jayashree

ରୁଷ ସୈନିକଙ୍କୁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଚେତାବନୀ, ଜୀବନ ବଂଚାଇ ଫେରିଯାଅ

ନୂଆଦିଲ୍ଲୀ : ୫ ଦିନ ହେଲାଣି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଅନେକ ଲୋକଙ୍କ ପ୍ରାଣହାନୀ ଘଟିବା ପରେ ଆଜି ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି । ବେଲାରୁଷ ସୀମାରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରୁଥିବା ବେଳେ ଏବେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ରୁଷ ସେନାକୁ ପଛକୁ ଫେରିଯିବାକୁ କହିଛନ୍ତି । ୟୁକ୍ରେନର ନାଗରିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଯେତେବେଳେ ମୁଁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ୁଥିଲି, ମୁଁ କହିଥିଲି ଯେ ଆମ ସମସ୍ତେ ଜଣେ ଜଣେ ରାଷ୍ଟ୍ରପତି । କାରଣ ଆମେ ସମସ୍ତେ ମିଶି ହିଁ ୟୁକ୍ରେନକୁ ସୁରକ୍ଷା କରି ଦେଇପାରିବା । ବର୍ତ୍ତମାନ ସ୍ଥିତିରେ ଆମେ ସମସ୍ତେ ଜଣେ ଜଣେ ଯୋଦ୍ଧା । ରୁଷ ସେନା ନିଜ ନିଜର ଜୀବନ ବଂଚାଇ ପଛକୁ ଫେରିଯିବାରେ ହିଁ ସେମାନଙ୍କର ମଙ୍ଗଳ ହେବ । ବେଲାରୁଷ ସୀମାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପୂର୍ବରୁ ରାଷ୍ଟ୍ରପତି ଜେଲେନସ୍କି ଏଭଳି କହିଛନ୍ତି । ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟ କହିଛି ଯେ, ରୁଷ ସହିତ କଥାବାର୍ତ୍ତାର ମୂଳ ଲକ୍ଷ୍ୟ ହେଉଛି ତୁରନ୍ତ ଅସ୍ତ୍ରବିରତି ଏବଂ ରୁଷର ସୈନ୍ୟମାନଙ୍କୁ ଦେଶରୁ ପ୍ରତ୍ୟାହାର କରିବା । ଏହାପୂର୍ବରୁ ଜେଲେନସ୍କି କହିଥିଲେ ଯେ, ରୁଷର ଆକ୍ରମଣରୁ ନିଜ ଦେଶକୁ ରକ୍ଷା କରିବାକୁ ଚାହୁଁଥିବା ସମସ୍ତ ୟୁକ୍ରେନ ନାଗରିକଙ୍କୁ ସରକାର ଅସ୍ତ୍ର ପ୍ରଦାନ କରିବେ । ନିଜ ଦେଶର ସୁରକ୍ଷା ପାଇଁ ସମସ୍ତେ ଲଢ଼ିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।

ବିଶେଷଜ୍ଞମାନଙ୍କ ପକ୍ଷରୁ କୁହାଯାଉଛି ଯେ, ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଚାଲିଥିବା କଥାବାର୍ତ୍ତାରେ ସଫଳତାର ସମ୍ଭାବନା ଖୁବ୍‌ କମ୍‌ ରହିଛି । କାରଣ ୟୁକ୍ରେନ୍‌ ରାଷ୍ଟ୍ରପତି କୌଣସି ସ୍ଥିତିରେ ମଧ୍ୟ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଲଢେ଼ଇ କରିବା ପାଇଁ ତାଙ୍କ ବଳିଷ୍ଠ ମନୋବଳ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି ।

ଏହା ପୂର୍ବରୁ ୟୁକ୍ରେନ ସରକାର ଦାବୀ କରିଥିଲେ ଯେ, ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପର ଠାରୁ ୩୫୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ୪୫୦୦ ରୁଷ ସୈନ୍ୟ ନିହତ ହୋଇଛନ୍ତି । ଅନ୍ୟପକ୍ଷରେ ରୁଷ ଏପର୍ଯ୍ୟନ୍ତ ଆହତଙ୍କ ସଂଖ୍ୟା ପ୍ରକାଶ କରିନାହିଁ । ଦୁଇ ପକ୍ଷର ଶାନ୍ତି କଥାବାର୍ତ୍ତା ଆରମ୍ଭ ହେବା ଭିତରେ ୟୁକ୍ରେନ୍‌ ବିଦେଶ ମନ୍ତ୍ରୀ ରୁଷ୍‌ ରାଷ୍ଟ୍ରପତି ପୁତିନଙ୍କୁ ଏକବିଂଶ ଶତାବ୍ଦୀର ହିଟ୍‌ଲର୍‌ ବୋଲି କହିଛନ୍ତି ।

Leave A Reply

Your email address will not be published.