ସ୍ୱଚ୍ଛତମ, ସୁସ୍ଥତମ ଭାରତର ସଂକଳ୍ପକୁ ଦୋହରାଇବାର ସମୟ ଉପନୀତ : ହରଦୀପ ସିଂ ପୁରୀ

• ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ(ସହରାଞ୍ଚଳ)ର ଗୌରବମୟ ୬ ବର୍ଷ ପୂର୍ତ୍ତି ପାଳନ
• ‘ସ୍ୱଚ୍ଛତା କେ ୬ ସାଲ ବେମିସାଲ’ ଶୀର୍ଷକ ୱେବିନାର ଆୟୋଜିତ
• ଶ୍ରୀ ହରଦୀପ ସିଂ ପୁରୀଙ୍କ ଦ୍ୱାରା ଇଣ୍ଟରଆକ୍ଟିଭ ଏସବିଏମ-ୟୁ ପୋର୍ଟାଲ ଡକ୍ୟୁମେଣ୍ଟାରୀ ଲର୍ଣ୍ଣିଂସର ଉନ୍ମୋଚନ
• ୯୭ ପ୍ରତିଶତ ସହରାଞ୍ଚଳ ଖୋଲା ଶୌଚମୁକ୍ତ – ଦୁର୍ଗା ଶଙ୍କର ମିଶ୍ରା
• ସଫେଇ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପ୍ରସ୍ତୁତ ଗଣନାର ଶୁଭାରମ୍ଭ
• ସାର୍ବଜନୀନ ଓ ଗୋଷ୍ଠୀ ଶୌଚାଳୟ (ପିଟି/ସିଟି)ଗୁଡ଼ିକୁ ଓଡିଏଫ ପ୍ଲସ କରିବା ଲାଗି ସହରାଞ୍ଚଳ ପ୍ରଶାସନର ସହାୟତା ନିମନ୍ତେ ସ୍ୱଚ୍ଛତା ମାପକ ଉପକରଣର ଶୁଭାରମ୍ଭ
• ୭୭ ପ୍ରତିଶତ ୱାର୍ଡରେ ଆବର୍ଜନା ପୃଥକୀକରଣ ସମ୍ବଳ ରହିଛି, ମୋଟ ୬୭ ପ୍ରତିଶତ ବର୍ଜ୍ୟବସ୍ତୁ ବିଶୋଧନ କରାଯାଇଛି, ୨୦୧୪ରେ ବିଶୋଧନ ହାର ୧୮ ପ୍ରତିଶତ ତୁଳନାରେ ଏହା ଚାରିଗୁଣା ଅଧିକ
• ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ ୧୨କୋଟି ନାଗରିକଙ୍କ ଅଂଶଗ୍ରହଣ
• ସ୍ୱଚ୍ଛତମ ଭାରତ ବିଷୟରେ ନୂଆ ଉପାୟଗୁଡ଼ିକର ରୂପରେଖ ପ୍ରସ୍ତୁତି ନିମନ୍ତେ ରାଜ୍ୟ/ସହରଗୁଡ଼ିକ ବିଗତ ୬ ବର୍ଷର ଅଭିଜ୍ଞତା ବାଣ୍ଟିଲେ

ନୂଆଦିଲ୍ଲୀ, (ପିଆଇବି) : ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଆଜି ଆମେ ଏସବିଏମ-ୟୁର ୬ ବର୍ଷ ପୂରଣ କରିପାରିଛୁ । ଏବେ ସ୍ୱଚ୍ଛତମ ଭାରତ, ସୁସ୍ଥତମ ଭାରତ- ଅଧିକ ସ୍ୱଚ୍ଛ ଏବଂ ସୁସ୍ଥ ଭାରତ ନିର୍ମାଣ ନିମନ୍ତେ ସଂକଳ୍ପକୁ ଦୋହରାଇବାର ସମୟ ଆସିଯାଇଛି । ଏଥିପାଇଁ ଆମେ ସମସ୍ତେ ମିଶି କାମ କରିବାର ଆବଶ୍ୟକତା ରହିଛି । ଏହା ବ୍ୟତୀତ ଆମକୁ ଜନ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ (ଏସବିଏମ-ୟୁ)ର ଛଅ ବର୍ଷ ପୂର୍ତ୍ତି ସମାରୋହ ଅବସରରେ “ସ୍ୱଚ୍ଛତା କେ ୬ ସାଲ ବେମିସାଲ” ଶୀର୍ଷକ ଏକ ୱେବିନାର ଆୟୋଜନ କରାଯାଇଥିଲା । ଏଥିରେ ଉଦବୋଧନ ଦେଇ ଶ୍ରୀ ପୁରୀ କହିଥିଲେ ଯେ ଜନ ଆନ୍ଦୋଳନ ଏବଂ ଜନଭାଗିଦାରୀର ଏହି ଭାବନା ସାମୂହିକ ପଦକ୍ଷେପର ଶକ୍ତି ଅଟେ, ଯାହା ପ୍ରତିଦ୍ୱନ୍ଦ୍ୱିତାର ସୁସ୍ଥ ଭାବନା ସୃଷ୍ଟି କରିବ । ଏହି ଭାବନା ଆବାସ ଏବଂ ସହରାଞ୍ଚଳ ବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦ରେ ପରିଲକ୍ଷିତ ହୋଇଛି । ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦ରେ ୧୨ କୋଟିରୁ ଅଧିକ ନାଗରିକ ଅଂଶଗ୍ରହଣ କରିଥିଲେ ।
ୱେବିନାର ଅବସରରେ ମିଶନ ଅନ୍ତର୍ଗତ ବିଗତ ୬ ବର୍ଷର ଉପଲବ୍ଧିଗୁଡ଼ିକୁ ପାଳନ କରାଯାଇଥିଲା । ଏଥିରେ ସାମିଲ ହୋଇ ରାଜ୍ୟ ଓ ସହର ତଥା ଅଂଶୀଦାର ସଂଗଠନର ପ୍ରତିନିଧିମାନେ ନିଜ ନିଜ ଅଭିଜ୍ଞତା ବାଣ୍ଟିଥିଲେ । ସେମାନେ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ମଧ୍ୟ ପାଳନ କରିଥିଲେ । ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂ ପୁରୀ, ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ରା, ଅତିରିକ୍ତ ସଚିବ ଶ୍ରୀ କାମରନ ରିଜୱୀ ମିଳିତ ଭାବେ କରିଥିଲେ ।
ଏହି ଅବସରରେ ଶ୍ରୀ ପୁରୀ କହିଥିଲେ ଯେ ମାନନୀୟ ପ୍ରଧାନମନ୍ତ୍ରୀ ୨୦୧୪ ରେ ଏସବିଏମ-ୟୁର ଶୁଭାରମ୍ଭ କରିଥିଲେ, ଅକ୍ଟୋବର ୨, ୨୦୨୦ ସୁଦ୍ଧା ‘ସ୍ୱଚ୍ଛ ଭାରତ’ ଆୟୋଜନ କରିବା ଲାଗି ଲକ୍ଷ୍ୟ ରଖାଯାଇଥିଲା । ଏହି ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଥିଲା । ମୁଁ ଆଜି ଅତ୍ୟନ୍ତ ଗର୍ବର ସହକାରେ କହିପାରେ ଯେ ସହରୀ ଭାରତର ଲୋକମାନେ ଏହି ସ୍ୱପ୍ନକୁ ସାକାର କରିବା ଲାଗି ଆଗ୍ରହର ସହିତ ଆଗେଇ ଆସିଛନ୍ତି । ଏହି ନାଗରିକମାନେ ସାମୁହିକ ପ୍ରୟାସ, ହଜାର ହଜାର ସ୍ୱଚ୍ଛତା ଦୂତ, ଲକ୍ଷାଧିକ ସ୍ୱଚ୍ଛାଗ୍ରହୀ, ଅନେକ ଗଣମାଧ୍ୟମ ଅଭିଯାନ ଏବଂ ପ୍ରତ୍ୟକ୍ଷ ପହଞ୍ଚ କାର୍ୟ୍ୟକ୍ରମ କାରଣରୁ ଏସବିଏମ-ୟୁ ଅଭୂତପୂର୍ବ ସଫଳତା ହାସଲ କରିଛି । ଆମକୁ ନିର୍ମାଣ ଏବଂ ଭଙ୍ଗାରୁ ସୃଷ୍ଟି ହେଉଥିବା ଆବର୍ଜନାକୁ କୌଶଳତା ପୂର୍ବକ ପରିଚାଳନା କରିବାର ଆବଶ୍ୟକତା ରହିଛି । ସମସ୍ତ ଡମ୍ପସାଇଟଗୁଡ଼ିକର ଜୈବିକ ପରିଚାଳନା ସହିତ ଗବେଷଣା କ୍ଷମତାକୁ ବଢ଼ାଇବା ଜରୁରି । ମନ୍ତ୍ରୀ କହିଥିଲେ ଯେ ଆଜି ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟାକରଣ ପାଇଁ ଇଣ୍ଟରଆକ୍ଟିଭ ପୋର୍ଟାଲ ଉନ୍ମୋଚନ କରାଯାଇଛି । ଏହାଦ୍ୱାରା ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ସହରାଞ୍ଚଳ ପ୍ରଶାସନଗୁଡ଼ିକର କ୍ଷମତା ନିର୍ମାଣ ପ୍ରୟାସକୁ ପ୍ରୋତ୍ସାହନ ମିଳିବ ।
