- ବିଭିନ୍ନ ଚାନେଲରେ ବିତର୍କ ସମୟରେ ବିରୋଧାତ୍ମକ ମତ ପ୍ରକାଶ ଚାନେଲର ବିଶ୍ୱସନୀୟତାକୁ ହ୍ରାସ କରୁଛି
- କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଅତିରଞ୍ଜନ ନ କରି ସମ୍ବାଦ ପରିବେଷଣ କରନ୍ତି
- ପ୍ରସାର ଭାରତୀ ସି.ଇ.ଓ. ମୟଙ୍କ ଅଗ୍ରୱାଲଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର- ୨ଠ୨୨ ପ୍ରଦାନ
ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗତକାଲି ଏସିଆ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ନୂଆଦିଲ୍ଲୀ ଠାରେ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ- ମୁଖ୍ୟ ସ୍ରୋତରେ ଥିବା ବଡ଼ ବଡ଼ ଗଣମାଧ୍ୟମ ଗୁଡ଼ିକୁ ନୂତନ ଡିଜିଟାଲ ପ୍ଲାଟଫର୍ମ ପକ୍ଷରୁ କୌଣସି ଆହ୍ୱାନ ସୃଷ୍ଟି କରାଯାଇ ନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବିପଦ। ବାସ୍ତବ ସାମ୍ବାଦିକତା ସତ୍ୟର ଉନ୍ମୋଚନ କରେ ଏବଂ ଗଣମାଧ୍ୟମ ଗୁଡ଼ିକ ସେହି ସତ୍ୟକୁ ପ୍ରକାଶ କରିବା ଉଚିତ । ଗଣମାଧ୍ୟମ ଆଲୋଚନା ଗୁଡ଼ିକର ସବୁକଥାକୁ ଏକପାଖିଆ ବିଶ୍ଳେଷଣ କରୁଥିବା ଏବଂ ମିଛ କଥା କହୁଥିବା ସାମ୍ବାଦିକମାନେ ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ୍ଟ କରୁଛନ୍ତି । ଦର୍ଶକମାନଙ୍କ ଚକ୍ଷୁରେ ଆଲୋଚନାର ଅତିଥି ଓ ସେମାନଙ୍କ ଗର୍ଜନର ଦୃଶ୍ୟ ଗଣମାଧ୍ୟମର ବିଶ୍ୱସନୀୟତାର ମୂଲ୍ୟାୟନ ହୋଇ ଯାଉଛି । ଗୋଟାଏ ମିନିଟ ପାଇଁ ଏହି ଦୃଶ୍ୟ ଦେଖିବାକୁ ଦର୍ଶକ ଅଟକି ରହୁଛନ୍ତି; କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଚାନେଲର ଉପସ୍ଥାପକ, ଚାନେଲ, ତଥ୍ୟର ଉତ୍ସ ଆଦି ଲୋକଙ୍କ ବିଶ୍ୱାସ ହରାଉଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି ।
ଉପସ୍ଥିତ ଗଣମାଧ୍ୟମ ମାଲିକମାନଙ୍କୁ ସତର୍କ କରାଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ- ସମ୍ବାଦକୁ ଉଚ୍ଚ ସ୍ୱରର ଉପସ୍ଥାପନା ଦୃଷ୍ଟିରୁ ବିଚାର ନ କରି ଅତିଥି ଆଲୋଚକ ଏବଂ ଚାନେଲର ବିଶ୍ୱସନୀୟତାକୁ ଦୃଷ୍ଟିରେ ରଖିବା ଉଚିତ । ଉପସ୍ଥିତ ଶ୍ରୋତାମାନଙ୍କୁ ଶ୍ରୀ ଠାକୁର ପଚାରିଛନ୍ତି ଯେ- ଚାନେଲକୁ ଯୁବଗୋଷ୍ଠୀ ବନ୍ଦ କରି ଅନ୍ୟ ଚାନେଲ ଦେଖିବା ଚାହୁଁଛନ୍ତି କିମ୍ବା ପ୍ରାକୃତିକ ଭାବରେ ଆଲୋଚନା ହେବା ଆପଣମାନେ ଚାହୁଁଛନ୍ତି । କରୋନା ମହାମାରୀ ସମୟରେ ଗଣମାଧ୍ୟମ ଗୁଡ଼ିକ ଲୋକଙ୍କୁ ଧରି ରଖିବା ସହ ପରସ୍ପର ସହ ସଂଯୋଗ ରକ୍ଷା କରି ମହାମାରୀର ପ୍ରକୋପରୁ ଲୋକଙ୍କୁ ସୁରକ୍ଷା ଦେଇଥିବାରୁ ଏ.