jayashree

କୁନି ଶିଶୁ ପ୍ରତିଭା – ରୁଦ୍ରାଅଂଶୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୁନି କୁନି ଓଠରେ ଖିଲି ଖିଲି ହସ । ବୟସ ମାତ୍ର ୧ ବର୍ଷ ୭ ମାସ । ଦୁନିଆଁ କଣ ସେ ବିଷୟରେ କିଛି ଜାଣେନି । ମାତ୍ର ଏହି ନିଷ୍ପାପ ଶିଶୁ କନ୍ୟାଟିର ଅଲୌକିକ ପ୍ରତିଭା ତଥା ବିଚକ୍ଷଣ ଧିଶକ୍ତି ଯୋଗୁଁ ସମ୍ପ୍ରତି ସେ ଇଣ୍ଡିଆ ବୁକ ଅଫ୍‌ ରେକର୍ଡସରେ ନିଜର ଏହି ବିରଳ କୃତିତ୍ୱ ପାଇଁ ନାମ ଅନ୍ତର୍ଭୁକ୍ତ କରିବାର ସୌଭାଗ୍ୟ ଅର୍ଜନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଡ଼ମଣେଇଁ ଠାକୁରାଣୀ ମନ୍ଦିର ପଛ ପାର୍ଶ୍ୱରେ ଏହି ବୁଦ୍ଧିମତୀ ଶିଶୁକନ୍ୟାର ପିତା ଜ୍ୟୋତି ପ୍ରକାଶ ପାତ୍ର ଓ ମାତା ପଙ୍କଜିନୀ ବସବାସ କରନ୍ତି । ୨୦୨୦ ମସିହା ମାର୍ଚ୍ଚ ୨୯ରେ ଏହି ଶିଶୁକନ୍ୟା ରୁଦ୍ରାଅଂଶୀ ପାତ୍ର ତାଙ୍କ କୋଳମଣ୍ଡନ କରନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ବୟସ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଶିଶୁଟିର ଅସାଧାରଣ ପ୍ରତିଭା ଓ ସ୍ମରଣଶକ୍ତି ପିତାମାତାଙ୍କୁ ବିସ୍ମିତ କରେ । ତାକୁ ମାତ୍ର ୧ବର୍ଷ ୭ମାସ ବୟସ ହୋଇଥିବା ବେଳେ ସଞ୍ଚାର(ଅନ ଲାଇନ)ମାଧ୍ୟମରେ ହେଉଥିବା ପ୍ରତିଭା ପ୍ରଦର୍ଶନ ପ୍ରତିଯୋଗିତାରେ ରୁଦ୍ରାଅଂଶୀ ଅଂଶଗ୍ରହଣ କରି ଏବେ ଇଣ୍ଡିଆ ବୁକ ଅଫ୍‌ ରେକର୍ଡସରେ ନିଜ ନାମ ସ୍ଥାନୀତ କରିବାର ସୌଭାଗ୍ୟ ଅର୍ଜନ କରିଛି । ମନୁଷ୍ୟ ଶରୀରର ୧୭ଟି ଅଂଶ ଚିହ୍ନଟ କରିବା, ୫ ପ୍ରକାର ବିଭିନ୍ନ ରଙ୍ଗ, ୧୨ଟି ବିଭିନ୍ନ ଆଇଟମ, ୫ଟି ଯାନବାହନ, ୫ଟି ପଶୁ, ୫ଟି ଜାତୀୟ ଚିହ୍ନ ବିଷୟରେ ନିର୍ଭୁଲ ଭାବେ ଉତ୍ତର ଦେବା ସହ ଗୋଟିଏ ମୁଦ୍ରାରେ ୧୦ ପ୍ରକାର ଅଭିନୟର କଳାଚାତୁରୀ ପ୍ରଦର୍ଶନ କରିବା ଏବଂ ୪ଟି ପ୍ରାଣୀର ସ୍ୱରକୁ ନକଲ କରି ଅବିକଳ ଭାବେ ପରିବେଷଣ କରିବାର ଦକ୍ଷତା ପ୍ରତିପାଦନ କରିଥିବାରୁ ଇଣ୍ଡିଆ ବୁକ ଅଫ୍‌ ରେକର୍ଡସର ମୁଖ୍ୟ ସମ୍ପାଦକ ଡଃ ବିଶ୍ଵରୂପ ରାୟ ଚୌଧୁରୀଙ୍କଠାରୁ ଭାରତୀୟ ଡାକସେବା ଯୋଗେ ପ୍ରଶଂସା ପତ୍ର ରୁଦ୍ରାଅଂଶୀ ବାପାଙ୍କ ପାଖରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ସଞ୍ଚାର ମାଧ୍ୟମରେ ରୁଦ୍ରାଅଂଶୀର ପ୍ରତିଭା ପ୍ରଦର୍ଶନ ସମ୍ପର୍କରେ ବିରଳ କୃତିତ୍ୱ ନଭେମ୍ବର ୮ ତାରିଖ ୨୦୨୧ରେ ବିଚାରକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ ଓ ସ୍ୱୀକୃତି ଲାଭ କରିଥିଲା । ରୁଦ୍ରାଅଂଶୀର ଏଭଳି ଅଲୌକିକ ପ୍ରତିଭା ପାଇଁ ସ୍ୱାଧୀନ ସେବା ସଂସ୍ଥାନ ପ୍ରତିଷ୍ଠାତା ତଥା ସମାଜସେବୀ ଶଶୀ ଶେଖର ରାୟ ଉଚ୍ଚ ପ୍ରଶଂସା କରିଥିବା ବେଳେ ଉପଯୁକ୍ତ ପ୍ରେରଣା ଓ ସୁଯୋଗ ମିଳିଲେ ଏହି ପ୍ରତିଭା ସମ୍ପନ୍ନ ଶିଶୁଟି ଆଗାମୀ ଦିନରେ ଜଣେ ସେଲିବ୍ରିଟି ହୋଇ ପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.