କରୋନା ସ୍ଥିତି ଯୋଗୁଁ ଆର୍ଥିକ ଚାପର ସମ୍ମୁଖୀନ ଶକ୍ତି କ୍ଷେତ୍ରକୁ ନଗଦ ଯୋଗାଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କରୋନା ମହାମାରୀ ଦ୍ୱାରା ଆର୍ଥିକ ଚାପର ସମ୍ମୁଖୀନ ହୋଇଥିବା ଶକ୍ତି କ୍ଷେତ୍ରକୁ ଏକକାଳୀନ ଅର୍ଥ ସହାୟତା ଯୋଗାଇ ଦେବା ସଂକ୍ରାନ୍ତ ଏକ ପ୍ରସ୍ତାବ ଗୃହୀତ ହୋଇଛି । ପାୱାର ଫାଇନାନ୍ସ କର୍ପୋରେସନ (ପିଏଫ୍‌ସି) ଏବଂ ଗ୍ରାମ୍ୟ ବିଦ୍ୟୁତକରଣ ନିଗମ (ଆରଇସି) ଏବେ ଆର୍ଥିକ ଚାପ ଯୋଗୁଁ ଶକ୍ତି ଆବଣ୍ଟନକାରୀ କଂପାନୀ ବା ଡିସ୍‌କମ୍‌ଗୁଡିକୁ ଋଣ ଯୋଗାଣରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡିସ୍‌କମ୍‌ଗୁଡିକ ମଧ୍ୟ ଉପଭୋକ୍ତାଙ୍କଠାରୁ ବିଜୁଳି ଶୁଳ୍କ ଆଦାୟରେ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଆର୍ଥିକ ନିଅଣ୍ଟରେ ପଡିଛନ୍ତି । ତେଣୁ ଆବଶ୍ୟକ ନଗଦ ସଂଗ୍ରହ କରିବା ପାଇଁ ଏହି ଦୁଇ ନିଗମ ନୂଆ ବ୍ୟବସ୍ଥା ଅନୁସାରେ ଗତବର୍ଷର ସଂଗୃହୀତ ରାଜସ୍ୱ ପରିମାଣର ୨୫ ଶତାଂଶ ପର୍ୟ୍ୟନ୍ତ କାର୍ୟ୍ୟକାରୀ ପୁଞ୍ଜି ଋଣ ଆକାରରେ ସଂଗ୍ରହ କରିପାରିବେ । ସଂପୃକ୍ତ ଅର୍ଥକୁ ଏହି ଦୁଇ ନିଗମ ଆର୍ଥିକ ଚାପର ସମ୍ମୁଖୀନ ହୋଇଥିବା ଡିସ୍‌କମ୍‌ଗୁଡିକୁ ଋଣ ଆକାରରେ ଯୋଗାଇଦେବେ । ଊଜ୍ଜ୍ୱଳ ଡିସ୍‌କମ୍‌ ଆସ୍ୟୁରାନ୍ସ ଯୋଜନା ବା ଉଦୟ କାର୍ୟ୍ୟକ୍ରମ ମାଧ୍ୟମରେ ଏହି ଅର୍ଥ ଯୋଗାଇ ଦିଆଯିବ ।
ଏହି ଏକକାଳୀନ କୋହଳ ବ୍ୟବସ୍ଥା ଦ୍ୱାରା ବିଦ୍ୟୁତ କ୍ଷେତ୍ରକୁ ନଗଦ ଯୋଗାଣ ବ୍ୟବସ୍ଥା କୋହଳ ଓ ସୁଗମ ହେବ । ଏହାଫଳରେ ରାଜ୍ୟ ସରକାରମାନେ ଡିସ୍‌କମ୍‌ଗୁଡିକୁ ଦେୟ ପ୍ରଦାନ ମଧ୍ୟ ନିଶ୍ଚିତ କରିବେ ।
ପୃଷ୍ଠଭୂମି
କରୋନା ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ ଘୋଷଣା ହେଲାପରେ ଊର୍ଜ୍ଜା କ୍ଷେତ୍ର ବିଶେଷକରି ବିଜୁଳି ଉଦ୍ୟୋଗରେ ଅର୍ଥାଭାବ ଦେଖାଦେଇଥିଲା । ଖାଉଟିମାନେ ଲକ୍‌ଡାଉନ କାରଣରୁ ନିଜର ବିଜୁଳି ଦେୟ ଠିକ୍‌ ସମୟରେ ଦେଇପାରିନଥିଲେ ଏବଂ ଏହାର ଆଦାୟ ମଧ୍ୟ ପ୍ରଭାବିତ ହୋଇଥିଲା । ତେବେ ସେହି ସମୟରେ ବିଜୁଳି ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଖାଉଟିଙ୍କୁ ଏହା ନିରବଚ୍ଛିନ୍ନଭାବେ ଯୋଗାଇ ଦିଆଯାଉଥିଲା । ସେଥିପାଇଁ ମଧ୍ୟ ଡିସ୍‌କମ୍‌ଗୁଡିକ ବିପୁଳ ଖର୍ଚ୍ଚର ସମ୍ମୁଖୀନ ହେବାକୁ ପଡୁଥିଲା । ଏହାଛଡା ଲକ୍‌ଡାଉନ କାରଣରୁ ବିଭିନ୍ନ ଶିଳ୍ପୋଦ୍ୟୋଗ ବନ୍ଦ ରହିଥିବାରୁ ବିଜୁଳି ବ୍ୟବହାର ଯଥେଷ୍ଟ କମିଥିଲା । ଏବେ ଯାହା ଦେଖାଯାଉଛି ବିଦ୍ୟୁତ କ୍ଷେତ୍ରର ନଗଦ ସ୍ଥିତିରେ ନିକଟ ଭବିଷ୍ୟତରେ ଉନ୍ନତି ଆସିବ ନାହିଁ । ଦେଶର ଆର୍ଥିକ କାର୍ୟ୍ୟକଳାପ କ୍ରମଶଃ ବଢିଲେ ବିଜୁଳି ଚାହିଦା ମଧ୍ୟ ବଢିବ । ତେଣୁ ସେହି ସମୟ ପର୍ୟ୍ୟନ୍ତ ବିଜୁଳି ସଂଯୋଗକୁ ଅବ୍ୟାହତ ରଖିବା ପାଇଁ ଏ କ୍ଷେତ୍ରରେ ନଗଦ ଅର୍ଥ ପ୍ରବେଶ କରାଇବାର ଆବଶ୍ୟକତା ଦେଖାଦେଇଛି ।

Leave A Reply

Your email address will not be published.