ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ
ନୂଆଦିଲ୍ଲୀ, (ପିଆଇବି) : ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି । ସଶସ୍ତ୍ର ବାହିନୀର ଅଧିକାରୀ/ଯବାନଙ୍କ ସାହସିକତା ଓ ବଳିଦାନକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀମାନେ କବିତା, ଚିତ୍ର, ପ୍ରବନ୍ଧ, ଭିଡିଓ ଇତ୍ୟାଦି ପଠାଇଛନ୍ତି । ବୀର ପୁରସ୍କାର ବିଜେତାଙ୍କ ବୀରତ୍ୱ, ନିଃସ୍ୱାର୍ଥପର ତ୍ୟାଗ ଓ ସାହସର ପ୍ରେରଣାଦାୟୀ କାହାଣୀ ଏବଂ ଏହି ବୀର ଯବାନମାନଙ୍କ ଜୀବନ କାହାଣୀକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ୨୦୨୧ ମସିହାରେ ପ୍ରୋଜେକ୍ଟ ବୀର ଗାଥା ପ୍ରତିଷ୍ଠା କରାଯାଇଥିଲା । ବୀର ଗାଥା ବୀରତା ପୁରସ୍କାର ବିଜେତାଙ୍କ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ବଳିଦାନ ଉପରେ ଆଧାରିତ ସୃଜନଶୀଳ ପ୍ରକଳ୍ପ/କାର୍ଯ୍ୟକଳାପ କରିବା ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏକ ମଞ୍ଚ ପ୍ରଦାନ କରି ଏହି ମହାନ ଉଦ୍ଦେଶ୍ୟକୁ ଆଗକୁ ନେଇଥିଲା । ବୀର ଗାଥା ପ୍ରକଳ୍ପର ତିନୋଟି ସଂସ୍କରଣ ଯଥାକ୍ରମେ ୨୦୨୧, ୨୦୨୨ ଏବଂ ୨୦୨୩ରେ ଅନୁଷ୍ଠିତ ହୋଇଛି । ବୀର ଗାଥା ପ୍ରକଳ୍ପ ୪.୦ ଅଧୀନରେ ଆଜି ପର୍ଯ୍ୟନ୍ତ ନିମ୍ନଲିଖିତ କାର୍ଯ୍ୟକଳାପ କରାଯାଇଛି: ବିଦ୍ୟାଳୟ ସ୍ତରରେ କାର୍ଯ୍ୟକଳାପ: ବିଦ୍ୟାଳୟଗୁଡ଼ିକ ବିଭିନ୍ନ ପ୍ରକଳ୍ପ/ କାର୍ଯ୍ୟକଳାପ (୧୬.୦୯.୨୦୨୪ରୁ ୩୧.୧୦.୨୦୨୪ ପର୍ଯ୍ୟନ୍ତ) ପରିଚାଳନା କରିଛନ୍ତି ଏବଂ ମାଇଗଭ ପୋର୍ଟାଲରେ ପ୍ରତ୍ୟେକ ବିଦ୍ୟାଳୟରୁ ସମୁଦାୟ ୪ଟି ଶ୍ରେଷ୍ଠ ଆବେଦନ ଅପଲୋଡ୍ କରିଛନ୍ତି । ଏଥିସହିତ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୀର ଓ ଅଜଣା କାହାଣୀ ବିଷୟରେ ଜ୍ଞାନକୁ ସମୃଦ୍ଧ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର କ୍ଷେତ୍ର ସଂଗଠନ ବା ସେନା/ନୌସେନା/ବାୟୁସେନା ଜରିଆରେ ସାରା ଦେଶର ବିଦ୍ୟାଳୟଗୁଡିକ ପାଇଁ ଭର୍ଚୁଆଲ ମିଟ୍/ପ୍ରତ୍ୟକ୍ଷ ସଚେତନତା କାର୍ଯ୍ୟକ୍ରମ/ଅଧିବେଶନର ଆୟୋଜନ କରିଛି । ଆରମ୍ଭରୁ ଏହି ପ୍ରକଳ୍ପରେ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ବଢିବାରେ ଲାଗିଛି । ସୂଚନାଯୋଗ୍ୟ, ବୀର ଗାଥା ପ୍ରକଳ୍ପ (ସଂସ୍କରଣ-୧) ରେ ୮ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ସଂସ୍କରଣରେ ୧୯.୫ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ତୃତୀୟ ସଂସ୍କରଣରେ ୧.୩୬ କୋଟି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବୀର ଗାଥା ପ୍ରକଳ୍ପ ସଂସ୍କରଣ ୧ ଓ ୨ ରେ ୨୫ ଜଣ ବିଜେତା (ସୁପର ୨୫) ଚୟନ କରାଯାଇ ସେମାନଙ୍କୁ ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବୀର ଗାଥା ପ୍ରୋଜେକ୍ଟ ୩.୦ରେ ଜାତୀୟ ସ୍ତରରେ ୧୦୦ ବିଜେତା (ସୁପର ୧୦୦) ଚୟନ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ପ୍ରୋଜେକ୍ଟ ବୀର ଗାଥା ୪.୦ ଅଧୀନରେ ୧୦୦ ଜଣ ବିଜେତାଙ୍କୁ ଚୟନ କରାଯିବ ଏବଂ ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ । ପ୍ରତି ବିଜେତାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ଏଥିସହ ଜିଲ୍ଲାସ୍ତରରେ ୪ ଜଣ ଲେଖାଏଁ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳସ୍ତରରେ ୮ ଜଣ ଲେଖାଏଁ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ ଏବଂ ସମ୍ପୃକ୍ତ ଜିଲ୍ଲା ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ସମସ୍ତ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ ।