csstore

କବିତା : ବିଦାୟ ମୁହୂର୍ତ୍ତ

ନୀଳାଦ୍ରି ଭୂଷଣ ମହାପାତ୍ର

ସବୁ ବିଦାୟ ବେଳ
ଏମିତି ବିଷାଦମୟ
ଥମ୍‌ ଥମ୍‌ ମୁହଁ
ଛଳ ଛଳ ଆଖି
ଭାଷା ସବୁ ଡେଇଁ ପାରନ୍ତିନି
ଓଠର ଏରୁଣ୍ଡି
ପୃଥିବୀଟା ସତେକି ଚାଲିଯାଏ
ପାଦତଳୁ ଖସି ।

ସ୍ୱର୍ଗ ପରି ଲାଗୁଥିବା ସଂସାର
ଆଖି ପିଛୁଳାକେ ପାଲଟିଯାଏ ଶ୍ମଶାନ
ନାଁ ବୁଝିହୁଏ, ନାଁ ବୁଝେଇ ହୁଏ
ଯେତେସବୁ ସ୍ୱପ୍ନ ଦେଖିଥିଲେ
ସେ ସବୁ ସତ,
ନାଁ ଯାହା ସତ, ସେ ଏବେ ସ୍ୱପ୍ନ
ଭାବୁ ଭାବୁ
ଆଙ୍କୁଳି ସଂଧି ଦେଇ ହାତମୁଠାରୁ
ଖସିଯାଏ ତୀର୍ଯ୍ୟକ ସମୟ
ନାଁ ବାରିହୁଏ ଦିନ
ନାଁ ବାରିହୁଏ ରାତି
ଅଂଧ ପରି ଅଣ୍ଡାଳୁ ଅଣ୍ଡାଳୁ
ଅସଲ ଲୋକଟି ଏଠୁ
ବାଟ ଭାଂଗି ଯାଇ ସାରିଥା’ନ୍ତି ।

ଏଠି କିଏ କାହାକୁ ଅପେକ୍ଷା କରେ ଯେ’
ଏଠୁ ସମସ୍ତେ ଦିନେ ଫେରନ୍ତି
ଏଠି ଦିନ ଲୁଚିଯାଏ ମାସରେ
ମାସ ଲୁଚିଯାଏ ବର୍ଷରେ
ବର୍ଷ ବର୍ଷ ସମୟଗୁଡ଼ାକ
ଲୁଚିଯା’ନ୍ତି ମହାକାଳ ତଳେ ।

ଏଠି ଫେରିବାଟା ନୂଆ ନୁହଁ
ଆସିବା ବି ନୁହଁ ନୂଆ
ଆସିବା ଓ ଫେରିବା ବାଟରେ
ହସ ଆଉ ଲୁହଦାଗ
ରହିଯାଏ ଯାହା ।

ଏଠି ଷଠିଘର ଯେଉଁପରି ସତ୍ୟ
ସମାଧି ବି ସେହିପରି ସତ୍ୟ
ହେଲେ ମୃତ୍ୟୁ ଠାରୁ ବଳି କଷ୍ଟ
ଏମିତି ଏ ବିଦାୟ ମୁହୂର୍ତ୍ତ । ।

ମୋ.ନଂ.- ୯୪୩୧୧୧୩୬୫୮

jayashree
Leave A Reply

Your email address will not be published.