ଅକ୍‌ସିଜେନ୍‌ ଅଭାବ ହେତୁ ଗଙ୍ଗାରାମ ଡାକ୍ତରଖାନାରେ ୨୫ ଜଣ ରୋଗୀ ମୃତ୍ୟୁ, ୬୦ ଜଣଙ୍କର ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀର ସର୍ ଗଙ୍ଗାରାମ ହସ୍ପିଟାଲରେ ଅକ୍‌ସିଜେନ୍‌ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, କମ୍ ଅକ୍‌ସିଜେନ୍‌ ଯୋଗୁଁ ୨୫ ଜଣ ଅତି ଅସୁସ୍ଥ ରୋଗୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି ।

ଏହି ସମୟରେ, ସର୍ ଗଙ୍ଗାରାମ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ଯେ, ଡାକ୍ତରଖାନାରେ ମାତ୍ର ୨ ଘଣ୍ଟା ପାଇଁ ଅକ୍‌ସିଜେନ୍‌ ବାକି ଅଛି । ଭେଣ୍ଟିଲେଟର ଏବଂ ବିପିଏପ୍ ମେସିନ୍ ଫଳପ୍ରଦ ଭାବରେ କାମ କରୁନାହିଁ ବୋଲି ଡାକ୍ତରଖାନା ପକ୍ଷରୁ ମଧ୍ୟ କୁହାଯାଇଛି ।

କେନ୍ଦ୍ରୀୟ ଦିଲ୍ଲୀର ସର୍ ଗଙ୍ଗାରାମ ହସ୍ପିଟାଲରେ ୫୦୦ ରୁ ଅଧିକ କରୋନା ସଂକ୍ରମିତ ରୋଗୀ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୫୦ ଜଣ ‘ହାଇ ଫ୍ଲୋ ଅକ୍‌ସିଜେନ୍‌ ସହାୟତା’ ରେ ଅଛନ୍ତି । ଡାକ୍ତରଖାନା ଅଧିକାରୀମାନେ ଗୁରୁବାର ରାତିରେ ସରକାରଙ୍କୁ ଜରୁରୀକାଳୀନ ବାର୍ତ୍ତା ପଠାଇ କହିଛନ୍ତି ଯେ, ସ୍ୱାସ୍ଥ୍ୟ କେନ୍ଦ୍ରରେ ମାତ୍ର ପାଞ୍ଚ ଘଣ୍ଟାର ଅକ୍‌ସିଜେନ୍‌ ବାକି ଅଛି ଏବଂ ତୁରନ୍ତ ଯୋଗାଣ ପାଇଁ ଅନୁରୋଧ କରାଯାଇଛି । ଗତ ଚାରି ଦିନ ମଧ୍ୟରେ ସହରର ଅନେକ ଘରୋଇ ଡାକ୍ତରଖାନାରେ ଅକ୍‌ସିଜେନ୍‌ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି । କେତେକ ଡାକ୍ତରଖାନା ରୋଗୀଙ୍କୁ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାକୁ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.