ମନ୍ତ୍ରଣାଳୟର ସଚିବ ଶ୍ରୀ ମିଶ୍ରା ମିଶନର ଉପଲବ୍ଧି ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ । ସେ କହିଥିଲେ ଯେ ୨୦୧୪ ଅକ୍ଟୋବର ୨ ତାରିଖରେ ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦେ୍ଦଶ୍ୟ ସହରୀ ଭାରତକୁ ଖୋଲା ଶୌଚମୁକ୍ତ କରିବା ସହିତ ଦେଶର ସମସ୍ତ ବୈଧାନିକ ସହରରେ ଉପଯୁକ୍ତ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରିବା । ଆଜି ଆମେ ନିଜର ଲକ୍ଷ୍ୟ ହାସଲ କରିବା ସହିତ ଓଡିଏଫ ପ୍ଲସ, ଓଡିଏଫ ପ୍ଲସ ପ୍ଲସ, ଆବର୍ଜନାମୁକ୍ତ ସହର ପାଇଁ ସଟାର ରେଟିଂ, ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷଣ, ସ୍ୱଚ୍ଛ ସର୍ବେକ୍ଷଣ ମାଧ୍ୟମରେ ଦେଶକୁ ସ୍ଥାୟୀ ସ୍ୱଚ୍ଛତା ଓ ସମଗ୍ର ଏସଡବ୍ଲୁଏମ ମାର୍ଗରେ ମଧ୍ୟ ଆଗକୁ ବଢ଼ାଇଛୁ । ୨୦୧୪ରେ କୌଣସି ଗୋଟିଏ ସହର ଓଡିଏଫ ନଥିବା ବେଳେ ଆଜି ୯୭ ପ୍ରତିଶତରୁ ଅଧିକ ସହର ଓଡିଏଫ ହୋଇସାରିଛି । ୨୦୧୪ରେ କେବଳ ୧୮ ପ୍ରତିଶତ ସହରରେ କଠିନ ବର୍ଜ୍ୟବସ୍ତୁ ବିଶୋଧନ ବ୍ୟବସ୍ଥା ଥିବା ବେଳେ ଏବେ ୬୭ ପ୍ରତିଶତ ପ୍ରକ୍ରିୟା ବିଶୋଧନ ବ୍ୟବସ୍ଥା ରହିଛି । ୭୭ ପ୍ରତିଶତରୁ ଅଧିକ ୱାର୍ଡ ପୃଥକୀକରଣ ପ୍ରକ୍ରିୟାକୁ ଗ୍ରହଣ କରିଛନ୍ତି ।
ଏହି କାର୍ୟ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର “ସ୍ୱଚ୍ଛତାର ୬ ବର୍ଷ, ବେମିସାଲ” ପ୍ରଦର୍ଶିତ କରାଯାଇଥିଲା, ଯେଉଁଥିରେ ଏସବିଏମ-ୟୁର ଆରମ୍ଭ ଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ଯାତ୍ରା ପ୍ରଦର୍ଶିତ ହୋଇଥିଲା । ମିଶନର ଏହି ୬ ବର୍ଷ ମଧ୍ୟରେ ଅନେକ ନବୋନ୍ମେଷ ହୋଇଛି । ସ୍ୱଚ୍ଛତା ଆପ, ସ୍ୱଚ୍ଛତା ସଂକ୍ରାନ୍ତ ଅଭିଯୋଗ ଲାଗି ନାଗରିକ ଅଭିଯୋଗ ସମାଧାନ ଉପକରଣ, ଗୁଗଲ ମ୍ୟାପରେ ଏସବିଏମ ଶୌଚାଳୟ, ଗୁଗଲ ମ୍ୟାପ ଏବଂ ସ୍ୱଚ୍ଛତା ମଞ୍ଚରେ ବ୍ୟବହାରକାରୀମାନଙ୍କ ପାଇଁ ସବୁଠୁ ନିକଟସ୍ଥ ସର୍ବସାଧାରଣ ଶୌଚାଳୟର ସ୍ଥିତି