଲେ । ଏହା ବ୍ୟତୀତ ତାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ବାରମ୍ବାର ଦେଉଥିଲେ । ଜାରି ରହିଥିବା ବିବାଦ ହେତୁ ପତ୍ନୀ ଟିମ୍ରନିରେ ଥିବା ତାଙ୍କ ମାଆ ଘରେ ରହିବାକୁ ଲାଗିଲେ । ଗତ ବର୍ଷ ସୋନୁ ସିଂ ନାମକ ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମରେ ତାଙ୍କ ଅଶ୍ଳୀଳ ଫଟୋ ସେୟାର କରୁଛନ୍ତି ବୋଲି ପୀଡିତା ମହିଳା ପୋଲିସ ନିକଟରେ ଅଭିଯୋଗ କରିଥିଲେ ।
ଟିମ୍ରନି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ସୁଶୀଲ ପଟେଲ କହିଛନ୍ତି ଯେ, ଯେତେବେଳେ ପୋଲିସ ତଦନ୍ତ କଲା, ସେତେବେଳେ ଅସଲ୍ ଘଟଣା ସାମ୍ନାକୁ ଆସିଥିଲା । ପୀଡ଼ିତା ମହିଳାଙ୍କ ସ୍ୱାମୀ ନିଜେ ତାଙ୍କ ଧର୍ମପତ୍ନୀଙ୍କ ଅଶ୍ଲୀଳ ଫଟୋ ଶେୟାର କରି ତାଙ୍କୁ ବଦ୍ନାମ୍ କରିବା ଭଳି ଘୃଣ୍ୟ କାମରେ ଲାଗିଥିଲେ ।