- ଗବେଷଣା ହିଁ ନୂତନ ପରିଚୟ ସୃଷ୍ଟି କରିବ
- ଗୁମ୍ଫା ସଂସ୍କୃତି ଏ ଅଞ୍ଚଳର ପରିଚୟ
- ବୀରତାର ମୁକସାକ୍ଷୀ ‘ଭୀମପାହାଡ଼’
ବଲାଙ୍ଗିର, (କେପିଏନ୍ଏସ୍) : ଘଞ୍ଚ ଜଙ୍ଗଲ ଉପରେ ଅବସ୍ଥିତ ଭୀମ ପାହାଡ଼ ଆଜକୁ ପ୍ରାୟ ୩୦ ବର୍ଷ ପୂର୍ବେ ଏକ ଅଜଣା ସ୍ଥାନ ହୋଇ ରହିଥିଲା । ଭୀମ ପାହାଡ଼ରେ ଗୋଟେ ପରେ ଗୋଟେ ଗୁମ୍ଫାର ସନ୍ଧାନ ହେବା ପରେ ଧୀରେ ଧୀରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଦେଖା ଦେଇଥିଲା । ଆଦିବାସୀ ସଂସ୍କୃତି, ପରମ୍ପରା ଓ ଜୀବନ ଜୀବିକା ସହ ଜଡ଼ିତ ହୋଇଥିବା ଏହି ପାହାଡ଼ ଅନନ୍ୟ ଓ ସ୍ୱତନ୍ତ୍ର । ଗବେଷଣା ହିଁ ଏହାର ଅନେକ ରହସ୍ୟ ଖୋଲିବ ସ୍ଥାନୀୟ ଭୀମ ପାହାଡ଼ ପାଦଦେଶରେ ବୁଧବାର ଅନୁଷ୍ଠିତ ‘ଭୀମ ପାହାଡ଼ର ଐତିହାସିକ ପୃଷ୍ଠଭୂମି’ଶୀର୍ଷକ ସମ୍ପାନରେ ଗବେଷକମାନେ ମତ ଦେଇଛନ୍ତି । ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ପାନରେ ଲୋକ ସଂସ୍କୃତି ଓ ପରମ୍ପରା ଗବେଷକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ଗବେଷକ ସାଲେଗ୍ରାମ ହୋତା, ଆଦିବାସୀ ସଂସ୍କୃତି ଗବେଷକ ରାଜୀବ ସଗରିଆ, କନ୍ଧ ସଂସ୍କୃତି ଗବେଷକ ଅଜିତ୍ ଭୋଇ, ଭୀମ ପାହାଡ଼ ମହୋତ୍ସବର ସଭାପତି ତଥା ଭୀମ ପାହାଡ଼ ଐତିହ ପ୍ରଚାରକ ପ୍ରମୋଦ ବହିଦାର, ସାମ୍ବାଦିକ ବିଭୁ କଲ୍ୟାଣ ଗଡ଼ତ୍ୟା, କୋଶଲୀ ଲୋକ ନୃତ୍ୟ ଏକାଡେ଼ମୀର ପ୍ରତିଷ୍ଠାତା ଧରଣୀଧର ନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଲକ୍ଷ୍ମଣ ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାନର ଆୟୋଜନ ସମ୍ପର୍କରେ ମତ ରଖିଥିଲେ । ଗବେଷକ ଶ୍ରୀ ସଗରିଆ ଶହ ଶହ ବର୍ଷ ପୂର୍ବରୁ କିଭଳି ଭୀମ ଯୋଗ ସୃଷ୍ଟି ହୋଇଥିଲା ଓ ୧୨ ଭୀମ ବୁଢା ସମ୍ପର୍କରେ ମତ ରଖିବା ସହ ଏ ଅଞ୍ଚଳର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ମତ ରଖିଥିଲେ । ଡ. ଶ୍ରୀ ମିଶ୍ର ପାହାଡ଼, ଗୁମ୍ଫାରୁ ସୃଷ୍ଟି ଶଦ୍ଦ ବିଜ୍ଞାନ ଓ ଧନିପ୍ରତିଧ୍ୱନିର ଭୀମ ପାହାଡ଼ଠାରେ ରହିଥିବା ସମ୍ପର୍କକୁ ପ୍ରାମାଣିକ ତଥ୍ୟ ଦେଇ ମା’ ବିନା ସୃଷ୍ଟିର ପରିକଳ୍ପନା କରାଯାଇନପାରେ । ଗୁମ୍ଫା ସଂସ୍କୃତି ଏ ଅଞ୍ଚଳର ପରିଚୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସିପାହୀ ବିଦ୍ରୋହର ୪ ବର୍ଷ ପୂର୍ବରୁ ଭୀମ ପାହାଡ଼ ଏକ ଅଭେଦ୍ୟ ଦୂର୍ଗ ଭାବେ ପରିଗଣିତ ହେଉଥିଲା । ଚକରା ବିଶୋଇଙ୍କୁ ସୁରକ୍ଷା ପାଇଁ ଏହାକୁ ବ୍ୟବହାର କରାଯାଇଥିଲା । ଇଂରେଜ ସରକାରଙ୍କ ବିରୋଧରେ ହୋଇଥିବା ପ୍ରଜାମେଳି ଓ ଆଟଗାଁର ତକ୍ରାଳୀନ ଜମିଦାର ଧରମ ସିଂ ମାନଧାତାଙ୍କ ବୀରତାର ଏହା ମୁକସାକ୍ଷୀ ବୋଲି ସମ୍ପାନରେ ମତପ୍ରକାଶ ପାଇଥିଲା । ଆଦି ପରମ୍ପରାର ଏହି ମହାନ ଐତିହସ୍ଥଳୀ ଯେଉଁ ଭଳି ଏହାର ରକ୍ଷଣା ବେକ୍ଷଣ ଓ ଗବେଷଣା ହେବା କଥା ଆଜି ଯାଏଁ ହୋଇପାରି ନାହିଁ । ବର୍ତ୍ତମାନ ସୁଦ୍ଧା ୬୪ଟି ଗୁମ୍ଫାର ସନ୍ଧାନ ହୋଇଥିବା ବେଳେ ଏହାରି ପରିସୀମାରେ ଆହୁରି ଅନେକ ଗୁମ୍ଫାର ସନ୍ଧାନ ହୋଇପାରିବ । ଏଥିରେ କୌଣସି ଦ୍ୱିମତ ନାହିଁ । ଗବେଷଣା ହେଲେ ଏହାର ଆହୁରି ଅନକେ ରହସ୍ୟମୟ ତଥ୍ୟ ଲୋକ ସମ୍ମୁଖକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଥିଲା । ଏହି ସମ୍ପାନରେ ସ୍ଥାନୀୟ ଅଞ୍ଚଳର ପଞ୍ଚାୟତ ଜନ ପ୍ରତିନିଧି, ବୁଦ୍ଧିଜୀବୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଯୁବ ଗବେଷକ, ଏସ୍ଏଚ୍ଜି ମହିଳାମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଆୟୋଜକ କମିଟିର ସଭାପତି ଶ୍ରୀ ବହିଦାର ଧନ୍ୟବାଦ ଦେଇଥିଲେ ।