
ବର୍ମିଂହାମ୍ : ଆଜିଠୁ ଇଂଲଣ୍ଡରେ ଆରମ୍ଭ ହେଉଛି ମର୍ଯ୍ୟାଦାଜନକ ଅଲ୍ ଇଂଲଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ । ଏଥିରେ ଭାରତର ଷ୍ଟାର୍ ଖେଳାଳି ପିଭି ସିନ୍ଧୁ, ଲକ୍ଷ୍ୟ ସେନ୍ ଓ ଏଚ୍ଏସ୍ ପ୍ରଣୟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଗତବର୍ଷ ଲକ୍ଷ୍ୟ ଅଳ୍ପକେ ଟାଇଟଲ୍ ହାତଛଡ଼ା କରିଥିଲେ । ଏଥର ସେ ଟାଇଟଲ ଲକ୍ଷ୍ୟରେ ରହିଛନ୍ତି ।
ସିଙ୍ଗଲ୍ସରେ କୌଣସି ଭାରତୀୟ ଖେଳାଳି (ପୁରୁଷ ଓ ମହିଳା) ସିଡେଡ୍ ମାନ୍ୟତା ତାଲିକାରେ ସ୍ଥାନ ପାଇ ନାହାନ୍ତି । ମହିଳା ବର୍ଗରେ ସିନ୍ଧୁ ଓ ସାଇନା ନେହୱାଲ୍ ଆକ୍ସନକୁ ଓହ୍ଲାଇବେ । ନିକଟରେ ଆହତ ସମସ୍ୟାରୁ ମୁକୁଳିଥିବା ସିନ୍ଧୁ ପ୍ରଥମ ରାଉଣ୍ଡରେ ଚୀନର ଝାଙ୍ଗ୍ ୟି ମାନ୍ଙ୍କୁ ଏବଂ ସାଇନା ଅନ୍ୟ ଚୀନ ଖେଳାଳି ହାନ୍ ୟୁଇଙ୍କୁ ଭେଟିବେ । ଉଭୟଙ୍କ ପାଇଁ କ୍ୱାର୍ଟର ଫାଇନାଲ୍ ପଥ କଷ୍ଟକର ରହିଛି । ପୁରୁଷ ବର୍ଗରେ ଲକ୍ଷ୍ୟ ଚାଇନିଜ୍ ତାଇପେ’ର ଚୌ ତିଏନ ଚେନଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ ।
ସେହିପରି ପ୍ରଣୟ ପ୍ରଥମ ରାଉଣ୍ଡରେ ୱାଙ୍ଗ ଜୁ-ୱେଇଙ୍କୁ, ଶ୍ରୀକାନ୍ତ ଫ୍ରାନ୍ସର ଟୋମା ଜୁନିୟର ପୋପୋଭଙ୍କୁ ଭେଟିବେ । ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଏବଂ ମହିଳା ଡବଲ୍ସରେ ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ଉପରେ ସମସ୍ତଙ୍କ ନଜର ରହିବ ।