
ନୂଆଦିଲ୍ଲୀ, (ପିଆଇବି) : ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସ୍ୱର୍ଗଦ୍ୱାର ବ୍ୟାଙ୍କ ଅଫ୍ ବରୋଦା ଶାଖା ଏବଂ କଚେରୀ ଛକ ସ୍ଥିତ ମୁଖ୍ୟ ଡାକଘରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୩.୦ ଅନୁଷ୍ଠିତ ହୋଇଯାଇଛି । ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍ ବରୋଦା, ଡାକ ବିଭାଗ ଏବଂ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପେନ୍ସନ୍ଭୋଗୀଙ୍କୁ ଡିଏଲସି କରାଇବା ସହିତ ସେମାନଙ୍କୁ ଚେହେରା ପ୍ରମାଣୀକରଣ ପଦ୍ଧତିରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ବିଷୟରେ ସଚେତନ କରାଇଥିଲେ । ଏହିସବୁ ଶିବିରରେ ବ୍ୟାପକ ପ୍ରଚାରପ୍ରସାର ଏବଂ ଏହାକୁ ଫଳପ୍ରଦ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା । ସୂଚନାଯୋଗ୍ୟ, ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ୧ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଡିଏଲ୍ସି ଅଭିଯାନ ୩.୦ ଅନୁଷ୍ଠିତ ହେଉଛି । ଏହି ଅଭିଯାନ ସାମଗ୍ରିକ ସରକାର ଆଭିମୁଖ୍ୟ ନେଇ ସାରା ଭାରତର ୮୦୦ ସହର/ଜିଲ୍ଲାରେ ଅନୁଷ୍ଠିତ ହେଉଛି ଏବଂ ଏଥିରେ ସବୁ ଅଂଶୀଦାର ଏକାଠି ହୋଇ ସହଯୋଗ କରୁଛନ୍ତି । କେନ୍ଦ୍ର ସରକାରୀ ପେନ୍ସନ୍ଭୋଗୀଙ୍କ ସହଜ ଜୀବନଧାରଣ ପାଇଁ ଚେହେରା ପ୍ରମାଣୀକରଣ ବା ଫେସ୍ ଅଥେଣ୍ଟିକେସନ୍ ପଦ୍ଧତିରେ ଡିଏଲ୍ସି ଦାଖଲ ପ୍ରକ୍ରିୟା ୨୦୨୧ରେ ଆରମ୍ଭ ହୋଇଥିଲା । ଏହି ଜ୍ଞାନକୌଶଳ ଦ୍ୱାରା ପେନ୍ସନ୍ଭୋଗୀମାନେ ଯେକୌଣସି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରି ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଏହା ବାହ୍ୟ ବାୟୋମେଟ୍ରିକ୍ ଡିଭାଇସ୍ର ଆବଶ୍ୟକତା ହ୍ରାସ କରିଥାଏ ଏବଂ ଏହି ପ୍ରକ୍ରିୟାକୁ ଅଧିକ ଶସ୍ତା ଓ ସୁଲଭ କରିଥାଏ । ୨୦୨୨ ଅଭିଯାନରେ ୧.୪୧ କୋଟିରୁ ଅଧିକ ଡିଏଲ୍ସି କରାଯାଇଥିଲା, ଏଥି ମଧ୍ୟରେ କେନ୍ଦ୍ର ସରକାରଙ୍କ ପେନ୍ସନ୍ଭୋଗୀଙ୍କ ଠାରୁ ୪୨ ଲକ୍ଷ ଦାଖଲ କରାଯାଇଥିଲା । ୨୦୨୩ରେ ୧୦୦ଟି ସ୍ଥାନରେ ହୋଇଥିବା ଏହି ଅଭିଯାନରେ ୧.୪୭ କୋଟିରୁ ଅଧିକ ଡିଏଲ୍ସି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପେନ୍ସନ୍ଭୋଗୀଙ୍କ ଠାରୁ ୪୫ ଲକ୍ଷ ଟଙ୍କା ମିଳିଥିଲା । ବିଭିନ୍ନ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ପେନ୍ସନ୍ର୍ସ ଆସୋସିଏସନ୍, ୟୁଆଇଡିଏଆଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଡିଓଟିର ମିଳିତ ସହଯୋଗରେ ଏହି ଅଭିଯାନ ଆୟୋଜିତ ହେଉଛି । ଏହାର ଲକ୍ଷ୍ୟ ହେଉଛି ପେନ୍ସନ୍ଭୋଗୀ, ବିଶେଷକରି ଅତିବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନେ ସହଜରେ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଦେଶବ୍ୟାପୀ ଡିଏଲ୍ସି ଶିବିର ପ୍ରତିଷ୍ଠା କରାଯାଇଛି ଏବଂ ସ୍ମାର୍ଟଫୋନ୍ ଧରିଥିବା କର୍ମଚାରୀମାନେ ଶିବିରଗୁଡ଼ିକରେ ପେନ୍ସନ୍ଭୋଗୀଙ୍କୁ ସାହାଯ୍ୟ କରୁଛନ୍ତି । ଶଯ୍ୟାଶାୟୀ ପେନସନଭୋଗୀଙ୍କ ପାଇଁ ସ୍ୱଗୃହ ପରିଦର୍ଶନ ସୁବିଧା ମିଳୁଛି । ଏହି ଅଭିଯାନ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଓ ପ୍ରଚାର ବ୍ୟାନର ମାଧ୍ୟମରେ ବ୍ୟାପକ ପ୍ରଚାରପ୍ରସାର କରାଯାଉଛି ଏବଂ ସର୍ବାଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ଏହାର ପ୍ରଗତି ଅନୁଧ୍ୟାନ କରାଯାଉଛି ।