ଆନ୍ତର୍ଜାତୀୟ ସଂଗଠିତ ସାଇବର ଅପରାଧୀଙ୍କ ଦ୍ୱାରା ବେଆଇନ ଗତିବିଧି ପାଇଁ ବ୍ୟବହାର କରାଯାଉଥିବା ‘ମ୍ୟୁଲ୍’ ବ୍ୟାଙ୍କ ଆକାଉଣ୍ଟର ଉପଯୋଗ କରି ପ୍ରସ୍ତୁତ କରାଯାଇଥିବା ଏବଂ ବେଆଇନ ଅର୍ଥ କାରବାର ହେଉଥିବା ବେଆଇନ ପେମେଣ୍ଟ ଗେଟୱେ ବିରୋଧରେ ସତର୍କ ସୂଚନା ଜାରି କଲା ଗୃହ ମନ୍ତ୍ରଣାଳୟ ଅଧୀନ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ସାଇବର ସୁରକ୍ଷିତ ଭାରତ ଗଠନ ପାଇଁ ସମସ୍ତ ପଦକ୍ଷେପ ନେଉଛି
- ଗୁଜରାଟ ପୁଲିସ ଏବଂ ଆନ୍ଧ୍ରପ୍ରଦେଶ ପୁଲିସର ଦେଶବ୍ୟାପୀ ଚଢ଼ାଉରୁ ଜଣାପଡିଛି ଯେ, ଆନ୍ତର୍ଜାତୀ ଅପରାଧୀମାନେ ମ୍ୟୁଲ/ ଭଡ଼ା ଆକାଉଣ୍ଟ ବ୍ୟବହାର କରି ବେଆଇନ ଡିଜିଟାଲ ପେମେଣ୍ଟ ଗେଟୱେ ତିଆରି କରିଛନ୍ତି
- ମନି ଲଣ୍ଡ୍ରିଂରେ ଲିପ୍ତ ଏହି ବେଆଇନ ପ୍ରଣାଳୀକୁ ବ୍ୟବହାର କରି ସାଇବର ଅପରାଧୀମାନେ ହାସଲ କରିଥିବା ଅବୈଧ ସମ୍ପତ୍ତିର ବେଆଇନ କାରବାର କରାଯାଇଥାଏ
- ନିଜ ବ୍ୟାଙ୍କ ଆକାଉଣ୍ଟ/ କମ୍ପାନୀ ପଞ୍ଜୀକରଣ ପ୍ରମାଣପତ୍ର/‘ଉଦ୍ଦ୍ୟମ ଆଧାର’ ପଞ୍ଜୀକରଣ ପ୍ରମାଣପତ୍ର କାହାକୁ ବିକ୍ରି/ଭଡ଼ାରେ ନଦେବାକୁ ସବୁ ନାଗରିକଙ୍କୁ ପରାମର୍ଶ ଦେଇଛି ଆଇଫର୍ସି
- ଏଭଳି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ବେଆଇନ ଅର୍ଥ ଗିରଫଦାରୀ ସମେତ ଅନ୍ୟ ଆଇନଗତ ପରିଣାମ ସୃଷ୍ଟି କରିପାରେ
- ବେଆଇନ ପେମେଣ୍ଟ ଗେଟୱେ ପ୍ରତିଷ୍ଠା ପାଇଁ ବ୍ୟବହୃତ ହେଉଥିବା ବ୍ୟାଙ୍କ ଆକାଉଣ୍ଟଗୁଡିକର ଅପବ୍ୟବହାର ଠାବ କରିବା ଲାଗି ବ୍ୟାଙ୍କଗୁଡିକ ଆବଶ୍ୟକ ଯାଞ୍ଚ କରିପାରିବେ
- ନାଗରିକମାନେ କୌଣସି ସାଇବର ଅପରାଧ ବିଷୟରେ ତୁରନ୍ତ ହେଲ୍ପଲାଇନ ନମ୍ବର ୧୯୩୦ କିମ୍ବା www.cybercrime.gov.inରେ ଜଣାଇବା ସହ ସୋସିଆଲ ମିଡିଆରେ ‘‘ସାଇବର ଦୋସ୍ତ’’ ଚ୍ୟାନେଲ/ଆକାଉଣ୍ଟକୁ ଫଲୋ କରିବା ଉଚିତ୍
ନୂଆଦିଲ୍ଲୀ, (ପିଆଇବି) : ଗୃହ ମନ୍ତ୍ରଣାଳୟ ଅଧୀନ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇଫର୍ସି) ଅନ୍ତର୍ଜାତୀୟ ସଂଗଠିତ ସାଇବର ଅପରାଧୀଙ୍କ ଦ୍ୱାରା ବେଆଇନ ଗତିବିଧି ପାଇଁ ବ୍ୟବହାର କରାଯାଉଥିବା ‘ମ୍ୟୁଲ୍’ ବ୍ୟାଙ୍କ ଏକାଉଣ୍ଟର ଉପଯୋଗ କରି ପ୍ରସ୍ତୁତ କରାଯାଇଥିବା ଏବଂ ବେଆଇନ ଅର୍ଥ କାରବାର ହେଉଥିବା ଅବୈଧ ପେମେଣ୍ଟ ଗେଟୱେ ବିରୋଧରେ ସତର୍କ ସୂଚନା ଜାରି କରିଛି । ନିକଟରେ ଗୁଜରାଟ ପୁଲିସ (ଏଫଆଇଆର ସଂଖ୍ୟା- ୦୧୧୩/୨୦୨୪) ଏବଂ ଆନ୍ଧ୍ର ପ୍ରଦେଶ ପୁଲିସ (ଏଫଆଇଆର ସଂଖ୍ୟା ୩୧୦/୨୦୨୪) ଦ୍ୱାରା କରାଯାଇଥିବା ଏକ ଦେଶବ୍ୟାପୀ ଚଢ଼ାଉରୁ ଜଣାପଡ଼ିଛି ଯେ, ଆନ୍ତର୍ଜାତୀୟ ଅପରାଧୀମାନେ ‘ମ୍ୟୁଲ୍’ ବା ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରି ବେଆଇନ ଡିଜିଟାଲ୍ ପେମେଣ୍ଟ ଗେଟୱେ ସୃଷ୍ଟି କରିଛନ୍ତି । ମନି ଲଣ୍ଡରିଂ ସହ ଜଡିତ ଏହି ବେଆଇନ ପ୍ରଣାଳୀ ସାଇବର ଅପରାଧରୁ ବେଆଇନ ଭାବେ ଅର୍ଜିତ ଅର୍ଥକୁ କଳାଧନ ରୂପେ କାରବାର କରିବା ଲାଗି ବ୍ୟବହୃତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ସାଇବର ସୁରକ୍ଷିତ ଭାରତ ଗଠନ ପାଇଁ ସମସ୍ତ ପଦକ୍ଷେପ ନେଉଛି । ରାଜ୍ୟ ପୋଲିସ ଏଜେନ୍ସିମାନଙ୍କ ଠାରୁ ମିଳିଥିବା ସୂଚନା ଏବଂ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଦ୍ୱାରା କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ, ନିମ୍ନଲିଖିତ ବିଷୟଗୁଡ଼ିକ ଚିହ୍ନଟ କରାଯାଇଥିଲା :
୧. କରେଣ୍ଟ ଆକାଉଣ୍ଟ ଏବଂ ସେଭିଂସ୍ ଆକାଉଣ୍ଟଗୁଡିକ ସୋସିଆଲ ମିଡିଆ, ବିଶେଷକରି ଟେଲିଗ୍ରାମ ଏବଂ ଫେସବୁକ୍ ମାଧ୍ୟମରେ ସନ୍ଧାନ କରାଯାଏ, ଏହି ଆକାଉଣ୍ଟଗୁଡିକ ଶେଲ୍ କମ୍ପାନୀ/ ଉଦ୍ୟୋଗ କିମ୍ବା ବ୍ୟକ୍ତିବିଶେଷ ନାମରେ ଥାଏ ।
୨. ବିଦେଶରୁ ଏସବୁ ‘ମ୍ୟୁଲ୍’ ଆକାଉଣ୍ଟ ପରିଚାଳିତ ହୋଇଥାଏ ।
୩. ଏହାପରେ ଏସବୁ ‘ମ୍ୟୁଲ୍’ ଆକାଉଣ୍ଟ ବ୍ୟବହାର କରି ବେଆଇନ ପେମେଣ୍ଟ ବା ଅର୍ଥ ନେଣଦେଣ ଗେଟ୍ ୱେ ତିଆରି କରାଯାଏ, ଯାହା ନକଲି ନିବେଶ ଠକେଇ ସାଇଟ୍, ଅଫସୋର ବେଟିଂ ଏବଂ ଜୁଆ ସହ ଜଡ଼ିତ ୱେବସାଇଟ୍, ନକଲି ଷ୍ଟକ୍ ଟ୍ରେଡିଂ ପ୍ଲାଟଫର୍ମ ଇତ୍ୟାଦି ବେଆଇନ ପ୍ଲାଟଫର୍ମରେ ଟଙ୍କା ଜମା କରିବା ପାଇଁ ଅପରାଧୀ ସିଣ୍ଡିକେଟକୁ ଦିଆଯାଏ ।
୪. ଅପରାଧରୁ ବେଆଇନ ଟଙ୍କା ମିଳିବା ମାତ୍ରେ ତୁରନ୍ତ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଏ । ଏଥିପାଇଁ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ବଲ୍କ ପେଆଉଟ୍ ସୁବିଧାର ଅପବ୍ୟବହାର କରାଯାଏ ।
ଏହି ଅଭିଯାନ ଅଧୀନରେ ଚିହ୍ନଟ ହୋଇଥିବା ପେମେଣ୍ଟ ଗେଟୱେଗୁଡ଼ିକ ମଧ୍ୟରେ ପିସ୍ ପେ, ଆରଟିଏକ୍ସ ପେ, ପୋକକୋପେ, ଆର୍ପିପେ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଗେଟ୍ ୱେଗୁଡିକୁ ବେଆଇନ ଅର୍ଥ କାରବାର ପାଇଁ ଏକ ସେବା ରୂପେ ପ୍ରଦାନ କରାଯାଏ ଏବଂ ବିଦେଶୀ ନାଗରିକଙ୍କ ଦ୍ୱାରା ପରିଚାଳିତ ହୁଏ । ନିଜ ବ୍ୟାଙ୍କ ଆକାଉଣ୍ଟ/ କମ୍ପାନୀ ପଞ୍ଜୀକରଣ ପ୍ରମାଣପତ୍ର/‘ଉଦ୍ଦ୍ୟମ ଆଧାର’ ପଞ୍ଜୀକରଣ ପ୍ରମାଣପତ୍ର କାହାକୁ ବିକ୍ରି/ଭଡ଼ାରେ ନଦେବାକୁ ସବୁ ନାଗରିକଙ୍କୁ ଆଇ ଫର୍ ସି ପରାମର୍ଶ ଦେଇଛି । ଏଭଳି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ବେଆଇନ ଅର୍ଥ ଗିରଫଦାରୀ ସମେତ ଅନ୍ୟ ଆଇନଗତ ପରିଣାମ ସୃଷ୍ଟି କରିପାରେ । ବେଆଇନ ପେମେଣ୍ଟ ଗେଟୱେ ସ୍ଥାପନ ପାଇଁ ବ୍ୟବହୃତ ହେଉଥିବା ବ୍ୟାଙ୍କ ଆକାଉଣ୍ଟଗୁଡିକର ଅପବ୍ୟବହାର ଠାବ କରିବା ଲାଗି ବ୍ୟାଙ୍କଗୁଡିକ ଆବଶ୍ୟକ ଯାଞ୍ଚ କରିପାରିବେ । ନାଗରିକମାନେ କୌଣସି ସାଇବର ଅପରାଧ ବିଷୟରେ ତୁରନ୍ତ ହେଲ୍ପଲାଇନ ନମ୍ବର ୧୯୩୦ କିମ୍ବା www.cybercrime.gov.inରେ ଜଣାଇବା ସହ ସୋସିଆଲ ମିଡିଆରେ ‘‘ସାଇବର ଦୋସ୍ତ’’ ଚ୍ୟାନେଲ/ଆକାଉଣ୍ଟକୁ ଫଲୋ କରିବା ଉଚିତ୍ ବୋଲି ଆଇ ଫର୍ ସି ପରାମର୍ଶ ଦେଇଛି ।