ଲଗାଣ ବର୍ଷା ପବନରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦାବୀରେ ଡେଲାଙ୍ଗ ତହସିଲ ସମ୍ମୁଖରରେ ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ(ଏଆଇକେକେଏମଏସ)ପକ୍ଷରୁ ଶୁକ୍ରବାର ଡେଲଙ୍ଗ ତହସିଲଦାରଙ୍କ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ହୋଇ ଯାଇଛି । ଏହି ବିକ୍ଷୋଭରେ ଯୋଗ ଦେଇ ଏଆଇକେକେଏମଏସର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ତାଙ୍କ ବକ୍ତବ୍ୟରେ ସମ୍ପ୍ରତି ନିକଟରେ ଘଟିଥିବା ବାତ୍ୟା ଓ ଲଗାଣ ବର୍ଷାରେ ଧାନ ଓ ପନିପରିବା ଚାଷର କ୍ଷୟକ୍ଷତି ସମର୍କରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିବା ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତ ଧାନ ଚାଷୀଙ୍କୁ ଏକର ପିଛା ୨୦,୦୦୦ ଟଙ୍କା ଓ ପନିପରିବା ଚାଷୀଙ୍କୁ ଏକର ପିଛା ୫୦,୦୦୦ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବୀ କରିବା ସହ ରବି ୠତୁରେ ଚାଷ ପାଇଁ ବିନା ସୁଧରେ ଚାଷୀଙ୍କୁ ଆବଶ୍ୟକୀୟ ଋଣ ପ୍ରଦାନ କରିବା, ସମସ୍ତ ପ୍ରକାର କୃଷି ଋଣ ଛାଡ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ ଦାବୀ କରିଛନ୍ତି । ଏହି ବିକ୍ଷୋଭରେ ସଂଗଠନର ଡେଲାଙ୍ଗ ବ୍ଲକ ସଭାପତି କମ୍ରେଡ଼ ଦୀନବନ୍ଧୁ ପରିଡା, ସମ୍ପାଦକ ବଟ କୃଷ୍ଣ ସ୍ୱାଇଁ, ପଦ୍ମ ଚରଣ ଜେନା, ତ୍ରିନାଥ ପ୍ରଧାନ, ଗୋଲକ ବରାଳ, ପ୍ରଶାନ୍ତ ବେହେରା, ପଦ୍ମନାଭ ପଣ୍ଡା, ତୁକୁନା ବେହେରା ପ୍ରମୁଖ କର୍ମୀମାନେ ସେମାନଙ୍କ ଭାଷଣରେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରି ଗଡ଼ିତୋଳିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହି ବିକ୍ଷୋଭ ସ୍ଥଳକୁ ଆସି ତହସିଲଦାର ନିବେଦିତା ପରିଡା ୩ ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ଗ୍ରହଣ କରିବା ସହ ବିହିତ ପଦକ୍ଷେପ ନେବା ପାଇଁ କହିଛନ୍ତି ।

Leave A Reply

Your email address will not be published.