ଆଇ.ବି.ଡି.ର ପ୍ରଶଂସା କରିଛନ୍ତି । ଏହି ସଂଗଠନର ସଦସ୍ୟ ରାଷ୍ଟ୍ରମାନେ କୋଭିଡ ସମ୍ପର୍କିତ ତଥ୍ୟର ଆଦାନ ପ୍ରଦାନ ଦ୍ୱାରା ବହୁଳ ଭାବେ ଲାଭବାନ ହୋଇଛନ୍ତି । ବିଭିନ୍ନ ତଥ୍ୟ ମଧ୍ୟରେ କୋଭିଡ ଯୋଦ୍ଧାଙ୍କ ସମ୍ପର୍କିତ ସକାରାତ୍ମକ ସୂଚନା, ମିଥ୍ୟା ସୂଚନାର ଖଣ୍ଡନ ଆଦି କରିଛନ୍ତି । ଏହି ଅବସରରେ ଏ.ଆଇ.ବି.ଡି.ର ନିଦେ୍ର୍ଦଶକ ସୁଶ୍ରୀ ଫିଲୋମେନା, ସାଧାରଣ ସମ୍ମିଳନୀର ଅଧ୍ୟକ୍ଷ ମୟଙ୍କ ଅଗ୍ରୱାଲ ଏବଂ ଏସିଆ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କୋଭିଡ ମହାମାରୀ ବିରୁଦ୍ଧରେ ଲଢୁଥିବା ସଦସ୍ୟ ଦେଶମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ସମ୍ମିଳନୀର ଆଲୋଚ୍ୟ ପ୍ରସଙ୍ଗ ‘ମହାମାରୀ ପରବର୍ତ୍ତୀ ସମୟରେ ପ୍ରସାରଣର ସୁଦୃଢ଼ ଭବିଷ୍ୟତ ନିର୍ମାଣ’ ଉପରେ ଆଲୋଚନା କରି ସାମ୍ବାଦିକତାର ମୁଖ୍ୟ ସ୍ରୋତରେ ପ୍ରସାରଣ ଗଣମାଧ୍ୟମ ଗୁଡ଼ିକ ରହିଥିଲେ ମଧ୍ୟ କୋଭିଡ-୧୯ ଏହାର ନୀତି ନିର୍ଦ୍ଧାରଣ ପରିସରକୁ ନୂତନ ରୂପ ଦେଇଛି । ସମୟଭିତ୍ତିକ ନିର୍ଭୁଲ ସୂଚନା ଦ୍ୱାରା କୋଟି କୋଟି ଜୀବନ ରକ୍ଷା କରାଯାଇ ପାରିବା ଶିଖାଇଛି । ବିପଦ ସମୟରେ ସମଗ୍ର ବିଶ୍ୱକୁ ଗୋଟିଏ ମଞ୍ଚରେ ଏକତ୍ର କରି ବିଶ୍ୱ ପରିବାର ଅବଧାରଣା କୋଭିଡ-୧୯ ଶିଖାଇଛି । ଏହି ମହାମାରୀ ପ୍ରସଙ୍ଗରେ ସରକାରଙ୍କ ନିଦେ୍ର୍ଦଶାବଳୀକୁ ଲୋକଙ୍କ ନିକଟରେ ପହଂଚାଇ ଡାକ୍ତରମାନଙ୍କ ପରାମର୍ଶକୁ ଦେଶର ପ୍ରତ୍ୟେକ ସ୍ଥାନରେ ପହଂଚାଇବାରେ ଭାରତୀୟ ଗଣମାଧ୍ୟମ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଏହାର ପ୍ରଶଂସା କରିଛନ୍ତି । ଉତ୍ତମ ମାନର ତଥ୍ୟ ଆଦାନ ପ୍ରଦାନ କ୍ଷେତ୍ରରେ ସଦସ୍ୟ ରାଷ୍ଟ୍ରମାନଙ୍କର ସହଯୋଗ କାମନା ମଧ୍ୟ କରିଛନ୍ତି । ସହଯୋଗ ମାଧ୍ୟମରେ ବିଶ୍ୱର ସଂସ୍କୃତି ସବୁ ଦେଶର ନିକଟତର ହୋଇପାରିବ ଏବଂ ଲୋକଙ୍କ ମଧ୍ୟରେ ଦୃଢ଼ ଆସ୍ଥା ସ୍ଥାପନ ହୋଇପାରିବ ବୋଲି ଶ୍ରୀ ଠାକୁର କହିଛନ୍ତି । ଏସବୁ ଦ୍ୱାରା ଗଣମାଧ୍ୟମଗୁଡ଼ିକ ବିଶ୍ୱସନୀୟ ହେବା ସହ ସୁଦୃଢ଼ ସଂଗଠନରେ ପରିଣତ ହୋଇ ପାରିବେ ବୋଲି ମଧ୍ୟ କହିଛନ୍ତି ।
ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଅବସରରେ କହିଛନ୍ତି ଯେ- ଲକଡାଉନ ସତ୍ତ୍ୱେ ଏ.ଆଇ.ବି.ଡି. ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିଛି । ଜଳବାୟୁ ପରିବର୍ତ୍ତନ, ସବୁଜ ଟେକ୍ନୋଲୋଜୀ, ଦୀର୍ଘସ୍ଥାୟୀ ପ୍ରଗତି ଭଳି ପ୍ରସଙ୍ଗକୁ ନେଇ ୩୪ଟି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଶ୍ରୀ ଅଗ୍ରୱାଲ କହିଛନ୍ତି । ପ୍ରସାରଣ ତାଲିମ କାର୍ଯ୍ୟକ୍ରମରେ ଇଣ୍ଟରନେଟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ସାମ୍ବାଦିକତା କ୍ଷେତ୍ରରେ ସାଇବର ଆକ୍ରମଣକୁ ପ୍ରତିହତ କରାଯାଇ ପାରିଥିବା ଏବଂ ଏ.ଆଇ.ବି.ଡି. ସର୍ବ ପ୍ରଥମେ ବିଶ୍ୱରେ ଏଭଳି ତାଲିମ ଆୟୋଜନ କରିଥିବା ଶ୍ରୀ ଅଗ୍ରୱାଲ କହିଛନ୍ତି ।
ସୁଶ୍ରୀ ଫିଲୋମେନା ଜ୍ଞାନାପାରାଗାସମ୍ ଏହି ଅବସରରେ କହିଥିଲେ ଯେ- ପ୍ରସଙ୍ଗଗୁଡ଼ିକୁ ନେଇ ଭବିଷ୍ୟତର ଗଣମାଧ୍ୟମର ସ୍ଥିତି ନିର୍ଦ୍ଧାରିତ ହେବ । ବର୍ତ୍ତମାନ ଏସବୁର ଆଦାନ ପ୍ରଦାନ ଏବଂ ନିୟନ୍ତ୍ରଣ କରାଯାଉଛି । ଏହି ସମ୍ମିଳନୀରେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।
ମନ୍ତ୍ରୀ ଅନୁରାଗ ଠାକୁର ଏହି ଉତ୍ସବରେ ୨ଠ୨୧ ଏବଂ ୨ଠ୨୨ ମସିହା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ରେଡିଓ ଟେଲିଭିଜନ ବ୍ରୁନେଇକୁ ସମ୍ମାନ ପ୍ରଦାନ କରିଥିଲେ । ୨ଠ୨୧ ମସିହା ନିମିତ୍ତ ଜୀବନବ୍ୟାପୀ ସାଧନା ପାଇଁ କାମ୍ବୋଡିଆର ଖାଇୟୁ ଖାହ୍ନାରିଥ ଏବଂ ୨ଠ୨୨ ମସିହା ନିମିତ୍ତ ପ୍ରସାର ଭାରତୀର ସି.ଇ.ଓ. ମୟଙ୍କ ଅଗ୍ରୱାଲଙ୍କୁ ସମ୍ମାନିତ କରିଥିଲେ ।
ୟୁନେସ୍କୋ ନେତୃତ୍ୱରେ ୧୯୭୭ ମସିହାରେ ଏସୀୟ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ ସ୍ଥାପନ କରାଯାଇଥିଲା । ଏହି ସଂଗଠନ ଏସିଆ ମହାଦେଶ ଏବଂ ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ଦେଶଗୁଡ଼ିକର ଅର୍ଥନୀତି ଏବଂ ସାମାଜିକ ସ୍ଥିତିକୁ ବୈଦୁ୍ୟତିକ ଗଣମାଧ୍ୟମ ଗୁଡ଼ିକରେ ପ୍ରସାରଣ କରିଥାଏ । ଏଥିରେ ୨୬ଟି ରାଷ୍ଟ୍ରର ୪୩ଟି ସଂଗଠନର ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ୫ଠଟି ସଂଗଠନର ସ୍ୱୀକୃତିପ୍ରାପ୍ତ ସଦସ୍ୟ ରହିଛନ୍ତି । ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପୂର୍ଣ୍ଣକାଳୀନ ସଦସ୍ୟ ଅଛି । ଭାରତରେ ଏହାର ଗଭର୍ଣ୍ଣିଂ କାଉନସିଲ ବୈଠକ ୧୯୭୮, ୧୯୮୫, ୨ଠଠ୩ରେ ଅନୁଷ୍ଠିତ ହେବା ପରେ ପୁନର୍ବାର ୨ଠ୨୨ ସେପ୍ଟେମ୍ବର ୧୯-୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି ।