ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନବନିର୍ବାଚିତ ସରପଞ୍ଚମାନଙ୍କୁ ବିଭିନ୍ନ ଦାୟିତ୍ୱ ଓ କ୍ଷମତା ସମ୍ପର୍କରେ ଅବଗତ କରାଇବା ସମେତ ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା, ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଖାଦ୍ୟ ସୁରକ୍ଷା ଯୋଜନା, ପାନୀୟଜଳ, ସ୍ୱଚ୍ଛ ଭାରତ ମିଶନ, ଜାତୀୟ ଜୀବିକା ମିଶନ ଓ ଇ-ଗ୍ରାମସ୍ୱରାଜ ଏବଂ ଗ୍ରାମ ପଞ୍ଚାୟତ ବିକାଶ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ନେଇ ମଙ୍ଗଳବାର ଡେଲାଙ୍ଗ ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ସରପଞ୍ଚମାନଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସିଡିପିଓ ହାରାମଣି ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱର ମହାରଣା, ଜିପିଇଓ ରତିକାନ୍ତ ସାହୁ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସ୍ୱାଗତିକା ପ୍ରଧାନ, ମନରେଗା ସହକାରୀ ପ୍ରକଳ୍ପ ଅଧିକାରୀ ଏଲ୍ସୋମା ଦେବୀ, ଗ୍ରାମୀଣ ଗୃହନିର୍ମାଣ ବ୍ଲକ ପ୍ରୋଗ୍ରାମ ସଂଯୋଜକ ପୁଷ୍ପାଞ୍ଜଳି ମୁଦୁଲି, ଗ୍ରାମ୍ୟ ଜଳ ଓ ପରିମଳ କମିଟି ବ୍ଲକ ସଂଯୋଜକ ହିମାଂଶୁ ମହାପାତ୍ର, ବିପଣନ ନିରୀକ୍ଷକ ଅକ୍ଷୟ କୁମାର ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାସ, ଏନ୍ଆର୍ଏଲ୍ଏମ୍ର ପ୍ରମୋଦିନୀ ବେହେରା, ସ୍ୱଚ୍ଛ ଭାରତ ମିଶନ ଓ ବର୍ଜ୍ୟବସ୍ତୁ ପରିଚାଳନା ବିପିସି ହୃଦାନନ୍ଦ ପରିଡ଼ା, କମ୍ପ୍ୟୁଟର ପ୍ରୋଗ୍ରାମର ସତ୍ୟପ୍ରିୟ ବେହେରା ପ୍ରମୁଖ ଯୋଗଦେଇ ଉପସ୍ଥିତ ସରପଞ୍ଚମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ଏହାର କାର୍ଯ୍ୟକାରୀତା ସମ୍ପର୍କରେ ସଂକ୍ଷିପ୍ତ ଭାବେ ଅବଗତ କରିଥିଲେ । ପ୍ରାରମ୍ଭରେ ନୂତନ ଭାବେ ଦାୟିତ୍ୱ ନେଇଥିବା ବ୍ଲକ ଅଧକ୍ଷା, ଉପାଧ୍ୟକ୍ଷ ଓ ସମସ୍ତ ୨୧ଟି ପଞ୍ଚାୟତର ନବନିର୍ବାଚିତ ସରପଞ୍ଚମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ ଓ ଅଭିନନ୍ଦନ କରାଯାଇଥିଲା । ପ୍ରତି ପଞ୍ଚାୟତରେ ୬ଟି ଷ୍ଟାଣ୍ଡିଙ୍ଗ କମିଟି ଗଠନ ହେବାର ବ୍ୟବସ୍ଥା ଥିବା ବେଳେ ପ୍ରତି ମାସରେ ପଞ୍ଚାୟତରେ ଅନ୍ତତଃ ଗୋଟିଏ ମିଟିଂ ଓ ବର୍ଷରେ ଦୁଇଟି ଗ୍ରାମସଭା ଏବଂ ନିୟମିତ ଭାବେ ପଲ୍ଲିସଭା କରିବାକୁ ଜିପିଇଓ ଶ୍ରୀ ସାହୁ ସରପଞ୍ଚମାନଙ୍କୁ ଅବଗତ କରିଥିଲେ । ତେବେ ଆମ ପାଖରେ ପ୍ରଚୁର ଅର୍ଥ ଅଛି, କାମ ମଧ୍ୟ ଅଛି, ମାତ୍ର ଉପଯୁକ୍ତ ସମନ୍ୱୟ ଏବଂ ଆନ୍ତରିକତାର ଅଭାବ ଯୋଗୁଁ ମହାତ୍ମାଗାନ୍ଧୀ ନରେଗା ଯୋଜନା ସଠିକ ଢଙ୍ଗରେ କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ଉଦବେଗ ପ୍ରକାଶ କରିଥିଲେ । ପିଇଓ, ଜିଆର୍ଏସ୍ ଓ ଜେଇମାନଙ୍କୁ ନେଇ ଗଠିତ ଥ୍ରିମ୍ୟାନ୍ କମିଟି ଗ୍ରାମ୍ୟ ଗୃହନିର୍ମାଣ ଯୋଜନାରେ ହିତାଧିକାରୀ ଚୟନ କରିବା ନିୟମ ରହିଛି ବୋଲି ବିପିସି ପୁଷ୍ପାଞ୍ଜଳି ମୁଦୁଲି କହିଥିଲେ । ଡେଲାଙ୍ଗ ବ୍ଲକରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସମୁଦାୟ ୧୬୭୮୬ଜଣ ହିତାଧିକାରୀ ଭତ୍ତା ପାଉଛନ୍ତି ବୋଲି ବିଏସ୍ଏସ୍ଓ ତପନ ଚନ୍ଦ୍ର ଦାସ ସୂଚନା ଦେଇଥିଲେ । ସେହିପରି ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ଲକରେ ସମୁଦାୟ ୨୬୧୫୩ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି ବୋଲି ବିପଣନ ଅଧିକାରୀ ଅକ୍ଷୟ କୁମାର ସେଠୀ କହିଥିଲେ । ପାନୀୟ ଜଳ ସମସ୍ୟା ତଥା ନଳକୂପ ମରାମତି ସମ୍ପର୍କିତ ଅଭିଯୋଗ ଥିଲେ ପଞ୍ଚାୟତରେ ଥିବା ଅଭିଯୋଗ ପୁସ୍ତିକାରେ ଅଭିଯୋଗ ଦାୟର କରିବାକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସ୍ୱାଗତିକା ପ୍ରଧାନ କହିଥିଲେ ।ବରକେରା ଓ ଅଳଉତା ଗ୍ରାମକୁ ପାନୀୟଜଳ ଉପଲବ୍ଧ ହେଉନାହିଁ ବୋଲି ମୁନିନ୍ଦା ସରପଞ୍ଚ ଶେଷଦେବ ବାରିକ ଅଭିଯୋଗ କରିଥିବା ବେଳେ ପରିତ୍ୟକ୍ତ ପୁଷ୍କରିଣୀର ପୁନରୁଦ୍ଧାର ସମ୍ପର୍କରେ ପଦକ୍ଷେପ ନେବାକୁ ଡେଲାଙ୍ଗ-କୋଠବାଡ଼ ସରପଞ୍ଚ ଦୀପକ କୁମାର ସାହୁ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରେଙ୍ଗଳ ପଞ୍ଚାୟତ ମୁଖ୍ୟ ଫାଟକ ସବୁବେଳେ ଖୋଲା ରହିବାରୁ ମଦ୍ୟପମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି ବୋଲି ରେଙ୍ଗଳ ପଞ୍ଚାୟତ ସରପଞ୍ଚ ସାଗରିକା ବଳବନ୍ତରାୟ ଆରୋପ କରିଥିଲେ । ସେହିପରି ଚାଇଁପୁର ପଞ୍ଚାୟତରେ କମ୍ପ୍ୟୁଟର ଗାଏବ ହୋଇଯାଇଥିବା ନେଇ ସରପଞ୍ଚ ଜୟନ୍ତୀ ବରାଳ ଆରୋପ କରିଥିଲେ ।ଆଲୋଚନା ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ କରିବା, ପଞ୍ଚାୟତ ପାଣ୍ଠିରୁ ଅର୍ଥ ବିନିଯୋଗ କରି ପିଅନ ଓ ରାତ୍ରିଜଗୁଆଳି ନିଯୁକ୍ତି କରିବା, ଷ୍ଟକ ରେଜିଷ୍ଟର ଦେଖି କମ୍ପ୍ୟୁଟର ଗାଏବ ହୋଇଥିବା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବା ଏବଂ ପଞ୍ଚାୟତସ୍ତରରେ ଆୟର ଉତ୍ସ ନିର୍ଣ୍ଣୟ କରି ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ଉପସ୍ଥିତ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପ୍ରଶିକ୍ଷଣ କର୍ମଶାଳାରେ ନବନିର୍ବାଚିତ ସରପଞ୍ଚମାନଙ୍କ ସମେତ ପିଇଓ, ଜିଆର୍ଏସ୍ ବିଭିନ୍ନ ଲାଇନ ବିଭାଗ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post