ବିଷୟରେ ଜାଣିବା, ନାଗରିକମାନଙ୍କୁ ସ୍ୱଚ୍ଛତା ଗତିବିଧି ସମ୍ପର୍କରେ ଜାଣିବା ଲାଗି ଡିଜିଟାଲ କାର୍ୟ୍ୟ ପ୍ଲାଟଫର୍ମ ଯୋଗାଇ ଦିଆଯାଇଛି । ଯାହାଫଳରେ କୋଟି କୋଟି ଲୋକ ସିଧାସଳଖ ସ୍ୱଚ୍ଛତା କାର୍ୟ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି । ବିଗତ ସ୍ୱଚ୍ଛ ସର୍ବେକ୍ଷଣରେ ୧୨ କୋଟି ଲୋକ ଅଂଶଗ୍ରହଣ କରିଥିଲେ। ସେହିପରି ଦେଶକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବା ଲାଗି ସ୍ୱଚ୍ଛତା ହୀ ସେବା ୨୦୧୯ରେ ୭ କୋଟିରୁ ଅଧିକ ନାଗରିକ ସାମିଲ ହୋଇଛନ୍ତି ।
ଏହି କାର୍ୟ୍ୟକ୍ରମରେ ଉତ୍ତରାଖଣ୍ଡ, କେରଳ, ଇମ୍ଫାଲ, ଡୁଙ୍ଗରପୁର ଓ ଖରଗୋନ ଭଳି ରାଜ୍ୟ ଓ ସହର ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେମାନେ ନିଜ ନିଜ ଅଞ୍ଚଳର ବିଗତ ୬ ବର୍ଷର ଅଭିଜ୍ଞତା ବିଷୟରେ ଉଲ୍ଲେଖ କରିଥିଲେ । ଏଥିସହିତ ସ୍ୱଚ୍ଛତମ ଭାରତ ପକ୍ଷରୁ ନୂଆ ପଦକ୍ଷେପର ରୂପରେଖ ବିଷୟରେ ବିଚାର ବ୍ୟକ୍ତ କରିଥିଲେ। ଅଂଶଗ୍ରହଣକାରୀମାନେ ଏସବିଏମ-ୟୁର ବିକାଶ ଭାଗିଦାରଙ୍କ ଅଭିଜ୍ଞତା ବିଷୟରେ ମଧ୍ୟ କହିଥିଲେ । ଏହି ଅଂଶୀଦାରମାନଙ୍କ ମଧ୍ୟରେ ମିଳିତ ଜାତିସଂଘ ଏଜେନ୍ସି (ୟୁଏସଏଆଇଡି), ବିଲ ଏଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ (ବିଏମଜିଏଫ), ଜିଆଇଜେଡ, ମିଳିତ ଜାତିସଂଘ ବିକାଶ କାର୍ୟ୍ୟକ୍ରମ (ୟୁଏନଡିପି) ଏବଂ ମିଳିତ ଜାତିସଂଘ ସଂଗଠନ (ୟୁଏନଆଇଡିଓ) ସାମିଲ ଅଛି । ଏହି ଅବସରରେ ନେସନାଲ ଫିକଲ ସ୍ଲଜ ଏଣ୍ଡ ସିପେଜ ମ୍ୟାନେଜମେଣ୍ଟ (ଏନଏଫଏସଏସଏମ) ପକ୍ଷରୁ ସଂକଳିତ ଫ୍ରଣ୍ଟ ଲାଇନ ଷ୍ଟୋରିଜ ଅଫ ରେଜିଲିଏନ୍ସ : ଇଣ୍ଡିଆଜ ସ୍ୟାନିଟେସନ ଚାମ୍ପିଅନ୍ସ ଦସ୍ତାବିଜରେ ସାରା ଦେଶର ସ୍ୱଚ୍ଛତା ଶ୍ରମିକମାନଙ୍କର ପ୍ରେରଣାଦାୟକ କାହାଣୀକୁ ଉପସ୍ଥାପନ କରାଯାଇଥିଲା । ଏଥିସହିତ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ‘ଅଲମ୍ୟାନେକ ଅଫ ବେଷ୍ଟ ମ୍ୟାନେଜମେଣ୍ଟ ପ୍ରାକ୍ଟିସ ନାମରେ ଶ୍ରେଷ୍ଠ ପ୍ରକ୍ରିୟା ଏବଂ ଏସଡବ୍ଲୁୟୁଏମର ନବୋନ୍ମେଷୀ କେସ ଷ୍ଟଡିଜର ସାରାଂଶ ମଧ୍ୟ ଜାରି କରାଯାଇଥିଲା।

Leave A Reply

Your email address will not be published.